୪୩ ବର୍ଷ ତଳେ କେମିତି ହୋଇଥିଲା ଗଣତନ୍ତ୍ରର ହତ୍ୟା ! ଏମର୍ଜେନ୍ସି ବେଳେ ଜେଲ ଯାଇଥିବା ବ୍ୟକ୍ତି କହିଲେ ଅଙ୍ଗେନିଭା କାହାଣୀ

37

କନକ ବ୍ୟୁରୋ : ୪୩ ବର୍ଷ ତଳେ ଆଜିର ଦିନରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଆଜି ବିଜେପି ପାଳିଛି କଳା ଦିବସ । ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କରି ଆଜି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗୋଟିଏ ପରିବାର ପାଇଁ ସମ୍ବିଧାନର ଦୁରୁପଯୋଗ କରାଯାଇଥିଲା । କ୍ଷମତା ମୋହରେ କଂଗ୍ରେସ ଦେଶକୁ ଜେଲଖାନାରେ ପରିଣତ କରି ଦେଇଥିଲା । ସେପଟେ ସେସମୟରେ ଜରୁରୀକାଳୀନ ସ୍ଥିତିକୁ ସାମ୍ନା କରିଥିବା ବ୍ୟକ୍ତି ବଖାଣିଛନ୍ତି ସେଦିନର କଳାକାହାଣୀ ।

୪୩ ବର୍ଷ ତଳେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କଲେ । ଗୋଟିଏ ନିଷ୍ପତି ରାତାରାତି ସବୁ ବଦଳାଇଦେଲା । ସ୍ତବଧ ପାଲଟିଗଲା ପୁରା ଦେଶ । ଭାରତୀୟ ଗଣତନ୍ତ୍ରରେ ୪୩ ବର୍ଷ ତଳର ସେହି ଦିନ ଥିଲା ଦେଶ ପାଇଁ ଏକ କଳା ଦିନ । ଯାହାର ଭୟାବହତା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଶାସନ କରିବାର ଲୋଭରେ ଦେଶକୁ ଜେଲଖାନା ବନାଇ ଦେଇଥିଲେ ଇନ୍ଦିରା ଗାନ୍ଧି । ଗୋଟିଏ ପରିବାର ପାଇଁ ସମ୍ବିଧାନର ଦୁରୁପଯୋଗ କରାଯାଇଥିଲା । ଏପରିକି ଦେଶର ଗଣମାନ୍ୟ ନେତାଙ୍କୁ ଜେଲକୁ ପଠାଇବାକୁ ପଛଘୁଞ୍ଚା ଦେଇନଥିଲେ ।

emergencyରାତାରାତି ସବୁ ବଦଳିଗଲା । ସମ୍ବିଧାନର ସମସ୍ତ ସ୍ୱାଧୀନତା ଉପରେ ଅଙ୍କୁଶ ଲାଗିଗଲା । ନେତା, ସାମାଜିକ କର୍ମୀ, ସାମ୍ବାଦିକଙ୍କୁ ଉଠାଇ ନେଇ ଜେଲରେ ପୁରାଇଦିଆଗଲା । ଗଣମାଧ୍ୟମ ଉପରେ କଟକଣା ଲାଗିଲା । ଯିଏ ସମର୍ଥନ କଲା ବଂଚିଗଲେ , ଆଉ ଯିଏ ସ୍ୱର ଉଠାଇଲା ଜେଲ୍ ଗଲା । ୪୩ ବର୍ଷ ଦଳର ସେହି କଥା ମନେ ପଡିଲେ ଆଜିବି ଦେହ ଥରିଉଠୁଛି । ଏପରିକି ସେ ସମୟରେ ଜେଲ ଯାଇଥିବା କିଛି ବ୍ୟକ୍ତି ମଧ୍ୟ ନିଜର ଅନୂଭୁତି ବଖାଣିଛନ୍ତି । ଏପରିକି ରମାଦେବୀଙ୍କ ଆଶ୍ରମକୁ ଆସିଥିବା ବେଳେ କିପରି ତାଙ୍କୁ ଉଠାଇ ନିଆଯାଇଥିଲା । ଏବଂ ଦୀର୍ଘ ୧୫ରୁ ୧୭ ମାସ ପରେ ଛଡ଼ା ଯାଇ୍ଥିଲା ତାହାର କାହାଣୀ ବଖାଣିଛନ୍ତି । ବାହାଘରର ଗୋଟିଏ ମାସ ପରେ ରମାଦେବୀଙ୍କ ଆଶ୍ରମକୁ ଆସିଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ଦୀର୍ଘ ୧୫ ମାସ ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ମଧ୍ୟ ଜାଣି ପାରିନଥିଲେ ଯେ, ସେ କେଉର୍ଁଠି ଅଛନ୍ତି ।

ଜରୁରୀକାଳୀନ ପରିସ୍ଥିତିର ପ୍ରତିବାଦରେ ବିଜେପି କଳାଦିନ ପାଳି ରାଜରାସ୍ତାକୁ ଓହ୍ରାଇଥିବା ବେଳେ ବର୍ତମାନ ଦେଶରେ ଅଘୋଷିତ ଏମର୍ଜେନ୍ସି ଜାରି ହୋଇଥିବା ଅଭିଯୋଗ ଆଣିିଛି କଂଗ୍ରେସ । ଏପରିକି ମୋଦିଙ୍କୁ ଔରଙ୍ଗଜେବଙ୍କ ସହ ତୁଳନା କରିଛି କଂଗ୍ରେସ । ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ବହୁ ବର୍ଷ ବିତିଯାଇଛି । ହେଲେ ଯେମିତି ଆଜି ବି ତାଜା ହୋଇରହିଛି ସେଦିନର କାହାଣୀ ।