ଓଡିଶା ରାଜ୍ୟପାଳଙ୍କ ବିରୋଧରେ ନାଗାଲାଣ୍ଡ ବିଜେପିର ଅଭିଯୋଗ ! କଂଗ୍ରେସ ଓ ଏନପିଏଫ ମେଂଟ ପାଇଁ ପ୍ରଚାର କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ଦଳ

52

କନକ ବ୍ୟୁରୋ : ଓଡିଶା ରାଜ୍ୟପାଳଙ୍କ ବିରୋଧରେ ନାଗାଲାଣ୍ଡ ବିଜେପିର ଅଭିଯୋଗ । ରାଜ୍ୟପାଳ ଏସସି ଜମିର ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଆଣିଲା ଭାରତୀୟ ଜନତା ପାର୍ଟି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ସୂଚନା ଅନୁସାରେ ରାଜ୍ୟପାଳ ଏସସି ଜମିର, ନାଗାଲାଣ୍ଡରେ କଂଗ୍ରେସ ଓ ନାଗା ପିପୁଲ୍ସ ଫ୍ରଂଟ ମେଂଟ ସପକ୍ଷରେ ପ୍ରଚାର କରୁଥିବା ବିଜେପି ଅଭିଯୋଗ କରିଛି । ଏନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ନାଗାଲାଣ୍ଡ ବିଜେପି । କଂଗ୍ରେସ ଓ ଏନପିଏଫର କିଛି ପ୍ରାର୍ଥୀଙ୍କ ପାଇଁ ସେ ସିଧାସଳଖ ପ୍ରଚାର ମୈଦାନକୁ ଓହ୍ଲାଇଥିବା ଦଳ ଅଭିଯୋଗ ଆଣିଛି ।

ଏକ ସାମ୍ବିଧାନିକ ମୁଖ୍ୟ ପଦବୀରେ ଥିବା ଏସସି ଜମିର, ପ୍ରତ୍ୟକ୍ଷ ରାଜନୀତିରେ ଭାଗନେବା ଗଣତନ୍ତ୍ର ପାଇଁ ବିପଦ ବୋଲି ଦଳ କହିଛି । କୋହିମା ବିଜେପି ଶାଖାର ମିଡିଆ ସେଲ ପକ୍ଷରୁ ପ୍ରକାଶିତ ପ୍ରେସ ରିଲିଜରେ କୁହାଯାଇଛି ଯେ, ରାଜ୍ୟପାଳ ଭାବେ ଶପଥ ନେବା ପରେ କୌଣସି ଦଳୀୟ ବ୍ୟାପାରରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ହେଲେ କଂଗ୍ରେସ ଓ ଏନପିଏଫ ମେଂଟ ପାଇଁ ପ୍ରଚାର କରି ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ଏସସି ଜମିର ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ବିଜେପି । ୧୯୮୦ରୁ ୨୦୦୩ ମଧ୍ୟରେ ନାଗାଲାଣ୍ଡରେ ପାଂଚଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ଏହି ପୂର୍ବତନ କଂଗ୍ରେସ ନେତା । ପରେ ମହାରାଷ୍ଟ୍ର, ଗୁଜରାଟ ଓ ଗୋଆରେ ରାଜ୍ୟପାଳ ରହିବା ପରେ ୨୦୧୩ ମାର୍ଚ୍ଚ ୯ରୁ ଓଡିଶା ରାଜ୍ୟପାଳ ଦାୟିତ୍ୱରେ ଅଛନ୍ତି । ନାଗାଲାଣ୍ଡ ବିଧାନସଭା ଲାଗି ଆସନ୍ତା ୨୭ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଯାଉଛି ।