ପୁଣି ଚମକାଇ ଦେଲେ ମୋଦି: ବିଜେପି ସାଂସଦ ଓମ୍ ବିର୍ଲା ହେବେ ଲୋକସଭାର ନୂଆ ବାଚସ୍ପତି

449

କନକ ବ୍ୟୁରୋ:ବିଜେପି ସାଂସଦ ଓମ୍ ବିର୍ଲା ହେବେ ଲୋକସଭାର ନୂଆ ବାଚସ୍ପତି । ରାଜସ୍ଥାନର କୋଟାରୁ ଲାଗାତାର ଦ୍ୱିତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଓମ ବିର୍ଲା । ଏହି ଆସନରୁ ସେ କଂଗ୍ରେସ ପ୍ରାର୍ଥୀ ରାମ ନାରାୟଣ ମୀନାକୁ ଅଢେଇ ଲକ୍ଷରୁ ଅଧିକ ଭୋଟରେ ହରାଇଛନ୍ତି । କୋଟା ରାଜନୀତିରେ ଏହା ହେଉଛି ସବୁଠାରୁ ବଡ ବ୍ୟବଧାନରେ ବିଜୟ । କୋଟାରୁ ସେ ୩ ଥର ବିଧାୟକ ବି ରହିଛନ୍ତି ।

ଓମ ବିର୍ଲା ମାତ୍ର ୧୭ ବର୍ଷ ବୟସରେ ରାଜନୀତିରେ ସକ୍ରିୟ ହୋଇଥିଲେ । ଏପରିକି ୨୦୧୪ ନିର୍ବାଚନରେ କୋଟାର ରାଜପରିବାର ସଦସ୍ୟଙ୍କୁ ବି ମାତ୍ ଦେଇ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଆଜି ଏହି ପଦ ପାଇଁ ଓମ ବିର୍ଲା ପ୍ରାର୍ଥୀପତ୍ର ଦାଖଲ କରିବେ । ଲୋକସଭା ବାଚସ୍ପତି ନାଁ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ପୁଣି ନିଜ ନିଷ୍ପତିରେ ସମସ୍ତଙ୍କୁ ଚମକାଇଦେଇଛନ୍ତି । ଓମ ବିର୍ଲା ସୁମିତ୍ରା ମହାଜନଙ୍କର ସ୍ଥାନ ହେବେ । ସୁମିତ୍ରା ମହାଜନ ଏଥର ନିର୍ବାଚନ ଲଢିନଥିଲେ । ଏବେ ନୂଆ ବାଚସ୍ପତି ଘୋଷଣା ହେବା ପରେ ସମସ୍ତଙ୍କ ନଜର ଉପବାଚସ୍ପତି କିଏ ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ଲୋକସଭା ବାଚସ୍ପତି ପାଇଁ ଅନେକ ବରିଷ୍ଠ ବିଜେପି ନେତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା | ବାଚସ୍ପତି ଦୋୖଡରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ, ରାଧାମୋହନ ସିଂ, ରମାପତି ରାମ ତ୍ରିପାଠୀ, ଏସଏସ ଅଲୁୱାଲିଆ ଓ ଡ. ବୀରେନ୍ଦ୍ର କୁମାରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ଏଥର ଲୋକସଭାର ଦାୟିତ୍ୱ କିଏ ସମ୍ଭାଳିବେ ତାହା ସ୍ପଷ୍ଟ ହୋଇଯାଇଛି | ରାଜସ୍ଥାନ କୋଟାରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ଓମ ବିର୍ଲା ଆଜି ନାମାଙ୍କନ ଦାଖଲ କରିବେ | ବୁଧବାର ଏହାକୁ ନେଇ ନିର୍ବାଚନ ହେବ | ତେବେ ଏନଡିଏ ପାଖରେ ବହୁମତ ଥିବାରୁ ଲୋକସଭା ବାଚସ୍ପତି ବିର୍ଲା ହିଁ ହେବେ ତାହା ସ୍ପଷ୍ଟ ହୋଇଯାଇଛି |