ଆଜି କର୍ଣ୍ଣାଟକ ସରକାରଙ୍କ ଆସ୍ଥା ଭୋଟ୍: ଦିନ ସାଢେ ଗୋଟାଏ ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କୁମାରସ୍ୱାମୀଙ୍କୁ ନିର୍ଦ୍ଦେଶ

ବିଧାନସଭାରେ ସାରା ରାତି ଧାରଣା ଦେଲେ ବିଜେପି ସଦସ୍ୟ

87

କନକ ବ୍ୟୁରୋ: ଆଜି କର୍ଣ୍ଣାଟକ ବିଧାନସଭାରେ ହୋଇପାରେ ଆସ୍ଥାଭୋଟ । ଆଜି ଦିନ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥାଭୋଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ରାଜ୍ୟପାଳ । ଗତକାଲି କର୍ଣ୍ଣାଟକରେ ଦେଖା ଦେଇଥିବା ରାଜନୈତିକ ହଟଚମଟ ଜାରି ରହିଥିଲା । ବିଧାନସଭାରେ ହୋଇପାରିନଥିଲା ଆସ୍ଥାଭୋଟ । ବିଧାନସଭାରେ କୁମାରସ୍ୱାମୀ ଆସ୍ଥା ପ୍ରସ୍ତାବ ଆଗତ କରିଥିଲେ । କିନ୍ତୁ ଏହା ଉପରେ ଭୋଟଗ୍ରହଣ ହୋଇପାରିନଥିଲା । ଦିନ ତମାମ ବିତର୍କ ଚାଲିବା ପରେ ଆଜି ଦିନ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖିଥିଲେ ବାଚସ୍ପତି ।

ଗୃହକୁ ମୁଲତବୀ ରଖିବା ପୂର୍ବରୁ ଆଟର୍ଣ୍ଣି ଜେନେରାଲଙ୍କୁ ଭେଟି ଆଇନଗତ ପ୍ରକ୍ରିୟା ନେଇ ଆଲୋଚନା କରିଥିଲେ । ଗତକାଲି ସନ୍ଧ୍ୟାରେ ରାଜ୍ୟପାଳ କଠୋର ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଶୁକ୍ରବାର ଅର୍ଥାତ୍ ଆଜି ଦିନ ସାଢେ ଗୋଟାଏ ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦେଶ ଦେଇଥିଲେ । ପତ୍ରରେ ରାଜ୍ୟପାଳ ଲେଖିଛନ୍ତି, ଯାହା ଜଣାପଡୁଛି କୁମାରସ୍ୱାମୀ ସରକାର ଗୃହର ଆସ୍ଥା ହରାଇଛନ୍ତି ।

 

କାରଣ, କଂଗ୍ରେସ ଓ ଜେଡିଏସର ୧୫ ଜଣ ବିଧାୟକ ଇସ୍ତଫା ଦେଇଥିବା ବେଳେ ୨ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ୧୭ ଜଣ ବିଧାୟକ ବାହାରିବା ପରେ ସରକାର ପାଖରେ ଆଉ ସ୍ପଷ୍ଟ ବହୁମତ ନାହିଁ । ସରକାର ତିଷ୍ଠିବାକୁ ହେଲେ ଗୃହର ଆସ୍ଥା ଦରକାର । ତେଣୁ ବିଳମ୍ବ ନକରି କୁମାରସ୍ୱାୀ ଆସ୍ଥାଭୋଟର ସମ୍ମୁଖୀନ ହୁଅନ୍ତୁ । ଅନ୍ୟପଟେ ବିଜେପି ନେତା ବିଏସ ୟେଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ବିଧାୟ ସାରା ରାତି ବିଧାନସଭାରେ ଧାରଣା ଦେଇଥିଲେ ।