କନକ ବ୍ୟୁରୋ: ମକା ବିଲରେ ବିଧାୟକ । ହାତରେ ରହିଛି କୀଟନାଶକ ମରା ସ୍ପ୍ରେ । ଚାଷୀଙ୍କ ମେଳରେ ରହି ନିଜେ ବିଧାୟକ ମକା କ୍ଷେତରେ ପଶିଲେ, କୀଟନାଶକ ମାରିବାକୁ ନିଜେ ସ୍ପ୍ରେ କଲେ । ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ ମକା ଚାଷୀଙ୍କ ପାଇଁ କାଳ ସାଜିଛି ରୋଗ ପୋକ । ଶହ ଶହ ହେକ୍ଟରର ମକା ଫସଲ ରୋଗ ପୋକର ଶିକାର ହେବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ଏହିପରି ସମୟରେ ଚାଷୀଙ୍କୁ ସାନ୍ତ୍ୱନା ଦେଇଛନ୍ତି ଉମରକୋଟ୍ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।
Kanak News is now on WhatsApp
Join and get latest news updates delivered to you via WhatsApp
ଚାଷୀଙ୍କ ପାଇଁ ଦୁର୍ଦ୍ଦିନରେ ପାଖରେ ଠିଆ ହେବା ସହିତ ରୋଗପୋକ ଦମନରେ ସରକାରୀ ସହାୟତା ନେଇ ଦାବି କରିଛନ୍ତି । ବିଧାୟକଙ୍କ ଠାରୁ ଏପରି ସହ ଯୋଗ ଦେଖି ଚାଷୀ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି, ଡାବୁଗାଁରେ ଚଳିତ ବର୍ଷ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି ଏହି ରୋଗ ପୋକ । ଅତିଶୀଘ୍ର ଚାଷୀଙ୍କ ପାଇଁ ରୋଗପୋକ ଦମନର ସହାୟକ ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଉମରକୋଟ୍ ବିଧାୟକ ।
ଗୋଟିଏ ପଟେ ଲଗାଣ ବର୍ଷାରେ ଚାଷୀ ବେହାଲ ହୋଇଥିବା ବେଳେ ଅନ୍ୟ ପଟେ ରୋଗ ପୋକରେ ହନ୍ତସନ୍ତ ହେଉଛନ୍ତି ମକା ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି, ଡାବୁଗାଁ ତଥା ସଂପୂର୍ଣ୍ଣ ନବରଙ୍ଗପୁର ଜିଲ୍ଲାରେ । ସବୁଠାର ବଡ କଥା ହେଲା ଚାଷୀଙ୍କର ଏହି ଦୁର୍ଦ୍ଦିନରେ ସାଥି ହୋଇ ଠିଆ ହୋଇଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । କେବଳ ଯେ ଠିଆ ହୋଇଛନ୍ତି ତାହା ନୁହେଁ, ରାଜ୍ୟ ପାଇଁ ଉଦାହରଣ ମଧ୍ୟ ସୃଷ୍ଟି କରିଛନ୍ତି ନିତ୍ୟାନନ୍ଦ । ଚାଷୀଙ୍କ ସହ ଏନେଇ ଆଲୋଚନା କରିବା ସହ ଚାଷୀଙ୍କ କାନ୍ଧରୁ ସ୍ପ୍ରେ ମେସିନ ନେଇ ନିଜେ ମଧ୍ୟ ଗଛରେ ସ୍ପ୍ରେ କରିଛନ୍ତି । ଏହା ସହିତ ହିଁ ଅତି ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅନୁରୋଧ କରିଛନ୍ତି ।