ବିଜେପି ବିଧାୟକଙ୍କ ପୁଅଙ୍କ ଦାଦାଗିରି ! ଗାଡି କାଗଜପତ୍ର ମାଗିବାରୁ ପୋଲିସକୁ ମାରିଲେ ଚାପୁଡା ।

908

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଝାନ୍ସୀରେ ଜଣେ ବିଜେପି ବିଧାୟକଙ୍କ ପୁଅ ପୁଲିସକୁ ଚାପୁଡ଼ା ମାରିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଅପରାଧ କରିବା ପରେ ପୁଲିସ ଅଭିଯୁକ୍ତକୁ ହେପାଜତକୁ ନେଇଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଗରୋଠା ବିଧାନସଭା ଆସନରୁ ବିଜେପି ବିଧାୟକ ଥିବା ଜବାହର ରାଜପୁତଙ୍କ ପୁଅ ରାହୁଲ ରାଜପୁତ୍ ରବିବାର ରାତିରେ କାର୍ ଚଳାଇ ଯାଉଥିବା ବେଳେ ତାଙ୍କୁ କିଛି ପୁଲିସକର୍ମୀ ଅଟକାଇଥିଲେ । ନମ୍ବର ନଥିବା କାର୍ ଚଳାଉଥିବାରୁ ପୁଲିସ ରାହୁଲଙ୍କୁ ଅଟକାଇବା ସହ ଗାଡ଼ିର କାଗଜପତ୍ର ମାଗିଥିଲେ । କିନ୍ତୁ କାଗଜ ନଦେଇ ରାହୁଲ ପୁଲିସକର୍ମୀଙ୍କ ସହ ବଚସା କରିବା ଆରମ୍ଭ କରିଥିଲେ । ମୁଁ ଜଣେ ବିଧାୟକଙ୍କ ପୁଅ । ମୋ ସହ ଲାଗିଲେ କିଛି ଭଲ ହେବ ନାହିଁ ବୋଲି ରାହୁଲ ପୁଲିସକର୍ମୀମାନଙ୍କୁ କହି ଧମକାଇବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ପୁଲିସକର୍ମୀ ରାହୁଲଙ୍କ କଥାକୁ ଅଣଦେଖା କରିବାରୁ ସେ ପୁଲିସକର୍ମୀଙ୍କୁ ରାଗରେ ଚାପୁଡ଼ା ମାରି ଦେଇଥିଲେ । ଏହା ପରେ ପୁଲିସ ରାହୁଲଙ୍କୁ ଥାନାକୁ ନେବା ପରେ ଜବାହର ରାଜପୁତଙ୍କ ପାଖରେ ଏ ଖବର ପହଞ୍ଚିଥିଲା । ସେ ନିଜର ସମର୍ଥକମାନଙ୍କ ସହ ଆସି ପୁଲିସ ମୋ ପୁଅକୁ ବିନା କାରଣରେ ମାଡ଼ ମାରିବା ଅଭିଯୋଗ କରି ଥାନା ଆଗରେ ଧାରଣା ଦେଇଥିଲେ । ପରିସ୍ଥିତି ଦେଖି ପୁଲିସକର୍ମୀ ଏବଂ ବିଜେପି ବିଧାୟକ ଜବାହର ରାଜପୁତ୍ ପରସ୍ପର ସହ କଥାବର୍ତ୍ତା ହୋଇ ମାମଲାର ସମାଧାନ କରିଥିଲେ । ଯାହା ପରେ ମଧ୍ୟ ରାତ୍ରରେ ରାହୁଲଙ୍କୁ ଛାଡ଼ିଥିଲା ପୁଲିସ ।