ବିଜେପି ବିଧାୟକଙ୍କ ଗୁଣ୍ଡାଗିରି ! ସର୍ବସମୁଖରେ ମହିଳାଙ୍କୁ ମାଡ ମାରିଲେ ନରୋଦା ବିଧାୟକ, ଭିଡିଓ ଭାଇରାଲା ପରେ ପୀଡିତାଙ୍କ ଠାରୁ ରାକ୍ଷୀ ବାନ୍ଧି କଲେ ଆପୋଷ ସମାଧାନ ।

191

କନକ ବ୍ୟୁରୋ : ବିଜେପି ବିଧାୟକଙ୍କ ଗୁଣ୍ଡାଗିରି । ବିଚ୍ ରାସ୍ତାରେ ମହିଳାଙ୍କୁ ନିସ୍ତୁକ ମାଡ଼ । ମହିଳାଙ୍କୁ ଆକ୍ରମଣ ହେଉଥିବା ବେଳେ ତାଙ୍କ ଚିତ୍କାର ଉପସ୍ଥିତ ଲୋକଙ୍କ ଲୋମ ଟାଙ୍କୁରେଇ ଦେଇଥିଲା । ଏହି ଘଟଣା ହେଉଛି ଗୁଜରାଟ ନରୋଦା ଅଂଚଳର । ଗୋଇଠା ମାରୁ ଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ ଶାସକ ବିଜେପିର ବିଧାୟକ ବଳରାମ ଥବାନୀ । ଛାତି ଥରା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ପ୍ରଶ୍ନ ଉଠୁଛି, ମହିଳାଙ୍କୁ ସୁରକ୍ଷା ଓ ସମ୍ମାନର ଦ୍ୱାହି ଦେଉଥିବା ବିଜେପିର ଜଣେ ଲୋକ ପ୍ରତିନିଧି କିଭଳି ଅମାନବୀୟ କାଣ୍ଡ ଭିଆଇଛନ୍ତି ?

ନିଜ ଅଂଚଳରେ ପାଣିର ସମସ୍ୟା ଥିବା ବେଳେ ଏହାର ସମାଧାନ ପାଇଁ ଅନୁରୋଧ କରିବାକୁ ଏହି ମହିଳା ଜଣକ ଥବାନୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ତେବେ ତାଙ୍କ ବିଷୟ କିଛି ଶୁଣିବା ଆଗରୁ ବିଧାୟକଙ୍କ ସମର୍ଥକ ଧକ୍କା ମାରି ତଳେ ପକାଇ ଦେଇଥିଲେ ଏବଂ ପରେ ଗୋଇଠା ମାରିବାକୁ ପଛାଇ ନଥିଲେ ଖୋଦ୍ ବିଧାୟକ ।

ସ୍ଥାନୀୟ ଏନସିପିର ଜଣେ କର୍ମୀ ଥିବା ଏହି ମହିଳା ଏବେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଅନ୍ୟ ପଟେ ଏହି ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏବେ ତୀବ୍ର ବିରୋଧ ପ୍ରକାଶ ପାଇଛି । ତେବେ ଏହା ତାଙ୍କର ଭୁଲ ଏବଂ ଏଥି ପାଇଁ ସେ କ୍ଷମା ମାଗୁଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ବଳରାମ ଥବାନୀ ।

ବିଧାୟକଙ୍କ ଏହି ଗୁଣ୍ଡାଗିରିକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୁଜରାଟ ବଡଗାମ ବିଧାୟକ ଜିଗ୍ନେଶ ମେୱାନୀ ଟ୍ୱିଟ୍ କରି ବିଧାୟକଙ୍କ ଗିରଫ ଦାବି କରିଛନ୍ତି । ଏନେଇ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇ ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ କଡା ସମାଲୋଚନା କରି ବିଜେପିକୁ ଟାର୍ଗେଟ୍ କରିଛି । ଏଭଳି ଘଟଣାକୁ ନିନ୍ଦା କରି ବିଧାୟକଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି ।

ବଳରାମ ଥବାନୀଙ୍କ ଏହି କାଣ୍ଡକୁ ନେଇ ବିଜେପି ରାଷ୍ଟ୍ରୀୟ ନେତୃମଣ୍ଡଳୀ ହସ୍ତକ୍ଷେପ କରିବାକୁ ଦାବି ହେଉଥିବା ବେଳେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଦଳୀୟ କର୍ମୀଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଏନସିପିର ନେତା ଓ କର୍ମୀ ଧାରଣାରେ ବସିଛନ୍ତି । ସେମାନେ ଥବାନୀଙ୍କ ଗିରଫ ଦାବି କରିଛନ୍ତି ।

ଏହି ଘଟଣାକୁ ନେଇ ଚାରିଆଡୁ ବିରୋଧର ସ୍ୱର ତେଜୁଥିବା ବେଳେ ରାସ୍ତା ଉପରେ ମହିଳାଙ୍କୁ ଗୋଇଠା ମାରିଥିବା ବିଜେପି ବିଧାୟକ ମାମଲାକୁ ରଫା ଦଫା କରିଦେଇଛନ୍ତି । ମାଡଖାଇଥିବା ମହିଳା ଓ ମାଡ ମାରିଥିବା ବିଧାୟକ ବଳରାମ ଥୋବନୀଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଛି । ମାଡ ମାରିଥିବା ମହିଳାଙ୍କୁ ସାମ୍ବାଦିକ ସମ୍ମିଳନୀରେ ବସାଇ ତାଙ୍କ ଭିତରେ ଆପୋଷ ସମାଧାନ ହୋଇଥିବା ସେ କହିଛନ୍ତି । ମହିଳା ତାଙ୍କୁ ରାକ୍ଷୀ ବାନ୍ଧି ଭାଇ ମାନିଥିବା ବେଳେ ପରସ୍ପର ମିଠା ଖାଇ ବିବାଦର ସମାଧାନ କରିଛନ୍ତି । ମହିଳାଙ୍କୁ ଗୁଜୁରାଟର ବିଜେପି ବିଧାୟକଙ୍କ ମାଡ ଘଟଣାକୁ ନେଇ ବିରୋଧ ତେଜିବା ପରେ ବିଧାୟକ ଆପୋଷ ସମାଧାନ କରିଛନ୍ତି ।