ବିଜେପି ବିଧାୟକଙ୍କ ସାଙ୍ଘାତିକ ବୟାନ । କହିଲେ, ସିସିଟିଭିରେ ସବୁ ଦେଖୁଛନ୍ତି ମୋଦି, ବିଜେପିକୁ କମ ଭୋଟ୍ ମିଳିଲେ, ସହାୟତା ବି କମିବ ।

433

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ତୁଣ୍ଡ ସେତିକି ହୁରୁଡୁଛି । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବ । ଆଉ ଏଥିପାଇଁ ଜୋରଦାର ପ୍ରଚାର କରୁଛନ୍ତି ନେତା । ଆଉ ଏହାରି ମଧ୍ୟରେ ଗୁଜୁରାଟର ଜଣେ ବିଜେପି ବିଧାୟକଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବିଜେପି ବିଧାୟକ ଜଣଙ୍କ ମତଦାତାଙ୍କୁ ଚେତାବନୀ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ବିବାଦ ଘେରକୁ ଆସିଥିବା ଏହି ବିଜେପି ବିଧାୟକଙ୍କ ନାଁ ହେଉଛି ରମେଶ କଟାରିୟା । ବିଧାୟକ ଜଣଙ୍କ କହିଛନ୍ତି, ‘ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଟି ମତଦାନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଫିଟ୍ କରିଛନ୍ତି । ଯାହା ଫଳରେ ମୋଦି ଦେଖିପାରିବେ, କିଏ ବିଜେପିକୁ ଭୋଟ୍ ଦେଉଛି ଆଉ କିଏ କଂଗ୍ରେସକୁ ଭୋଟ୍ ଦେଉଛି । ଦିଲ୍ଲୀରେ ବସି ସବୁ କିଛି ଦେଖିପାରିବେ ମୋଦି । ଯଦି କୌଣସି ବୁଥରେ ବିଜେପିର ଭୋଟ୍ ହାର କମିବ ତେବେ ସମ୍ପୃକ୍ତ ଅଞ୍ଚଳରେ କେନ୍ଦ୍ରୀୟ ସରକାରୀ ସହାୟତା ମଧ୍ୟ କମିବ ।’

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଦାହୋଦ ଲୋକସଭା କ୍ଷେତ୍ରରେ ଏକ ନିର୍ବାଚନୀ ରାଲି କରୁଥିବା ସମୟରେ ଏଭଳି ବିବାଦୀୟ ବୟାନ ଦେଇଥିଲେ ବିଜେପି ବିଧାୟକ ରମେଶ କଟାରା । ତେବେ ସେ ଏହି ଆସନରେ ନିର୍ବାଚନ ମଇଦାନକୁ ଓହ୍ଲାଇବାଥିବା ବିଜେପି ପ୍ରାର୍ଥୀ ଜସବନ୍ତସିଂହ ଭାଭୋରଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ । ଏହି ଲୋକସଭା ଆସନରୁ ବାବୁ କଟାରା କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇଛନ୍ତି । ଏହି ସଂସଦୀୟ କ୍ଷେତ୍ର ଆଦିବାସୀ ବହୁଳ ଅଞ୍ଚଳ ଅଟେ । ଗୁଜୁରାଟର ସମସ୍ତ ୨୬ଟି ଆସନରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ଭୋଟ୍ ପଡିବ । ତେବେ ନିର୍ବାଚନ ପୂର୍ବରୁ ବିଜେପି ବିଧାୟକଙ୍କ ଏଭଳି ସାଂଘାତିକ ବୟାନ ଏବେ ଭାଇରାଲ ହେଉଥିବା ବେଳେ, ନିର୍ବାଚନରେ ଏହା କେତେ ପ୍ରଭାବ ପକାଇବ ତାହା ସମୟ ହିଁ କହିବ ।