ଅମିତ ସାହଙ୍କ ମିଶନ ୧୨୦ ପରେ ଯୋର ଧରିଛି ମିଶ୍ରଣ ପର୍ବ ! ଆଜି ସୁନ୍ଦରଗଡ଼ରେ ବିଜେପିରେ ସାମିଲ ହେବେ ବିଜେଡିର ବିଧାୟକ ପ୍ରାର୍ଥୀ ସୁନିଲ ସିଂହଦେଓ

23

କନକ ବ୍ୟୁରୋ: ବଳ ଗୋଟାଉଛି ବିଜେପି । ଭୁବନେଶ୍ୱର ପରେ ଆଜି ସୁନ୍ଦରଗଡ଼ରେ ହେବ ବିଜେପିର ମିଶ୍ରଣ ପର୍ବ । ଆଜି ବିଜେପିରେ ମିଶିବେ ସୁନ୍ଦରଗଡ଼ ସଦର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ତଥା ହେମଗିରି ରାଜା ସୁନୀଲ ସିଂ ଦେଓ ଏବଂ ବିଜେଡିର ଆଗଧାଡିର ନେତା ଗିରିଶ ସାହୁ ।

ତେବେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଉପସ୍ଥିତିରେ ଏମାନେ ବିଜେପିରେ ସାମିଲ ହେବେ । ଏହାସହ ଶତାଧିକ ନେତା ଓ କର୍ମୀ ବି ବିଜେପିରେ ସାମିଲ ହେବେ । ସୁନିଲ ସିଂହଦେଓ ଗତଥର ସୁନ୍ଦରଗଡ଼ର ସଦର ବିଧାନସଭା ଆସନରୁ ଲଢି ହାରିଯାଇଥିଲେ । ସୁନୀଲ କହିଛନ୍ତି, ୧୮ ବର୍ଷରେ ବିଜେଡି ରାଜ୍ୟ ପାଇଁ କିଛି କରି ପାରିନାହିଁ । ଠିକ ସେହିଭଳି ଗିରିଶ ମଧ୍ୟ କହିଛନ୍ତି ଏଠି ଚାଲିଛି କର୍ପୋରେଟ ଶାସନ ।

ଉଲ୍ଲେଖଯୋଗ୍ୟ କି, ଗତକାଲି ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ କଂଗ୍ରେସର ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରିବାର ବିଜେପିରେ ସାମିଲ ହୋଇଥିଲେ । ଲୁଲୁଙ୍କ ପରଲୋକ ପରେ ତାଙ୍କ ସମର୍ଥକଙ୍କ ଦ୍ୱାରା ଗଢ଼ାଯାଇଥିବା ଲୁଲୁ ସେନା ମଧ୍ୟ ବିଧିବଦ୍ଧ ଭାବେ ବିଜେପିରେ ମିଶିଥିଲେ । ଲୁଲୁଙ୍କ ଭାଇ ଓ ତାଙ୍କ ଝିଅଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ହୋଇଥିଲା । ତେବେ ଲୁଲୁଙ୍କ ପରିବାର ଓ ସମର୍ଥକଙ୍କ ବିଜେପିରେ ମିଶ୍ରଣକୁ ପ୍ରଭାବୀ ଢଙ୍ଗରେ କରି ରାଜନୈତିକ ଫାଇଦା ଗୋଟାଇବାକୁ ବିଜେପି ଲକ୍ଷ୍ୟ ରଖିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।