ବିଜେପିରୁ ସମୂହ ଇସ୍ତଫା ଦେଲେ ସଂଖ୍ୟାଲଘୁ ସେଲର ସଦସ୍ୟ ! କହିଲେ, କେବଳ ରାଲି ଓ ସଭାକୁ ଟୋପି ପିନ୍ଧି ଆସିବାକୁ ଡାକୁଥିଲେ, ସଭା ସରିଲେ କଥା ସରିଲା

51

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଘର ସଜାଡୁଥିବା ବେଳେ ସଂଖ୍ୟାଲଘୁ ସେଲ୍ ପକ୍ଷରୁ ଏକ ବଡ ଝଟକା ମିଳିଛି । ଜିଲ୍ଲାରୁ ରାଜ୍ୟସ୍ତର ଯାଏଁ ସଂଖ୍ୟାଲଘୁ ସେଲର କୌଣସିି ନେତାଙ୍କୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ଆଜି ସଂଖ୍ୟାଲଘୁ ସେଲର ସଦସ୍ୟମାନେ ସମୂହ ଇସ୍ତଫା ଦେଇଛନ୍ତି । ମୋଦିଙ୍କ ସବକା ସାଥ୍ ସବକା ବିକାଶର ନାରାକୁ ଦେଖି ଆମେ ବିଜେପିରେ ମିଶିଥିଲୁ । କିନ୍ତୁ ରାଜ୍ୟ ବିଜେପିରେ ତାଙ୍କୁ ସେଭଳି ଗୁରୁତ୍ୱ ମିଳିନଥିଲା ।

ସଂଖ୍ୟାଲଘୁ ସେଲର ନେତାଙ୍କ କହିବା ଅନୁଯାୟୀ, ସାଢ଼େ ୩ ବର୍ଷ ମଧ୍ୟରେ ମାତ୍ର ଗୋଟିଏ ସଭା କରି ଦେଇ ଚୁପ ବସି ଯାଇଛନ୍ତି ରାଜ୍ୟ ନେତୃବୃନ୍ଦ । କେବଳ ରାଲି ଓ ସଭା ହେଲେ ତାଙ୍କୁ ଟୋପି ପିନ୍ଧି ଆସିବାକୁ କୁହାଯାଏ । ସଭା ସରିଲେ ତାଙ୍କୁ କେହି ପଚାରନ୍ତି ନାହିଁ । ଏପରିକି ତାଙ୍କ ପାଇଁ ଏକ ଅଫିସ ମଧ୍ୟ ନାହିଁ ତେଣୁ ସଭା କିମ୍ବା ରାଲି ହେଲେ ତାଙ୍କୁ ବାର ଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡ଼ିଥାଏ ବୋଲି ଅଭିଯୋଗ ଆଣିଛନ୍ତି ସଂଖ୍ୟା ଲଘୁ ସେଲର ନେତା । ଯଦି ଏନେଇ ତୁରନ୍ତ ପଦକ୍ଷେପ ନିଆନଯାଏ, ତେବେ ଆଗମୀ ଦିନରେ ଆହୁରି କଠୋର ନିଷ୍ପତି ନିଆଯିବ ବୋଲି ସଂଖ୍ୟା ଲଘୁ ସେଲ ପକ୍ଷରୁ କୁହାଯାଇଛି । ଏହି ସଦସ୍ୟମାନଙ୍କୁ ନେଇ ଆଗାମୀ ଦିନରେ ଏକ ବୈଠକ ବସୁଛି । ଯେଉଁଠି ସଦସ୍ୟଙ୍କ ପରବର୍ତୀ ପଦକ୍ଷେପ ନେଇ ନିଷ୍ପତି ହେବ ।