ମିଶନ ୧୨୦ ପାଇଁ ବିଜେପିର ମନ୍ତ୍ରଣା ଓ ମାନସମନ୍ଥନ : ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ନେତୃବନ୍ଦଙ୍କୁ ନେଇ ବିସ୍ତୃତ ଆଲୋଚନା,୨୦୧୯ ରଣନୀତି ଉପରେ ଫୋକସ୍

21

କନକ ବ୍ୟୁରୋ : ମିଶନ ୧୨୦ପ୍ଲସ ପାଇଁ ବିଜେପି କରିବ ମହାଆନ୍ଦୋଳନ । ରୁଦ୍ଧଦ୍ୱାର ବୈଠକରେ ଏକାଠି ବସି ନିଷ୍ପତ୍ତି ନେଲେ ରାଜ୍ୟ ବିଜେପିର ତୁଙ୍ଗ ନେତୃବୃନ୍ଦ । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ହାଇଜାକ କରୁଥିବା ଅଭିଯୋଗ ଫର୍ଦ୍ଦ ଧରି ଲୋକଙ୍କ ପାଖକୁ ଯିବେ । ଏହା ସହିତ ରାଷ୍ଟ୍ରିୟ ଅଧ୍ୟକ୍ଷ ଦେଇଥିବା ଟାସ୍କକୁ କେମିତି ଶୀଘ୍ର ଫଳପ୍ରସୂ କରାଯିବ ସେ ନେଇ ଖସଡା ମଧ୍ୟ ତିଆରି କଲେ ।

କିଛି ଦିନ ତଳେ ନିଜେ ଅମିତ ଶାହା ଓଡିଶା ଆସି ନିଜେ ଦେଇଥିବା କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ । ସୂଚନା ଅନୁସାରେ ରାଜ୍ୟ ବିଜେପିର ପ୍ରୋଗ୍ରେସ ରିପୋର୍ଟରେ ସନ୍ତୁଷ୍ଟ ନଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେଣୁ ତୁରନ୍ତ ଟାସ୍କ ସାରି ଅନ୍ତିମ ରିପୋର୍ଟ ଦାଖଲ କରିବାକୁ ତାଗିଦ ମଧ୍ୟ କରିଥିଲେ । ଏପଟେ ବିଜେପି ଅଭିଯୋଗର ଉତ୍ତର ରଖିଛି ବିଜେଡି । କେନ୍ଦ୍ରୀୟ ଯୋଜନାକୁ ହଡପ କରାଯିବା ଅଭିଯୋଗ ନେଇ କେନ୍ଦ୍ର ସରକାରଙ୍କ ପାଖରେ ଫେରାଦ ହେବାକୁ ଦେଇଛି ପରାମର୍ଶ ।

ବୁଥ ସ୍ତରରୁ ସଂଗଠନ ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଅମିତ ଶାହ । କିନ୍ତୁ ସୁଚନା ଅନୁସାରେ ରାଜ୍ୟରେ ଥିବା ୩୬ ହଜାର ବୁଥରୁ ୨୨ହଜାର ବୁଥକୁ ଯାଇପାରିଛି ବିଜେପି । ତେଣୁ ଆଗାମୀ ୧୮ରୁ ହେବାକୁ ଥିବା ଜାତୀୟ କାର୍ଯ୍ୟକାରୀଣୀ ପୂର୍ବରୁ ସମସ୍ତ ଟାସ୍କ ଶେଷ କରି କେନ୍ଦ୍ରକୁ ରିପୋର୍ଟ ଦେବାକୁ ନିଷ୍ପତି ନେଇଛି ରାଜ୍ୟ ବିଜେପି ।