ସପା-ବସପା ମେଂଟକୁ ମୁକାବିଲା ପାଇଁ ବିଜେପିର ନୂଆ ରଣନୀତି ! ଉତ୍ତରପ୍ରଦେଶରେ ସବୁ ମନ୍ଦିର ଓ ଆଶ୍ରମର ତାଲିକା ସଂଗ୍ରହ କଲା ବିଜେପି

31

କନକ ବ୍ୟୁରୋ : ସପା-ବସପା ମେଂଟକୁ ମାତ୍ ଦେବାକୁ ବିଜେପିର ମନ୍ଦିର ପ୍ଲାନ୍ । ଉତ୍ତରପ୍ରଦେଶରେ ମାୟାବତୀ-ଅଖିଳେଶଙ୍କ ମିଳିତ ଶକ୍ତିକୁ ମୁକାବିଲା କରିବା ପାଇଁ ବିଜେପି କରୁଛି ନୂଆ ରଣନୀତି । ଏହି ରଣନୀତି ଅନୁଯାୟୀ ବିଜେପି ଏକ ଫର୍ମ ପ୍ରସ୍ତୁତ କରିଛି । ଯାହାକୁ ରାଜ୍ୟର ୧ ଲକ୍ଷ ୪୦ ହଜାର ବୁଥ୍ ଇନଚାର୍ଜଙ୍କୁ ଦିଆଯାଇଛି । ଏହି ଫର୍ମରେ ମନ୍ଦିର ଓ ବିଭିନ୍ନ ଧାର୍ମିକ ସ୍ଥଳର ନାମ, ସ୍ଥାନ, ପ୍ରସିଦ୍ଧ ପୂଜାରୀ ଓ ସେମାନଙ୍କ ମୋବାଇଲ ନମ୍ବର ଭରିବାକୁ ପଡିବ । ଏହିସବୁ ପୂଜାରୀମାନଙ୍କ ଦ୍ୱାରା ମନ୍ଦିର କିମ୍ବା ମଠ ସହ ଯୋଡି ହୋଇ ରହିଥିବା ଶ୍ରଦ୍ଧାଳୁଙ୍କ ପାଖରେ ପହଂଚିବା ଏହି ଫର୍ମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି ।

ଉତ୍ତରପ୍ରଦେଶରେ ଲୋକସଭା ଆସନ ସଂଖ୍ୟା ହେଉଛି ୮୦ । ତେଣୁ ୨୦୧୪ ଭଳି ଉତ୍ତରପ୍ରଦେଶରେ ବିପୁଳ ବିଜୟ ଲକ୍ଷ୍ୟରେ ଆଗାମୀ ନିର୍ବାଚନ ଜିତିବା ପାଇଁ ହିନ୍ଦୁ ଭୋଟ୍ ଗୁଡିକୁ ହାତେଇବା ପାଇଁ ବିଜେପି ଏପରି ଯୋଜନା ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ, ଏସସି ଏବଂ ଓବିସି ଭୋଟରଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ମଧ୍ୟ ବୁଥ୍ ସ୍ତରୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛି ବିଜେପି । ଏହା ସହ ପ୍ରତି ବୁଥ୍ ସ୍ତରରେ ଭୋଟକୁ ପ୍ରଭାବିତ କରିପାରୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ମୋବାଇଲ ନମ୍ବର ସଂଗ୍ରହ କରାଯାଉଛି । କୁହାଯାଉଛି, ସମାଜବାଦୀ ପାର୍ଟି ଓ ବିଏସପିର ମେଂଟ ବିଜେପିର ଚିନ୍ତା ବଢାଇ ଦେଇଛି । ଆଉ ଏହାକୁ ମୁକାବିଲା କରିବା ପାଇଁ ଧର୍ମ ଓ ଜାତି ଆଧାରରେ ଭୋଟ୍ ସଂଗ୍ରହ ପାଇଁ ଦଳ ଜୋରଦାର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛି ।