ଖସୁଛି ବିଜେପି, ଝଲସୁଛନ୍ତି ବିରୋଧୀ ! ୨୮୨ରୁ ୨୭୩ର ଯାତ୍ରା

34

ଖସୁଛି ବିଜେପି, ହସୁଛନ୍ତି ବିରୋଧୀ । ବିଭିନ୍ନ ରାଜ୍ୟରେ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଲାଗିଛି ବଡ଼ ଝଟକା । ୪ଟି ଆସନରେ ନିର୍ବାଚନ ହୋଇଥିବା ବେଳେ ମାତ୍ର ଗୋଟିଏରେ ବିଜୟ ହାସଲ କରିଛି ବିଜେପି । ଖାସକରି କୈରାନା ଓ ଭଣ୍ଡାରା ଗୋଦିଆ ଆସନ ବିଜେପି ହାତରୁ ଖସି ଯାଇଛି । ଉପନିର୍ବାଚନରେ ହାରିବା ବିଜେପି ପାଇଁ କିଛି ନୂଆ କଥା ନୁହେଁ । ୨୦୧୪ ସାଧାରଣ ନିର୍ବାଚନ ପରେ ଉପନିର୍ବାଚନରେ ଲଗାତାର ପରାଜୟ ବରଣ କରି ଆସୁଛି ବିଜେପି । ଯାହା ବିଜେପିର ୨୦୧୯ ନିର୍ବାଚନକୁ ନେଇ ବିଜେପି ଦେଖୁ୍ଥିବା ସ୍ୱପ୍ନରେ କିଛି ମାତ୍ରାରେ ବ୍ରେକ ଲଗାଇଛି ।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ୨୦୧୪ ସାଧାରଣ ନିର୍ବାଚନରେ ଜଲୱା ଦେଖାଇଥିଲା ବିଜେପି । ଦେଶରେ ୨୮୨ଟି ଆସନରେ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇଥିଲା ଗେରୁଆ ଦଳ । ୧୯୮୪ ପରେ ପ୍ରଥମ ଦଳ ଭାବେ ଦୀର୍ଘ ୩୦ ବର୍ଷ ପରେ ଏକାକୀ ବହୁମତ ହାସଲ କରିବା ସହ ସରକାର ଗଢ଼ିବାକୁ ସକ୍ଷମ ହୋଇଥିଲା । ଆଉ ଏହାପରେ ପ୍ରତି ରାଜ୍ୟରେ ଗେରୁଆ ବାନା ଉଡ଼ାଇବାକୁ ଯେପରି ପଣ କରି ନେଇଥିଲେ ମୋଦି-ଶାହା ଯୋଡ଼ି । ସ୍ୱତନ୍ତ୍ର ରଣନୀତି ଯୋଗୁଁ ପ୍ରତି ରାଜ୍ୟରେ ବିଜେପିର ବିଜୟ ରଥ ଦୌଡ଼ିବା ଆରମ୍ଭ କରିଥିଲା । ଦେଶର କିଛି ରାଜ୍ୟ ଛାଡ଼ି ଦେଲେ ବାକି ରାଜ୍ୟରେ ପଦ୍ମ ଫୁଟାଇବାରେ ସକ୍ଷମ ହୋଇଥିଲେ ଅମିତ-ମୋଦି ଯୋଡ଼ି । ଏହା ଭିତରେ ମୋଦି ସରକାରକୁ ୪ ବର୍ଷ ପୁରିଛି । କିନ୍ତୁ ଏହି ୪ ବର୍ଷ ମଧ୍ୟରେ ମୋଦି ସରକାରକୁ ଲୋକସଭା ଆସନ ଗୁଡ଼ିକରେ ଲାଗିଛି ବଡ଼ ଝଟକା । ୨୦୧୪ରେ ୨୮୨ ଆସନ ଜିତିଥିବା ବିଜେପି ୨୦୧୮ରେ ୨୭୩କୁ ଖସି ଆସିଛି ।

୨୦୧୪ରେ ମୋଦି ସରକାର ଗଠନ ହେବା ପରେ ୨୭ଟି ସିଟରେ ଉପନିର୍ବାଚନ ହୋଇଛି । ଯେଉଁଥିରେ ୧୪ଟି ସିଟ ବିଜେପି କବଜା କରିଥିଲେ ମଧ୍ୟ ଏବେ ହୋଇଥିବା ଉପନିର୍ବାଚନରେ ମାତ୍ର ୫ଟି ସିଟରେ ବିଜୟୀ ହେବାରେ ସକ୍ଷମ ହୋଇଛି । ବାକି ୯ଟି ସିଟରେ ମାତ ଖାଇଛି ବିଜେପି । ଏପରିକି ନିଜ ଗଡ଼ରେ ପରାଜୟ ବରଣ କରିଛି ବିଜେପି । ଯାହାଦ୍ୱାରା ଲୋକସଭାରେ ବିଜେପିର ସଂଖ୍ୟା ୨୮୨ରୁ ହ୍ରାସ ପାଇ ୨୭୩ରେ ପହଞ୍ଚିଛି । ଖାସକରି ଗୋରଖପୁର ଓ ଫୁଲପୁରରେ ବିଜେପିର ପରାଜୟ ବିଜେପି ଦେଇଥିଲା ଶକ୍ତ ଧକ୍କା । କାରଣ ଏହି ଦୁଇ ଆସନରୁ ବିଜେପିର ଗଡ଼ ଥିଲା । ଗୋରଖପୁର ଆସନରୁ ଲଗାତାର ଭାବେ ଯୋଗୀ ଆଦିତ୍ୟନାଥ ବିଜୟୀ ହୋଇ ଆସୁଥିବା ବେଳେ ଫୁଲପୁର ଆସନଟି କେଶବ ପ୍ରସାଦ ମୌର୍ଯ୍ୟଙ୍କ ପାଇଁ ସବୁଠୁ ସୁରକ୍ଷିତ ଆସନ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଏହି ଦୁହେଁ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏଠାରେ ହୋଇଥିବା ଉପ ନିର୍ବାଚନରେ ଜଲୱା ଦେଖାଇଥିଲେ ସପା ଓ ବସପା ।