ବିଜେପି ନେତାଙ୍କ ଗଳା ଖରାପ ହେଲେ ବି ତାହା ପାଇଁ ଦାୟୀ ହେବେ ଜବାହାରଲାଲ ନେହେରୁ : କଂଗ୍ରେସ

ଶାହାଙ୍କ ମନ୍ତବ୍ୟପରେ ରାଜନୀତି ଜୋର ଧରିଛି

120

କନକ ବ୍ୟୁରୋ : କାଶ୍ମୀରରେ ବର୍ତମାନ ଯେପରି ଭାବରେ ସମସ୍ୟା ଦେଖାଯାଉଛି ତାହା ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପାଇଁ ହେଉଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି । ତେବେ ଶାହାଙ୍କ ଏହି ମନ୍ତବ୍ୟପରେ ରାଜନୀତି ଜୋର ଧରିଛି । ମିଳିଥିବା ସୂଚନା ଅନୁସାରେ, ଶାହାଙ୍କ ଏପରି ମନ୍ତବ୍ୟ ପରେ କଂଗ୍ରେସ ନେତା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏବଂ କହିଛନ୍ତି ଯେ, ବର୍ତମାନ କେନ୍ଦ୍ରରେ ଥିବା ସରକାର ତଥା ବିଜେପି ନେତାଙ୍କ ଗଳା ବି ଖରାପ ହେଲେ ତାହା ପାଇଁ ନେହେରୁ ଦାୟୀ ବୋଲି ସେମାନେ କହିବେ । ଏହା ସହ କଂଗ୍ରେସ ଅଭିଯୋଗ କରିଛି ଯେ, କାଶ୍ମୀରରେ ଦେଖାଯାଉଥିବା ଅସ୍ଥିରତା ପାଇଁ ବିଜେପି ଦାୟୀ ।

କଂଗ୍ରେସ ମୁଖପାତ୍ର ମନୀଷ ତିୱାରୀ କହିଛନ୍ତି ଯେ, ବିଜେପି ପ୍ରତ୍ୟେକ କଥା କଂଗ୍ରେସ ନେତାଙ୍କୁ ଦାୟୀ କରୁଛି । ତେବେ ଆଜି ଯଦି କାଶ୍ମୀରରେ ଏପରି ପରିସ୍ଥିତି ଦେଖାଯାଇଛି ତାହା ପାଇଁ ବିଜେପି ହିଁ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଡିପି ସହ ମେଣ୍ଟ ହେବା ପରେ ଏଭଳି ପରିସ୍ଥିତି ଉପୁଜିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୫ ମସିହାରେ ଯେବେ ନିର୍ବାଚନ ହୋଇଥିଲା ସେହି ସମୟରେ ୬୪ ପ୍ରତିଶତ ଲୋକ ନିଜର ମତାମତ ଦେଇଥିଲେ । ଏହପରେ ଯେଉଁ ସମୟରେ ଶ୍ରୀନଗର ଲୋକସଭା ନିର୍ବାଚନ ହେଲା ସେହି ସମୟରେ ମାତ୍ର ୭ ପ୍ରତିଶତ ଲୋକ ଭୋଟ ଦାନ କରିଥିଲେ ।

ବର୍ତମାନ ସରକାରରେ ଥିବା ଦଳ ଅନନ୍ତନାଗରେ ବର୍ତମାନ ସୁଦ୍ଧା ଉପନିର୍ବାଚନ କରିପାରିଲେ ନାହିଁ । କିନ୍ତୁ ବର୍ତମାନର ସରକାର ଆଉ ତାଙ୍କ ନେତା ଏପରି ଭାବରେ କଂଗ୍ରେସକୁ ପ୍ରତ୍ୟେକ କଥାରେ ଦୋଷାରୋପ କରିବା ଠିକ ନୁହେଁ ବୋଲି ମନୀଷ କହିଛନ୍ତି । କାଶ୍ମୀର ପ୍ରସଙ୍ଗରେ କଂଗ୍ରେସ ନୁହେଁ ବରଂ ବିଜେପି ଦାୟୀ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ଅମିତ ଶାହା ଏକ ସାଧାରଣ ସଭାରେ କହିଥିଲେ ଯେ, ଆଜି କାଶ୍ମୀରରେ ଯେପରି ଭାବରେ ଅସ୍ଥିରତା ଦେଖାଯାଇଛି ତାହାର ଜନକ ହେଉଛନ୍ତି ନେହେରୁ । ଏବଂ ଶାହା ଆହୁରି ମଧ୍ୟ କହିଥିଲେ ଯେ, ସେହି ସମୟରେ ଯଦି ସର୍ଦ୍ଦାର ପଟେଲ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ ତେବେ ଆଜି ଆମ ଦେଶକୁ ଏହି ଦିନ ଦେଖିବା ପାଇଁ ପଡି ନଥାଆନ୍ତା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବୟାନ ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।