ପଦ୍ମ ଦଳର ପଂଚାୟତ ପ୍ଲାନ : କେଭି, ବିଜୟ ଓ ଦିଲ୍ଲୀପଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

13

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ସୁନ୍ଦରଗଡରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସ୍କିପ୍ କଲେ ଦଳର ବରିଷ୍ଠ ନେତା । ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂଦେଓ, ବରିଷ୍ଠ ନେତା ବିଜୟ ମହାପାତ୍ର ଓ ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ଅନୁପସ୍ଥିତି ଦଳୀୟ କନ୍ଦଳକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି । ଏପରିକି ଦଳରେ ଅଣ ଆରଏସଏସ ନେତାଙ୍କୁ କ୍ରମାଗତ ଅଣଦଖୋ କରାଯାଉଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି । ଏମାନଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସଫେଇ ଦେଇଛନ୍ତି ଯେ, ଦିଲ୍ଲୀପ ରାୟ ଗ୍ୟାଙ୍ଗଟକ ଓ କନକବର୍ଦ୍ଧନ ଦିଲ୍ଲୀ ଯାଇଥିବାବେଳେ ବିଜୟ ମହାପାତ୍ର ଅନ୍ୟତ୍ର ବ୍ୟସ୍ତ ଥିବାରୁ କାର୍ଯ୍ୟକାରିଣୀ ଓ ଦଳର ପଦାଧିକାରୀ ବୈଠକରେ ଯୋଗ ଦେଇପାରି ନାହାନ୍ତି ।

ସମ୍ବଲପୁରର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ବୈଠକରୁ ଦୂରେଇ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରତି ପାଳନ ହେଉନଥିବା ଦର୍ଶାଇ ପ୍ରଥମେ ଦିଲ୍ଲୀପ ରାୟ ରାଉରକେଲା ଉତ୍ସବରୁ ଦୂରେଇ ରହିଥିଲେ । ଏହାପରେ ଦଳର ଏହି ତୁଙ୍ଗ ନେତାମାନେ ବ୍ୟକ୍ତିଗତ କାରଣର ଆଳ କରି ଜୁନ୍ ୧୦ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ବିକାଶ ଉତ୍ସବରୁ ଦୂରେଇ ରହିଲେ । ଆଉ ଏବେ ସୁନ୍ଦରଗଡ ସମାବେଶରୁ ଦୂରେଇ ରହିବା ଅନେକ କଳ୍ପନା ଜଳ୍ପନା ସୃଷ୍ଟି କରିଛି ।