ବିଜେପି ନେତାଙ୍କ ଦାବି । ବଦଳାଯାଉ ରାଜଧାନୀ ‘ଦିଲ୍ଲୀ’ର ନାମ ଓ କାଗଜପତ୍ରରୁ ହଟାଯାଉ ‘INDIA’ ଶବ୍ଦ

97

ଏବେ ଦେଶର କିଛି ସହର ଓ ସଡକର ନାମ ସରକାରଙ୍କ ପକ୍ଷରୁ ବଦଳାଯାଇଛି । ଏପରିକି ବିଭିନ୍ନ ରେଲୱେ ଷ୍ଟେସନର ନାମ ମଧ୍ୟ ବଦଳିସାରିଛି । ଦିଲ୍ଲୀରେ ଔରଙ୍ଗଜେବ ସଡକର ନାମ ବଦଳାଯାଇ ଏପିଜେ ଅବଦୁଲ କଲାମ ରୋଡ କରାଯାଇଥିବା ବେଳେ ହରିୟାଣାରେ ଗୁଡଗାଓଁର ନାମ ପରିବର୍ତ୍ତନ କରାଯାଇ ଗୁରୁଗ୍ରାମ କରାଯାଇଛି । ଆଉ ଏସବୁ ଭିତରେ ଏବେ ଜଣେ ବିଜେପି ନେତା ରାଜଧାନୀ ଦିଲ୍ଲୀର ନାଁ ପରିବର୍ତ୍ତନ କରି ଇ୍ଦ୍ରପ୍ରସ୍ଥ ଓ ସରକାରୀ କାଗଜପତ୍ରରେ ସମ୍ବିଧାନର ଅନୁଚ୍ଛେଦ ୧ ଅନୁଯାୟୀ ଦେଶର ନାଁ ଇଣ୍ଡିଆ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ବିଜେପି ନେତା ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଅଶ୍ୱିନ ଉପାଧ୍ୟାୟ ଯେଉଁ ସହର ଓ ସଡକ ଗୁଡିକର ନାଁ ପରିବର୍ତ୍ତନ କରାଯିବ ତାହାର ତାଲିକା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଅଶ୍ୱିନଙ୍କ ଅନୁଯାୟୀ, ଦୀର୍ଘ ଦିନ ହେବ ଭାରତ ବିଦେଶ ଆକ୍ରମଣକାରୀଙ୍କ ଠାରୁ ମୁକ୍ତ ହୋଇ ସ୍ୱାଧୀନ ଦେଶ ଭାବେ ଆଗକୁ ବଢୁଛି । କିନ୍ତୁ ଏବେ ମଧ୍ୟ ସେହି ବିଦେଶ ଆକ୍ରମଣକାରୀଙ୍କ ନାମାନୁସାରେ ବିଭିନ୍ନ ସଡକ, ସହର ରହିଛି । ଯାହା ରହିବା ଆଦୌ ଉଚିତ ନୁହେଁ । ବରଂ ଏହି ନାଁକୁ ପରିବର୍ତ୍ତନ କରି ପ୍ରାଚୀନ ସମୟରେ ଏହି ସ୍ଥାନ ଗୁଡିକର ନାଁ ଯାହା ରହିଥିଲା ତାହକୁ ପୁଣିଥରେ ସରକାରୀସ୍ତରରେ ଲାଗୁ କରିବାକୁ କହିଛନ୍ତି । ଯେପରିକି ଇଣ୍ଡିଆ ଗେଟର ନାମ ଭାରତ ଦ୍ୱାର, ରାଜପଥର ନାଁ ଧର୍ମପଥ କରିବାକୁ ସେ ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହାଛଡା ଇଣ୍ଡିଆ ଗେଟ ଆଖପାଖ ଅଞ୍ଚଳରେ ଥିବା ପ୍ରମୁଖ ରାସ୍ତା ଗୁଡିକର ନାମ ମଧ୍ୟ ଭଗବାନ କୃଷ୍ଣ, ବଳରାମ, ଯୁଧିଷ୍ଠର, ଅର୍ଜୁନ ଓ ଅନ୍ୟ ପାଣ୍ଡବଙ୍କ ନାଁରେ କରିବାକୁ ଦାବି କରିଛନ୍ତି ।

ଅଶ୍ୱିନଙ୍କ ତାଲିକାରେ ଏଭଳି କିଛି ସହର କିମ୍ବା ରାଜ୍ୟର ରାଜଧାନୀର ନାଁ ସ୍ଥାନ ପାଇଛି ଯାହାକୁ ମୋଗଲ ଶାସକ ମାନେ ପରିବର୍ତ୍ତନ କରିଥିବା ସେ କହିଛନ୍ତି । ହାଇଦ୍ରାବାଦ, ଅହମ୍ମଦାବାଦ, ଅହମ୍ମଦନଗର, ଭୋପାଳ, ପାଟନା, କରିମାବାଦ, ମୁଜଫରନଗର, ଆଜମେର, ଆଲିଗଡ ଭଳି ସହର ଗୁଡିକର ନାଁ ମୋଗଲ ଶାସକ ମାନେ ଦେଇଛନ୍ତି । ମୋଗଲ ଶାସନ ପୂର୍ବରୁ ଏହି ସହର ଗୁଡିକର ନାଁ ଅନ୍ୟ କିଛି ଥିଲା । ତେଣୁ ୧୯୯୬ରେ ମଦ୍ରାସରୁ ଚେନ୍ନାଇ, ୨୦୦୭ରେ ବଙ୍ଗାଲୁରରୁ ବେଙ୍ଗାଲୁର, ୨୦୧୬ରେ ଗୁଡଗାଓଁରୁ ଗୁରୁଗ୍ରାମ ପରିବର୍ତ୍ତନ କରାଯାଇଛି । ଠିକ୍ ସେହି ଆଧାରରେ ଦିଲ୍ଲୀର ନାମ ପରିବର୍ତ୍ତନ କରି ଇନ୍ଦ୍ରପ୍ରସ୍ଥ କରିବାକୁ ସେ ଦାବି କରିଛନ୍ତି । କାରଣ ପାଣ୍ଡବଙ୍କ ସମୟରେ ଏହା ଇନ୍ଦ୍ରପ୍ରସ୍ଥ ଭାବେ ଜଣାଥିଲା ।

ଅଶ୍ୱିନଙ୍କ କହିବା ଅନୁଯାୟୀ, ଇଣ୍ଡିଆ ଶବ୍ଦର ଉତ୍ପତି ଇଣ୍ଡସ ଅଥାର୍ତ ସିନ୍ଧୁ ନଦୀରୁ ଆସିଛି । ଦୁନିଆର ଅଧିକାଂଶ ଦେଶର ନାଁ ସ୍ଥାନୀୟ ଭାଷା,ଧର୍ମ-ଜାତିର ପ୍ରତିନିଧିତ୍ୱ କରୁଥିବା ବେଳେ ଭାରତ ସହ ଏଭଳି ହୋଇ ନାହିଁ । ଦେଶ ପାଇଁ ଇଣ୍ଡିଆ ଶବ୍ଦ ନୂଆ । କିନ୍ତୁ ଆମ ଦେଶର ସଭ୍ୟତା ବହୁତ ପୁରୁଣା । ଏପରିକି ୧୮ ସେପ୍ଟେମ୍ବର ୧୯୪୯ରେ ଯେତେବେଳେ ସମ୍ବିଧାନ ସଭାର ବୈଠକ ହୋଇଥିଲା ସେତେବେଳେ କମଳାପତି ତ୍ରିପାଠୀ, ହେମବତୀନନ୍ଦନ ବହୁଗୁଣା ଇଣ୍ଡିଆ ନାଁକୁ ନେଇ ବିରୋଧ କରିଥିଲେ । ସେତେବେଳେ ଦେଶର ନାମକୁ ନେଇ ତର୍କ ମଧ୍ୟ ହୋଇଥିଲା ।