ରାଜ୍ୟସଭା ହିସାବ ନଜାଣି ବିଜେପି ନେତ୍ରୀଙ୍କ ବିତଣ୍ଡା ଯୁକ୍ତି ! ଅଶ୍ୱିନୀଙ୍କୁ ନେଇ ଅଡୁଆରେ ଭାଜପା

ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି

3,430

କନକ ବ୍ୟୁରୋ : ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ବିଜେଡି ତାଙ୍କୁ ସମର୍ଥନ ଘୋଷଣା କଲା ପରେ ବିଜେପି ନେତାମାନଙ୍କ ତୁଣ୍ଡ ବନ୍ଦ ହୋଇଯାଇଛି। ଗଣମାଧ୍ୟମକୁ କିପରି ପ୍ରତିକ୍ରିୟା ଦେବେ, ସେମାନେ ତାହାର କୁଳ କି ନାରା ପାଉ ନାହାନ୍ତି। କିନ୍ତୁ ଏହି ସମୟରେ ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏକ ବିତଣ୍ଡା ଯୁକ୍ତି ରାଜନୈତିକ ମହଲକୁ ଆଲୋଚନାର ଖୋରାକ ଯେଗାାଇଛି। ରାଜ୍ୟସଭାର ଭୋଟ୍ ହିସାବ ନ ଜାଣି ସେ ଏକ ଟିଭି ବିତର୍କରେ ଏପରି ଯୁକ୍ତି ବାଢ଼ିଛନ୍ତି ଯେ ତାହାକୁ ନେଇ ବିଜେପି ସମାଲୋଚନାର ଶିକାର ହେଉଛି।

କନକ ନ୍ୟୁଜ୍ ବିତର୍କରେ ଲେଖାଶ୍ରୀ ଯୁକ୍ତି ବାଢ଼ିଛନ୍ତି, ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ବାଦ୍ ବିଜେଡିର କିଛି ବାଟ ନ ଥିଲା। ବିଜେଡି ଭୋଟର ଦଳର ତୃତୀୟ ପ୍ରାର୍ଥୀ ଜିତିପାରିବେ ନାହିଁ। ଜଣେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ୪୮.୯ ଭୋଟ ଦରକାର। ତେଣୁ ଦୁଇ ଜଣ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡିର ୯୮ ବିଧାୟକଙ୍କ ଭୋଟ୍ ମିଳିଯିବ। କିନ୍ତୁ ତୃତୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ପାଖରେ ସଂଖ୍ୟା ନାହିଁ। ତେଣୁ ସେମାନେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ବାଧ୍ୟ ହୋଇଛନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ ଲେଖାଶ୍ରୀଙ୍କ ଏହି ଭୋଟ୍ ହିସାବ କେଉଁଠୁ ଆସିଲା, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଦଳର ଉଚ୍ଚ ନେତୃତ୍ବଙ୍କ ସହ ଆଲୋଚନା କରି ସେ ଏହି ହିସାବ କାଢ଼ିଛନ୍ତି ନା ମନଇଚ୍ଛା ୪୮.୯ ଭୋଟର ଏକ ହିସାବ ବାହାର କରିଛନ୍ତି, ତାହା ବୁଝା ପଡ଼ୁ ନାହିଁ।

ରାଜ୍ୟସଭା ଗଣିତ କହୁଛି, ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ୧୪୫ ସଦସ୍ୟ ଅଛନ୍ତି। ଭୋଟ୍ ହିସାବ ଅନୁଯାୟୀ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ୧୦୦। ଯଦି ସମସ୍ତ ବିଧାୟକଙ୍କ ଭୋଟ୍ ବୈଧ ରହେ, ତେବେ ମୋଟ୍ ଭୋଟ୍ ହେଉଛି ୧୪,୫୦୦। ଏହି ସଂଖ୍ୟାରେ ଖାଲି ଥିବା ଆସନରେ ୧ ମିଶାଯାଇ ହରଣ କରାଯିବ। ଯେହେତୁ ତିନିଟି ଖାଲି ଥିବା ଆସନ ପାଇଁ ତିନିଟି ଅଲଗା ବିଜ୍ଞପ୍ତି ଜାରି ହୋଇଛି, ତେଣୁ ଖାଲି ଥିବା ଆସନ ସଂଖ୍ୟା ୧ ବୋଲି ଧରାଯିବ। ସେହି ହିସାବରେ ୧୪,୫୦୦ରେ ୨ ହରଣ କରାଗଲେ ୭,୨୫୦ ହେବ। ସେଥିରେ ପୁଣି ୧ ମିଶାଯିବ।

ଫଳରେ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୭,୨୫୧ ଭୋଟ୍ ଦରକାର। ତେଣୁ ୭୩ ଜଣ ବିଧାୟକଙ୍କ ଭୋଟ୍ ପଡ଼ିଲେ ତାହା ମୂଲ୍ୟ ୭୩୦୦ ହେବ(ଜଣେ ବିଧାୟକଙ୍କ ଭୋଟ୍ ମୂଲ୍ୟ ୧୦୦ ହିସାବରେ)। ବିଧାନସଭାରେ ବିଜେଡିର ଏବେ ୧୧୧ ବିଧାୟକ ଅଛନ୍ତି। ଯେହେତୁ ପ୍ରତି ଆସନ ପାଇଁ ଅଲଗା ଅଲଗା ଭୋଟ୍ ହେବ, ତେଣୁ ଜଣେ ପ୍ରାର୍ଥୀଙ୍କୁ ବିଜେଡିରୁ ୧୧,୧୦୦ ଭୋଟ୍ ମିଳିବାରେ ଅସୁବିଧା ନାହିଁ। ସେହି ହିସାବରେ ବିଜେଡିର ପ୍ରତି ପ୍ରାର୍ଥୀ ୭୩୦୦ ଭୋଟ୍ ପାଇଁ ବିଜୟୀ ହେବାରେ କୌଣସି ସମସ୍ୟା ନାହିଁ।

ନିଜେ ମୁଖ୍ୟମନ୍ତ୍ରୀ ଗତକାଲି ସ୍ପଷ୍ଟ କରିଥିଲେ, ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବା ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କୁ ଅନୁରୋଧ କରିଥିଲେ। ସେହି ଅନୁରୋଧକୁ ରକ୍ଷା କରି ବିଜେଡି ତାଙ୍କୁ ସମର୍ଥନ ଦେଇଛି। ସଂଖ୍ୟା ଗଣିତରେ ପଛରେ ପଡ଼ିବା ଭୟରେ ନୁହେଁ, ବରଂ ମୋଦୀ ଓ ଶାହଙ୍କ ଅନୁରୋଧରେ ବିଜେଡି ଏହି ନିଷ୍ପତ୍ତି ନେଇଥିବା ନବୀନଙ୍କ ମତରୁ ସ୍ପଷ୍ଟ ହୋଇଛି। ତେଣୁ ବିଜେଡି ଦାନସୂତ୍ରରେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ଟେକି ଦେଇଛି ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ମତ ପ୍ରକାଶ ପାଇଛି। ବିଜେପି ତାହାକୁ ଦାନ ଭାବେ ଗ୍ରହଣ କରିବା ପରିବର୍ତ୍ତେ ବିତଣ୍ଡା ଯୁକ୍ତି ବାଢ଼ୁଛି ବୋଲି ଏହି ମହଲରେ ସମାଲୋଚନା ହେଉଛି।