ରାଜସ୍ଥାନରେ ବିଜେପିକୁ ଝଟକା ! କଂଗ୍ରେସରେ ସାମିଲ ହେଲେ ଯଶୋବନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ ଓ ପରିବାର

46

କନକ ବ୍ୟୁରୋ : ବିଜେପିକୁ ଝଟକା । କଂଗ୍ରେସରେ ସାମିଲ ହେଲେ ଯଶୋବନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ । ବିଜେପି ସଂସ୍ଥାପକ ସଦସ୍ୟ ରହିଥିବା ଯଶୋବନ୍ତ ସିଂହଙ୍କ ପୁରା ପରିବାର କଂଗ୍ରେସରେ ସାମିଲ ହୋଇଛନ୍ତି । ରାଜସ୍ଥାନ ମାରବାଡ ଅଂଚଳରେ ଯଶୱନ୍ତଙ୍କୁ ପରିବାରକୁ ରାଜନୀତିରେ ବେଶ ପ୍ରଭାବଶାଳୀ ଭାବେ ବିଚାର କରାଯାଏ । କିନ୍ତୁ ବର୍ତ୍ତମାନ ତାଙ୍କ ପରିବାରର ସମସ୍ତ ସଦସ୍ୟ କଂଗ୍ରେସ ସାମିଲ ହେବାକୁ ବିଜେପି ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି । କଂଗ୍ରେସରେ ସାମିଲ ହେବା ପରେ ଏକ ପ୍ରେସ କନଫରେନ୍ସ କରାଯାଇ ସବିଶେଷ ସୂଚନା ଜାରି କରାଯାଇଛି ।

ସୂଚନାଯୋଗ୍ୟ ବାଜପେୟୀ ସରକାରରେ ମନ୍ତ୍ରୀ ଥିବା ସ୍ୱର୍ଗତ ଯଶୋବନ୍ତ ସିଂଙ୍କ ପୁତ୍ର ତଥା ବାରମେର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୧୩ରେ ବିଜେପି ଟିକେଟରେ ଜିତିଥିବା ମାନବେନ୍ଦ୍ର ସିଂ ଆଜି କଂଗ୍ରେସରେ ମିଶିଛନ୍ତି । ଏହି ଅବସରରେ କଂଗ୍ରେସ ନେତା ସଚିନ ପାଇଲଟ ଓ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେଲହୋଟ ଉପସ୍ଥିତ ଥିଲେ । ମାନବେନ୍ଦ୍ର ବିଜେପି ଛାଡି କଂଗ୍ରେସରେ ମିଶିବା ଫଳରେ ତାହା ରାଜପୁତ ଭୋଟ ଆକୃଷ୍ଟ କରିବାରେ ସହାୟକ ହେବା ଆଶା କରାଯାଉଛି । କିନ୍ତୁ ସେ କଂଗ୍ରେସରେ ମିଶିବା ଦ୍ୱାରା ବିଜେପି ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି । ଗତ ସେପ୍ଟେମ୍ବର ୨୨ରେ ମାନବେନ୍ଦ୍ର ଘୋଷଣା କରିଥିଲେ ଯେ ସେ ଆତ୍ମସମ୍ମାନ ପାଇଁ ବିଜେପି ତ୍ୟାଗ କରି କଂଗ୍ରେସରେ ମିଶିବେ । କମଲ କା ଫୁଲ ବଡି ଭୁଲ ବୋଲି ସେ କହିଥିଲେ । ବିଜେପି ନେତୃତ୍ୱ ତାଙ୍କ ଚିନ୍ତା ଦୂର କରିବାକୁ ବିଫଳ ହେବା ପରେ ସେ ବାଧ୍ୟ ହୋଇ ଦଳ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ ।