ସଭାରେ ଭାଷଣରୁ ବଂଚିତ କରାଯିବା ପରେ ପ୍ରତିବାଦ କଲେ ଛବି ମାହାଳିକ: କହିଲେ, ବରିଷ୍ଠ ନେତ୍ରୀଙ୍କ ଷଡ ଯନ୍ତ୍ର ପାଇଁ ମିଳିଲା ନାହିଁ ଭାଷଣ ଦେବାକୁ ସୁଯୋଗ

27

କନକ ବ୍ୟୁରୋ: ମୟୁରଭଂଜରେ ମହିଳା ସୁରକ୍ଷା ଯାତ୍ରା ବେଳେ ଭାଷଣ ଦେବାରୁ ବଂଚିତ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଜିଲ୍ଲାର ଜଣେ ଯୁବନେତ୍ରୀ । ସେ ଅଭିଯୋଗ କରିଛନ୍ତି, ଏପରି କରି ତାଙ୍କୁ ଅପମାନିତ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କିଛି ବରିଷ୍ଠ ନେତ୍ରୀ । ଏପରିକି ପ୍ରତିବାଦ କରିବାରୁ ତାଙ୍କୁ ରାତି ଅଧରେ କାର୍ଯ୍ୟସ୍ଥଳ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ଅଭିଯୋଗ ଉଠାଇଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ପଦାଧିକାରୀଙ୍କ ନିକଟରେ ସେ ଫେରାଦ ହୋଇଛନ୍ତି ।

ମହିଳାଙ୍କ ସୁରକ୍ଷା ପାଇଁ ଯାତ୍ରା, ହେଲେ ଜଣେ ଯୁବନେତ୍ରୀଙ୍କୁ ଅସୁରକ୍ଷିତ ଭାବେ ରାତି ଅଧରେ କାର୍ଯ୍ୟ ସ୍ଥଳ ଛାଡି ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା ଓ ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଆଦିବାସୀ ଯୁବନେତ୍ରୀ ଛବି ମାହାଲି ।

ମୟୂରଭଞ୍ଜରେ ମହିଳା ସୁରକ୍ଷା ଯାତ୍ରା ଚାଲିଥିବା ବେଳେ ମହିଳା ମୋର୍ଚ୍ଚା ଭିତରେ ଚାଲିଥିବା ଏଭଳି କନ୍ଦଳ ପଦାକୁ ଆସିଛି । ଛବି ମାହାଲି ଅଭିଯୋଗ କରିଛନ୍ତି, ତାଙ୍କ ଜିଲ୍ଲାରେ ହେଉଥିବା ସଭାରେ ଭାଷଣ ଦେବାକୁ ଲେଖାଶ୍ରୀ ସାମନ୍ତ ସିଂହାର ତାଙ୍କୁ ନଡାକିବାରୁ ସେ ଏହାର ପ୍ରତିବାଦ କରିଥିଲେ । ସେଥିପାଇଁ ତାଙ୍କୁ ରାତି ଅଧରେ ସ୍ଥାନ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତାଙ୍କ ନିକଟରେ ଛବି ଫେରାଦ ହୋଇଛନ୍ତି ।  ସୁରକ୍ଷା ଯାତ୍ରାରୁ ତାଙ୍କୁ ଦୂରେଇ ରଖିବା ପାଇଁ କିଛି ମହିଳା ନେତ୍ରୀ ଷଡଯନ୍ତ୍ର କରିଥିବା ଛବି ଅଭିଯୋଗ କରିଛନ୍ତି । ତେବେ ଏ ନେଇ ପ୍ରଭାତୀ ପରିଡ଼ା ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।