ପଦାରେ ପଡିଲା ଓଡ଼ିଶା ବିଜେପି ମହିଳା ନେତ୍ରୀଙ୍କ କଳି ! ରାତି ଅଧରେ ସୁରକ୍ଷା ଯାତ୍ରା ଛାଡି ଚାଲିଯିବାକୁ ଆଦିବାସୀ ନେତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଭାତୀ ପରିଡା

62

କନକ ବ୍ୟୁରୋ : ପଦାରେ ପଡିଲା ବିଜେପି ମହିଳା ନେତ୍ରୀଙ୍କ କଳି । ମୟୂରଭଞ୍ଜର ଆଦିବାସୀ ନେତ୍ରୀ ଭାବେ ପରିଚିତ ଛବି ମାହାଲିଙ୍କୁ ବାରିପଦାରେ ରାତି ଅଧରେ ମହିଳା ସୁରକ୍ଷା ଯାତ୍ରା ଛାଡି ଚାଲିଯିବା ପାଇଁ ସଭାନେତ୍ରୀ ପ୍ରଭାତୀ ପରିଡା ନିର୍ଦ୍ଦେଶ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ପାଇଁ ବିଜେପି ମହିଳା ମୋର୍ଚା ବାହାର କରିଛି ମହିଳା ସୁରକ୍ଷା ଯାତ୍ରା । ହେଲେ ସେ ଜଣେ ମହିଳା ହୋଇଥିଲେ ମଧ୍ୟ ରାତି ଅଧରେ ତାଙ୍କୁ କିଭଳି ଏକାକି ଛାଡି ଚାଲିଯିବା ପାଇଁ କୁହାଗଲା , ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦଳର ଉଚ୍ଚ ପଦାଧିକାରୀଙ୍କୁ ସେ ଏନେଇ ପତ୍ର ଲେଖିଛନ୍ତି ।

ସୁରକ୍ଷା ଯାତ୍ରାବେଳେ ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଚିଠିରେ ଲେଖିଛନ୍ତି । କହିଛନ୍ତି ଜଣଙ୍କ ଅହଙ୍କାର ପାଇଁ ତାଙ୍କ ଭଳି ଜଣେ ଆଦିବାସୀ ନେତ୍ରୀଙ୍କୁ ନିଜ ଜିଲ୍ଲାରେ ଅପମାନିତ କରାଯାଇଛି । ସେ ଏହାକୁ ବରଦାସ୍ତ କରିବେ ନାହିଁ । ଏହାର ଦୃଢ଼ ପ୍ରତିବାଦ କରୁଛନ୍ତି । ଏପରିକି ସୁରକ୍ଷା ଯାତ୍ରାରୁ ତାଙ୍କୁ ଦୂରେଇ ରଖିବା ପାଇଁ କିଛି ମହିଳା ନେତ୍ରୀ ଷଡଯନ୍ତ୍ର କରିଥିବା କଥାକୁ ମଧ୍ୟ ଛବି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ମୟୁରଭଞ୍ଜ ବାରିପଦାରେ ସୁରକ୍ଷାଯାତ୍ରା ଚାଲିଥିବାବେଳେ ଏହି ଘଟଣା ଘଟିଥିବା ଘଟିଛି । ଏହି ଘଟଣା ବିଜେପି ମହିଳା ମୋର୍ଚ୍ଚା ଭିତରେ ଚାଲିଥିବା କନ୍ଦଳକୁ ପଦାରେ ପକାଇଛି ।

ଛବି ମାହାଲି ଜଣେ ଆଦିବାସୀ ନେତ୍ରୀ ଭାବେ ଜଣାଶୁଣା । ପୂର୍ବରୁ ସେ ଆମ ଆଦମୀ ପାର୍ଟିର ଓଡ଼ିଶା ମହିଳା ଶାଖାର ସଭାନେତ୍ରୀ ଥିଲେ । ପରେ ବିଜେପିରେ ଯୋଗ ଦେଇଥିଲେ । ଖୁବ କମ ଦିନ ମଧ୍ୟରେ ବିଜେପି ନେତ୍ରୀ ଭାବେ ବେଶ ସକ୍ରିୟ ରହିଛନ୍ତି ଛବି । ଯାହାକୁ ବିଜେପି ମହିଳା ମୋର୍ଚ୍ଚାର କିଛି ସଦସ୍ୟ ସହ୍ୟ କରି ପାରୁନାହାନ୍ତି । ତେଣୁ ତାଙ୍କୁ ଜାଣିଶୁଣି ଅପମାନିତ କରାଯାଉଛି ବୋଲି ଅଭିଯୋଗ କରୁଛନ୍ତି ଛବି ।