ଜନତା ଅଦାଲତରେ ବିଜେପି ମାଗିବ ଜବାବ । ବିଜେଡି କହିଲା, ଲୋକଙ୍କ ମନରେ ଥିବା ଚାର୍ଜସିଟର ପ୍ରଥମେ ଜବାବ ରଖୁ ଦଳ ।

ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୨୧ ସଂସଦୀୟ କ୍ଷେତ୍ରରେ ବିଜେଡି ବିରୋଧରେ ଦୁର୍ନୀତି ଚାର୍ଜସିଟ୍ ଜନତାଙ୍କ ସମ୍ମୁଖକୁ ଆଣିବ ବିଜେପି

183

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସିଲେ ବିଜେଡି ବିରୋଧରେ ଗର୍ଜୁଛି ବିଜେପି । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବିଜେଡିକୁ ନିଶାନା କରିବା ପାଇଁ ବିଜେପିର ସ୍ୱତନ୍ତ୍ରଣ ରଣନୀତି । ତେଣୁ ପୁଣି ବିଜେଡି ବିରୋଧରେ ବର୍ଷି ଲୋକଙ୍କ ନିକଟତର ହେବାପାଇଁ ଆଉ ଏକ କାର୍ଯ୍ୟକ୍ରମ ‘ଜନ ଅଦାଲତ’ ଆରମ୍ଭ କରିଛି ବିଜେପି । ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୨୧ ସଂସଦୀୟ କ୍ଷେତ୍ରରେ ବିଜେଡି ବିରୋଧରେ ଦୁର୍ନୀତି ଚାର୍ଜସିଟ୍ ଜନତାଙ୍କ ସମ୍ମୁଖକୁ ଆଣିବ ବିଜେପି ବୋଲି କହିଛନ୍ତି ରାଜ୍ୟ ବିଜେପି ଉପ-ସଭାପତି ସମୀର ମହାନ୍ତି ।

ରାଜ୍ୟରେ ୧୯ ବର୍ଷ ଧରି ନିରକୁଂଶ କ୍ଷମତା ବଜାୟ ରଖିଥିବା ବିଜେଡିକୁ ଅପାରଗ ଓ ଦୁର୍ନିତିଖୋର ସରକାର ଭାବେ ଚିତ୍ରଣ କରି ବିଭିନ୍ନ କ୍ଷେତ୍ରରେ ହୋଇଥିବା ଦୁର୍ନୀତିର ଏକ ଲମ୍ବା ତାଲିକା ପ୍ରସ୍ତୁତ ହୋଇଛି । ଏହି ତାଲିକା ପଚାଂୟତରୁ ବ୍ଲକ ଓ ସଚିବାଳୟ ପର୍ୟ୍ୟନ୍ତ ଲମ୍ବିଛି । ତେଣୁ ଏହି ଲମ୍ବା ତାଲିକାକୁ ଲୋକଙ୍କ ପାଖକୁ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଠାରୁ ଜନ ଅଦାଲତ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଏହି ଜନ ଅଦାଲତରେ ପ୍ରତ୍ୟେକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାଣୁତା ଓ ଅପରାଗତାକୁ ସାମନାକୁ ଅଣାଯିବ ବୋଲି କହିଛନ୍ତି ସମୀର ।

ସେପଟେ ବିଜେଡି ଏହାର ଜବାବ ରଖିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପିର ଜନ ଅଦାଲତ କାର୍ଯ୍ୟକ୍ରମ କେବଳ ପ୍ରଚାର ପ୍ରସାରରେ ସୀମିତ ନ ରହୁ । ବରଂ ରାଜ୍ୟବାସୀଙ୍କ ପାଖରେ ପହଁଚି ସେମାନଙ୍କ ମନରେ ବିଜେପି ବିରୋଧରେ ଯେଉଁ ଚାର୍ଜସିଟ୍ ରହିଛି ତାହାର ଜବାବ୍ ରଖୁ ବିଜେପି । ଯେଉଁଥିରେ ରାଜ୍ୟର ମୁଖ୍ୟ ମୁଦ୍ଦା ଯଥା,ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ଏମଏସପିକୁ ଦେଢ଼ଗୁଣା ବୃଦ୍ଧି କରିବା, ଓଡ଼ିଶାକୁ ସ୍ୱତନ୍ତ୍ରରାଜ୍ୟ ପାହ୍ୟା ମିଳିବ କେବେ? ପୋଲାଭରମ ଏବଂ ମହାନଦୀ ଜଳ ବିବାଦରେ କେନ୍ଦ୍ର ଚୁପ୍ କାହିଁକି ବସିଛି ଉତ୍ତର ରଖୁ ବିଜେପି ବୋଲି କହିଛନ୍ତି ସସ୍ମିତ ।