ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି: ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର, କହିଲେ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ନବୀନ ସରକାର

ରେଳ ଲାଇନ ପାଇଁ ଜମି ଦେଉନାହାଁନ୍ତି ଓଡିଶା ସରକାର

181

କନକ ବ୍ୟୁରୋ: ଏପଟେ ବିଜେଡି ନିଜ ୨୧ ତମ ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ସେପଟେ ବିଜେଡିକୁ କାଉଂଟର କରିବା ପାଇଁ ଘେରିଛନ୍ତି ବିରୋଧୀ ।  ବିଜେପି ଆଜି ରାଜ୍ୟରେ ଆରମ୍ଭ କରିଛି ‘ଜବାବ ମାଗୁଛି ଓଡିଶା ଅଭିଯାନ’ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ଯୋଜନାରେ ବିଫଳତା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । କହିଛନ୍ତି ରେଳ ଲାଇନ ପାଇଁ ଜମି ଦେଉନାହାଁନ୍ତି ଓଡିଶା ସରକାର । ସବୁ କ୍ଷେତ୍ରରେ ବିଫଳ ହୋଇଛି ରାଜ୍ୟ ସରକାର ।

ତାଳଚେର-ବିମଳାଗଡ଼ ରେଳଲାଇନରେ ଅସହଯୋଗ ରହିଥିବାବଳେ ପାରଦ୍ୱୀପ-ହରିଦାସ ରେଳପଥ ପାଇଁ ଆପଣଙ୍କ ଚେଲାମାନେ ଚାନ୍ଦା ଆଦାୟ କରି ପ୍ରକଳ୍ପ କାର୍ଯ୍ୟ କରାଇ ଦେଉ ନାହାଁନ୍ତି । ସେହିପରି କନ୍ଧମାଳ, ବୌଦ୍ଧ  ଓ ସୋନପୁରରେ କେତେ ଏକର ପୂର୍ଣ୍ଣାଙ୍ଗ ଜମି ଦେଇଛନ୍ତି ତାହାର ଉତ୍ତର ଦିଅନ୍ତୁ । ସେହିପରି ମହିଳାଙ୍କୁ ନେଇ ରାଜନୀତି ଆରମ୍ଭ କରିଥିବା ବିଜେଡ଼ି ସରକାର ନିଜ ମନ୍ତ୍ରୀ ମଣ୍ଡଳରେ କେତେ ଜଣ ମହିଳାଙ୍କୁ ସ୍ଥାନ ଦେଇଛନ୍ତି । ମହିଳାମାନଙ୍କୁ ଯିଏ ସମ୍ମାନ ସହକାରରେ ବଂଚିବାକୁ ବ୍ୟବସ୍ଥା କରେ ନାହିଁ ସିଏ ମହିଳାଙ୍କ ସଂରକ୍ଷଣ କଥା କହୁଛନ୍ତି । ଆଜି ସ୍ୱର୍ଗରେ ଥାଇ କୁନ୍ଦୁଲି ପିଡ଼ୀତା ନ୍ୟାୟ ପାଇଁ କାନ୍ଦୁଛି  ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଏଥିପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ଓଡିଶା ମାଗେ ଜବାବ’ ସ୍ୱତନ୍ତ୍ର କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ଏହା ସହିତ ରାଜ୍ୟର ୧୪୭ଟି ଆସନରେ ଗାଡି ବୁଲାଇବା ପାଇଁ ଅଭିଜାନ ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ଓଡିଶା ବାସୀଙ୍କୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି କାହିଁକି ପାଳନ କରିନାହାଁନ୍ତି ସନେଇ ଲୋକଙ୍କୁ ସଚେତନ କରାଇବ ବିଜେପି ।

ସେପଟେ କଂଗ୍ରେସ ଆଜି କଳା ଦିବସ ପାଳନ କରୁଛି । ପିଠା ଓ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ପଂଚାୟତର କ୍ଷମତାକୁ ସଂକୁଚିତ କରିବା ଉଦ୍ୟମ ହେଉଥିବା ଅଭିଯୋଗ କରି କଳା ଦିବସ ଭାବେ ପାଳନ କରୁଛି କଂଗ୍ରେସ । ମୁହଁରେ କଳାପଟି ବାନ୍ଧି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି କଂଗ୍ରେସ ସଦସ୍ୟ ।