୨୦୧୯ ନିର୍ବାଚନରେ ବିଜେପି ବିଜୟୀ ହେଲେ, ଭାରତ ହୋଇଯିବ ହିନ୍ଦୁ ପାକିସ୍ତାନ : କଂଗ୍ରେସ ନେତା ଶଶୀ ଥରୁର

52

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦମନ୍ତ୍ରୀ ଶଶୀଥରୁର କହିଛନ୍ତି ଯେ, ବିଜେପି ଯଦି ଆସନ୍ତା ସାଧାରଣ ନିର୍ବାଚନରେ ବିଜୟ ହେବ ତେବେ ଦେଶ ହିନ୍ଦୁ- ପାକିସ୍ଥାନ ହୋଇଯିବ । ଏହାସହ ଭାରତର ସମ୍ବିଧାନ ପ୍ରତି ବିପଦ ମଧ୍ୟ ହୋଇପାରେ । ଭାରତରେ ବିଜେପି ଜିତିଲେ ଲୋକତାନ୍ତ୍ରିକ ପ୍ରତି ବିପଦ ରହିଛି । ଏହି ବକ୍ତବ୍ୟ ଉପରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ କଂଗ୍ରେସର ଏପରି ହିନ ବୟାନଲାଗି ତାଙ୍କ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି କ୍ଷମା ମାଗିବାର ଅବଶ୍ୟକତା ରହିଛି ।

ଏହାସହ ଶ୍ରୀ ପାତ୍ର କହିଛନ୍ତି ଯେ, ଏହି କଂଗ୍ରେସ ଦଳ ନିଜର ସ୍ୱାର୍ଥ ରକ୍ଷାପାଇଁ ପାକିସ୍ଥାନକୁ ଜନ୍ମ ଦେଇଛି । ବର୍ତ୍ତମାନ ଆତଙ୍କବାଦକୁ ସାରା ବିଶ୍ୱରେ ଯେଉଁ ଦେଶ ପରିଚାଳନା କରୁଛି । ପାକିସ୍ଥାନକୁ ଭାରତ ସାଙ୍ଗରେ କେବେ ବି ତୁଳନା କରାଯାଇ ପାରିବ ନାହିଁ । କଂଗ୍ରେସ ବାରମ୍ବାର ଭାରତକୁ ତଳେ ପକାଇବା ସହ ହିନ୍ଦୁମାନଙ୍କୁ ନିଚା ଦେଖିବାକୁ ଚେଷ୍ଟାକରେ । ଯାହା କି ଦେଶପାଇଁ ହିତକର ନୁହେଁ ।

ପୂର୍ବରୁ ରାହୁଲ ଗାନ୍ଧି ହିନ୍ଦୁମାନଙ୍କୁ ଆତଙ୍କବାଦୀ କହିଥିଲେ ବର୍ତ୍ତମାନ ସମୟରେ ତାଙ୍କ ଦଳର ନେତା ତଥା ସାସଂଦ ହିନ୍ଦୁ ମାନଙ୍କୁ ଗାଳି ଦେଉଛନ୍ତି । ବାରମ୍ବାର ଏପରି ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ବିପକ୍ଷରେ ବୟାନବାଜି ଜାରି ରଖିଛି । ଏହା ଫଳରେ ସାରା ଦେଶରେ ବାସ କରୁଥିବା ହିନ୍ଦୁମାନେ ନିହାତି ଭାବରେ ଆଘାତ ପାଉଛନ୍ତି । ତେଣୁ ବିଳମ୍ବ ମକରି ରାହୁଲ ଏହି ଘଟଣାରେ କ୍ଷମା ମାଗିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।

ଏହା ପୂର୍ବରୁ ଥରୁର କହିଥିଲେ ମୋଦୀ ଦେଶର ସମ୍ବିଧାନକୁ ପବିତ୍ର କହୁଥିବା ସମୟରେ ନିଜେ ମୋଦୀ ହିନ୍ଦୁର ପୁରୋଧା ଦୀନ ଦୟାଳୁ ଉପାଧ୍ୟୟାଙ୍କୁ ତାରିଫ କରୁଛନ୍ତି । ଏକା ସାଙ୍ଗରେ କିପରି ଭାବରେ ମୋଦୀ ଏପରି ତୁଳନା କରୁଛନ୍ତି ବୋଲି ଥରୁର କହିଥିଲେ । ମୋଦୀ ଯେପରି ଭାବରେ କାମ କରୁଛନ୍ତି ତାହା ଦ୍ୱାରା ଦେଶର କ୍ଷତି ହେଉଛି । କେବଳ ଭାଷଣ ବାଜିରେ କାମ ହେବ ନାହିଁ କଥା ଅନୁସାରେ କାମ କରିବାର ଆବଶ୍ୟକତା ରହିଛି ବୋଲି ଥରୁର କହିଥିଲେ ।

ଭାରତ ଏକ ଗଣତନ୍ତ୍ର ଦେଶ ତେଣୁ ଆମେ ମାନେ ଯାହା ଦେଥିବା ତାହା କହିବାର ଆବଶ୍ୟକତା ରହିଛି । ତେଣୁ ସତକଥା କହିବାରେ ଡରିବାର ଆବଶ୍ୟକତା ନାହିଁ ବୋଲି ଥରୁର କହିଛନ୍ତି । ଆମ ଦେଶର ପ୍ରଧାନମନ୍ତ୍ରୀ ଗୋଟେ ପଟେ କହିଛନ୍ତି ଯେ, ସମ୍ବିଧାନ ହେଉଛି ପବିତ୍ର ଗ୍ରନ୍ଥ ଏପଟେ ସେ ନିଜେ ହିଁ ଖଳନାୟକ ଭୂମିକା ନିଭାଉଛନ୍ତି । ମୋଦୀ ନିଜେ ଗୋଟେ କଥା କହନ୍ତି ଆଉ ଗୋଟେ କାମ କରନ୍ତି । ତେଣୁ ତାଙ୍କର କୈାଣସି କଥାରେ ମୂଲ୍ୟଥିବା ଭଳି ମୋତେ ଲାଗୁନି । ତାଙ୍କର ବିଚାରଧାରା ସୀମିତ ଭାବରେ ରହିଛି । ତେଣୁ ବିଜେପି ଶାସନରେ ଭାରତର ଉନ୍ନତି ହୋଇପାରିବ ନାହିଁ ବୋଲି ଥରୁର କହିଛନ୍ତି ।