ବିଜେପିର ନିମନ୍ତ୍ରଣକୁ ନବୀନ କହିଲେ ହଁ : ଆଜି ଭୁବନେଶ୍ୱରରେ ଅଟଳ ବିହାରୀଙ୍କ ସର୍ବଦଳୀୟ ସ୍ମୃତି ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

23

କନକ ବ୍ୟୁରୋ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଆୟୋଜିତ ହେବ ସର୍ବଦଳୀୟ ପ୍ରାର୍ଥନା ସଭା । ଅପରାହ୍ନ ୫ଟାରେ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ଏହି ସଭା । ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଏହି ସଭାକୁ ସବୁ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନିମନ୍ତ୍ରଣ କରାଯାଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଭାରେ ଯୋଗ ଦେବେ ବୋଲି ଜଣାପଡିଛି । ଏହି ପ୍ରାର୍ଥନା ସଭାରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଛି । ଉତ୍କଳ ଭାରତ, ସିପିଆଇ ସମେତ ବିଭିନ୍ନ ରାଜନୈତିକ ଦଳ ନେତାଙ୍କୁ ମଧ୍ୟ ଆମନ୍ତ୍ରଣ କରିଛି ବିଜେପି । ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ।

ଗତକାଲି ପୁରୀ ମହୋଦଧିରେ ଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ପାରମ୍ପରିକ ପୂଜାପାଠ ପରେ ବାଜପେୟୀଙ୍କ ଚିତାଭସ୍ମକୁ ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି । ବାଜପେୟୀଙ୍କ ଚିତାଭସ୍ମର ବିସର୍ଜନ ପାଇଁ ପୁରୀ ଦିଗବାରେଣୀ କୂଳରେ ବ୍ୟାପକ ଆୟୋଜନ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବାଜପେୟୀଙ୍କ ଚିତାଭସ୍ମକୁ ବିଧି ଅନୁସାରେ ବିସର୍ଜନ କରିଥିଲେ । ଚିତାଭସ୍ମ ବିସର୍ଜନ କରିବା ପରେ ବାଜପେୟୀଙ୍କ ଆତ୍ମାର ସଦଗତି କାମନା କରିଥିଲେ ଶହ ଶହ ବିଜେପି ନେତା । ଏହା ପୂର୍ବରୁ ଭୁବନେଶ୍ୱରରୁ ଏକ ବିଶାଳ ଶୋଭାଯାତ୍ରାରେ ପୁରୀରେ ପହଂଚିଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଚିତାଭସ୍ମ ।

ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଓଡ଼ିଆ ଲୋକଙ୍କ ଭଲ ପାଇବା କେତେ, ଶ୍ରଦ୍ଧାଞ୍ଜଳିର ଶୋଭାଯାତ୍ରା ଏବଂ ବିଶାଳ ଜନସମାଗମରୁ ହିଁ ସ୍ପଷ୍ଟ ବାରି ହୋଇପଡୁଥିଲା । ସୁସଜ୍ଜିତ ଗାଡ଼ିରେ ବାହାରିଥିବା କଳସ ଶୋଭାଯାତ୍ରାରେ ଆପଣା ଯାଏଁ ସାମିଲ ହୋଇଥିବେ ହଜାର ହଜାର ବାଜପେୟୀ ପ୍ରେମୀ । ଦିଲ୍ଲୀରୁ ଭୁବନେଶ୍ୱର ପହଂଚିଥିବା ବାଜପେୟୀଙ୍କ ଚିତାଭସ୍ମ, ରାତି ତମାମ୍ ରାଜ୍ୟ ବିଜେପି କାର୍ୟ୍ୟଳୟରେ ରଖାଯାଇଥିଲା । ଭଜନ କୀର୍ତ୍ତନ ସହ ଆଧ୍ୟାତ୍ମିକ ପରିବେଶ ଭିତରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ସାଧାରଣ ଲୋକ ।