୮୧ ପ୍ରତିଶତ ବଢିଲା ବିଜେପି ପାଣ୍ଠି,୧୪ ପ୍ରତିଶତ କମିଛି କଂଗ୍ରେସର ପାଣ୍ଠି ! ଜାତୀୟ ରାଜନୈତିକ ଦଳର ଆୟକୁ ନେଇ ଆସିଲା ଏଡିଆର ରିପୋର୍ଟ 

26

କନକ ବ୍ୟୁରୋ : ଧନ ବର୍ଷା ହୋଇଛି ବିଜେପି ପାଖରେ । ହେଲେ ସେହି ତୁଳନାରେ କଂଗ୍ରେସକୁ କିନ୍ତୁ ଝଟକା ଲାଗିଛି । ଏଭଳି କିଛି ତଥ୍ୟ ଏଡିଆର ରିପୋର୍ଟରୁ ସାମ୍ନାକୁ ଆସିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ବିଜେପିର ଆୟ ୧ ହଜାର ୩୪ କୋଟି ଟପିଥିବା ବେଳେ କଂଗ୍ରେସର ଆୟ ଥିଲା ୨୨୫ କୋଟି । ରିପୋର୍ଟ ଅନୁସାରେ, କେନ୍ଦ୍ରରେ କ୍ଷମତାରେ ଥିବା ଦଳର ଆୟ ୮୧ ପ୍ରତିଶତ ବଢିଛି ଆଉ କଂଗ୍ରେସର ୧୪ ପ୍ରତିଶତ କମିଛି । ତେବେ ବଡ କଥା ହେଉଛି ନିଜ ଆୟ ତୁଳନାରେ କଂଗ୍ରେସର ବ୍ୟୟ ଅଧିକ ରହିଛି । ଆଉ ସେପଟେ ବିଜେପି ନିଜ ଆୟର ୮୫ ପ୍ରତିଶତ ଅର୍ଥ ନିର୍ବାଚନ ଓ ପ୍ରଚାର ବାବଦରେ ଖର୍ଚ୍ଚ କରିଛି ।

ଏଡିଆର ରିପୋର୍ଟରୁ ମିଳିଛି ଏଭଳି ତଥ୍ୟ । ଆସୋସିଏସନ ଅଫ ଡିମୋକ୍ରାଟିକ୍ ରିଫର୍ମସରେ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ବିଜେପିର ଆୟ ୮୧ ପ୍ରତିଶତ ବଢିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଦଳର ମୋଟ ଆୟ ୧ ହଜାର ୩୪ କୋଟି ଟଙ୍କା ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି । ଅନ୍ୟପଟେ କଂଗ୍ରେସର ଆୟ ୧୪ ପ୍ରତିଶତ କମିଛି । ଏହି ରିପୋର୍ଟ ଅନୁସାରେ କଂଗ୍ରେସର ଆୟ ୨୨୫ କୋଟି ରହିଛି ।

bjp

ଏଡିଆର ତଥ୍ୟ ଅନୁସାରେ ୨୦୧୫-୧୬ ଆର୍ଥିକ ବର୍ଷରେ ବିଜେପିର ଆୟ ୫୭୦ କୋଟି ଟଙ୍କା ରହିଥିଲା । ତେବେ ବର୍ଷକ ଭିତରେ ଏହା ପ୍ରାୟ ୪୬୩ କୋଟି ଟଙ୍କା ବଢି ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ୧ ହଜାର ୩୪ କୋଟି ଟଙ୍କାରେ ପହଂଚିଥିଲା । ଅନ୍ୟପଟେ ଏହି ସମୟ ଭିତରେ କଂଗ୍ରେସ ଆୟ କମିଛି । ରିପୋର୍ଟ ଅନୁସାରେ ୨୦୧୫-୧୬ରେ କଂଗ୍ରେସର ଆୟ ୨୬୧ କୋଟି ଟଙ୍କା ରହିଥିଲା । ୨୦୧୬-୧୭ରେ ଏହା ୨୨୫ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ବର୍ଷକ ଭିତରେ କଂଗ୍ରେସର ଆୟ ପ୍ରାୟ ୩୬ କୋଟି ଟଙ୍କା କମିଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି । ଏହା ସହ ୨୦୧୬-୧୭ ଆର୍ଥିକ ବର୍ଷରେ ବିଜେପି ୭୧୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ କଂଗ୍ରେସ ୩୨୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ଘୋଷଣା କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ନିଜ ଆୟଠାରୁ ପ୍ରାୟ ୯୬ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଛି ।

ଏହି ଦଳମାନଙ୍କ ଆୟର ପ୍ରମୁଖ ଅଂଶ ଦାନ ବା ସହଯୋଗ ରାଶି ଆକାରରେ ଆସିଛି ବୋଲି ଘୋଷଣା କରିଛନ୍ତି । ବିଜେପି ଆୟର ପ୍ରାୟ ୯୬ ପ୍ରତିଶତ ଅଂଶ ଦାନ ଅର୍ଥରୁ ଆସିଛି । ଅନ୍ୟପଟେ କୁପନ ମାଧ୍ୟମରେ ଜାତୀୟ ଦଳ ମଧ୍ୟରେ କଂଗ୍ରେସ ସର୍ବାଧିକ ୫୧ ପ୍ରତିଶତ ଅର୍ଥ ଆୟ କରିଥିବା ଏଡିଆର ରିପୋର୍ଟ କହିଛି । ୭ଟି ଜାତୀୟ ପାର୍ଟି ଅର୍ଥାତ ବିଜେପି, କଂଗ୍ରେସ, ବିଏସପି, ଏନସିପି, ସିପିଆଇଏମ, ସିପିଆଇ ଓ ତୃଣମୂଳ କଂଗ୍ରେସର ମିଳିତ ଭାବେ ଆୟ ୧୫୫୯ କୋଟି ଟଙ୍କା ଏବଂ ମୋଟ ବ୍ୟୟ ୧୨୨୮ କୋଟି ଟଙ୍କା ବୋଲି ଜଣାପଡିଛି ।