ତ୍ରିପୁରାରେ ୨୫ ବର୍ଷର ବାମ ଦଳ ସରକାରକୁ ବଡ ଝଟକା, ପ୍ରଥମ ଥର ଫୁଟିବ ପଦ୍ମ ! ମେଘାଳୟରେ ଅସ୍ପଷ୍ଟ ଜନାଦେଶ, କଂଗ୍ରେସ ଆଗରେ

48

କନକ ବ୍ୟୁରୋ : ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ବିଜେପି ଭଲ ପ୍ରଦର୍ଶନ । ତ୍ରିପୁରାରେ ୨୫ ବର୍ଷ ଶାସନ କ୍ଷମତାରେ ଥିବା ବାମମେଂଟକୁ ଜୋରଦାର ଝଟକା ଲାଗିଛି । ୨୦୧୩ ମସିହାରେ ତ୍ରିପୁରା ନିର୍ବାଚନରେ ଗୋଟିଏ ବି ଆସନ ଜିତିନଥିବା ଓ ୨ ପ୍ରତିଶତ ଭୋଟ ପାଇଥିବା ବିଜେପି ସ୍ପଷ୍ଟ ବହୁମତ ଆଡକୁ ଅଗ୍ରସର ହୋଇଛି । ଟ୍ରେଣ୍ଡ ଅନୁସାରେ, ତ୍ରିପୁରାରେ ବିଜେପି ସରକାର ଗଢିବା ଏକପ୍ରକାର ନିଶ୍ଚିତ । ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ମ୍ୟାଜିକ ନମ୍ବର ୩୧ ଥିବାବେଳେ ଶେଷ ଖବର ସୁଦ୍ଧା ବିଜେପି ୪୧ ଆସନରେ ଆଗୁଆ ରହିଛି ।

ଆସାମ, ମଣିପୁୁର ଓ ଅରୁଣାଚଳ ପ୍ରଦେଶ ପରେ ତ୍ରିପୁରାରେ ଫୁଟିବ ପଦ୍ମ । ନାଗାଲାଣ୍ଡରେ ବିଜେପି-ଏନଡିପିପି ମେଂଟ ଓ ନାଗା ପିପୁଲସ ଫ୍ରଟ ମଧ୍ୟରେ କଡା ଟକ୍କର ଚାଲିଛି । ୫୯ ଟି ଆସନ ପାଇଁ ମତଗଣନା ଚାଲିଥିବାବେଳେ ମ୍ୟାଜିକ ୩୧ ଅଙ୍କକୁ କେହି ଛୁଇଁପାରିନାହିଁ । ନାଗାଲାଣ୍ଡରେ ବିଜେପି ୨୦ ଆସନରେ ଲଢୁଥିବାବେଳେ ଏନଡିପିପି ୪୦ ଆସନରେ ନିର୍ବାଚନ ଲଢୁଛନ୍ତି । ଏନଡିପିପି ଗୋଟିଏ ଆସନରେ ନିଦ୍ୱନ୍ଦରେ ବିଜୟୀ ହୋଇସାରିଛି । ସେପଟ ମେଘାଳୟରେ ଖଣ୍ଡିତ ଜନାଦେଶ ଦେଖିବାକୁ ମିଳିଛି । କଂଗ୍ରେସ ଆଗରେ ଥିବାବେଳେ ମ୍ୟାଜିକ ନମ୍ବରଠାରୁ ବହୁ ଦୂରରେ ରହିଛି । ସରକାର ଗଠନ ପାଇଁ ଏଠାର ନୂଆ ସମୀକରଣ ଦେଖିବାକୁ ମିଳିପାରେ । କଂଗ୍ରେସ –ଏନପିପି ମଧ୍ୟରେ ରାଜ୍ୟରେ କଡା ଟକ୍କର ଚାଲିଛି ।

ତ୍ରିପୁରାରେ ବାମମେଂଟକୁ ଜବରଦସ୍ତ ଝଟକା ଲାଗିଛି । ରାଜ୍ୟରେ ଫୁଟିଛି ପଦ୍ମ । ଟ୍ରେଣ୍ଡ ଅନୁସାରେ ବିଜେପି ବହୁ ଆଗରେ ରହିଛି । ମୋଟ ୫୯ଟି ଆସନ ମଧ୍ୟରୁ ବିଜେପି ୪୦ ଓ ବାମମେଂଟ ୧୮ ଆସନରେ ଆଗୁଆ ଅଛନ୍ତି । ତ୍ରିପୁରାରେ ଦୀର୍ଘ ୨୫ ବର୍ଷ ହେଲା ବାମମେଂଟ କ୍ଷମତାସୀନ ଥିଲା । ମାଣିକ ସରକାର ଦୀର୍ଘ ୨୦ ବର୍ଷ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ତ୍ରିପୁରା ଫଳାଫଳ କ୍ରାନ୍ତିକାରୀ ବୋଲି କହିଛନ୍ତି ବିଜେପି ନେତା ରାମ ମାଧବ । ତ୍ରିପୁରାରେ ବାମ ମେଂଟକୁ କଡା ଟକ୍କର ଦେଇ ବିଜେପିର ସଫଳତା ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି ରାମ ମାଧବ । ୪୦ରୁ ଆସନ ଜିତି ସରକାର ଗଠନ କରିବ ବିଜେପି । ବଡ ସଫଳତା ପଛରେ କର୍ମକର୍ତାଙ୍କ ଭୂମିକା ପ୍ରସଂଶନୀୟ ବୋଲି ସେ କହିଛନ୍ତି ।

ସେହିଭଳି ମେଘାଳୟରେ ୫୯ଟି ଆସନରେ ସକାଳ ୮ଟାରୁ ଭୋଟଗଣତି ଚାଲିଛି । ଏଠାରେ କଂଗ୍ରେସ-ଏନପିପି ମଧ୍ୟରେ କଡା ଟକ୍କର ଚାଲିଛି । ୫୯ଟି ଆସନରୁ କଂଗ୍ରେସ ୨୦, ଏନପିପି ୧୯ ଆସନ, ବିଜେପି ୩ ଓ ଅନ୍ୟାନ୍ୟ ୧୭ ଆସନରେ ଆଗୁଆ ଅଛନ୍ତି । ଏଠାରେ ୧୦ ବର୍ଷ ହେଲା କଂଗ୍ରେସ କ୍ଷମତାସୀନ ରହିଛି । ତେଣୁ ରାଜ୍ୟରେ ନୂଆ ସମୀକରଣର ସମ୍ଭାବନା ସୃଷ୍ଟି ହୋଇଛି ।

ନାଗାଲାଣ୍ଡରେ ବି ବିଜେପି ମେଂଟ ଓ ଏନପିଏଫ ମଧ୍ୟରେ ଚାଲିଛି କଡା ଟକ୍କର । ବିଜେପି-ଏନଡିପିପି ମେଂଟ ୨୭, ଓ ଏନପିଏଫ ମେଂଟ ୨୯ ଆସନରେ ଆଗୁଆ ରହିଛନ୍ତି । ଗୋଟିଏ ଆସନରେ ନବଗଠିତ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗେସିଭ ପାର୍ଟି, ଏନଡିପିପିର ମୁଖ୍ୟ ନିଫ୍ୟୁ ରିଅ ଗୋଟିଏ ଆସନରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଛନ୍ତି । ଏଠାରେ ବିଜେପି ଏନଡିପିପି ସହ ମେଂଟ କରି ନିର୍ବାଚନ ଲଢୁଛି । ବିଜେପି ୨୦ ଆସନରେ ନିର୍ବାଚନ ଲଢୁଥିବାବେଳେ ଏନପିଏଫ ୪୦ ଆସନରେ ନିର୍ବାଚନ ଲଢୁଛି ।