ଶେଷ ହେଉନି କର୍ଣ୍ଣାଟକ ନାଟକ ! ଜେଡିଏସ ବିଧାୟକଙ୍କ ସାଂଘାତିକ ଅଭିଯୋଗ, ଦଳ ଛାଡିବା ବଦଳରେ ୩୦ କୋଟି ଟଙ୍କାର ଅଫର ଦେଇଥିଲା ବିଜେପି ।

261

ଶେଷ ହେବାର ନାଁ ଧରୁନି କର୍ଣ୍ଣାଟକ ନାଟକ । ପ୍ରତିଦିନ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି କାଦୁଅଫିଙ୍ଗା ରାଜନୀତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ବିଏସ ୟେଦ୍ୟୁରପ୍ପାଙ୍କ ଅଡିଓ ଟେପ ଜାରି କରିବାର ଗୋଟିଏ ଦିନ ନ ବିତୁଣୁ ପୁଣିଥରେ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜେଡିୟସ ବିଧାୟକ ଶ୍ରୀନିବାସ ଗୌଡା । ଜେଡିଏସ ଛାଡିବା ପାଇଁ ତାଙ୍କୁ ୫ କୋଟି ଟଙ୍କା ଅଫର ବିଜେପି ପକ୍ଷରୁ ମିଳିଥିବା କହିଛନ୍ତି ଶ୍ରୀନିବାସ । କିନ୍ତୁ କୁମାରସ୍ୱାମୀଙ୍କ କହିବା ପରେ ସେ ଟଙ୍କା ଫେରାଇ ଦେଇଥିବା କହିଛନ୍ତି ଶ୍ରୀନିବାସ ।

ଏହାପୂର୍ବରୁ କୁମାରସ୍ୱାମୀ ଅଭିଯୋଗ ଆଣିଥିଲେ ଯେ, ୟେଦ୍ୟୁରପ୍ପା ଜେଡିଏସ ବିଧାୟକଙ୍କୁ ଟଙ୍କା ଦେଇ ଦଳ ପରିବର୍ତ୍ତନ କରାଇବାକୁ ଚେଷ୍ଟା କରାଉଛନ୍ତି । ଏପରିକି ଏହାର ପ୍ରମାଣ ଦେବାକୁ ଯାଇ ଏକ ଅଡିଓ କ୍ଲିପ ମଧ୍ୟ ଜାରି କରିଥିଲେ କୁମାରସ୍ୱାମୀ । ଏଥିରେ ୟେଦ୍ୟୁରପ୍ପା ଜେଡିଏସ ବିଧାୟକଙ୍କୁ ୨୫ ଲକ୍ଷ ଟଙ୍କା ଓ ମନ୍ତ୍ରୀ ପଦ ବଦଳରେ ପାର୍ଟି ଛାଡିବାକୁ ଅଫର ଦେଉଛନ୍ତି ।

ଶ୍ରୀନିବାସ କହିଛନ୍ତି, ବିଜେପି ନେତା ଅଶ୍ୱଥନାରାୟଣ, ସିପି ଯୋଗେଶ୍ୱର ଓ ବିଶ୍ୱନାଥ ତାଙ୍କୁ ୩୦ କୋଟି ଟଙ୍କାର ଲୋଭ ଦେଖାଇଥିଲେ । ବଦଳରେ ଜେଡିଏସ ପାର୍ଟି ଛାଡି ବିଜେପିରେ ଯୋଗ ଦେବାକୁ କହିଥିଲେ । ଏପରିକି ଏଥିପାଇଁ ଅଗ୍ରୀମ ବାବଦକୁ ୫ କୋଟି ଟଙ୍କା ମଧ୍ୟ ମିଳିଥିଲା । ସର୍ତ୍ତ ଥିଲା ବିଜେପିରେ ମିଶିବା ପରେ ବାକି ଟଙ୍କା ମିଳିଯିବ ବୋଲି କୁହାଯାଇଥିଲା । ତେବେ କୁମାରସ୍ୱାମୀଙ୍କ କହିବା ପରେ ପୂର୍ବ ଉପମୁଖ୍ୟମନ୍ତ୍ରୀ ଆର ଅଶୋକଙ୍କ ଜରିଆରେ ୫ କୋଟି ଟଙ୍କା ଫେରାଇଥିଲେ ଶ୍ରୀନିବାସ । ଏହି ଅଫର ତାଙ୍କୁ ଦୁଇ ମାସ ତଳେ ଦିଆଯାଇଥିଲା । ଆଉ ଅଗ୍ରୀମ ଟଙ୍କା ଦେବା ପରେ ପାର୍ଟି ଛାଡିବାକୁ ତାଙ୍କ ଉପରେ ବିଜେପି ନେତା ମାନେ ଚାପ ପକାଉଥିଲେ ।