ଆଜି ବିଜେପିର ଦିନିକିଆ କାର୍ଯ୍ୟକାରିଣୀ ! ବିଜେପୁର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତୁତ କରିବେ ମାଷ୍ଟର ପ୍ଲାନ୍

32

କନକ ବ୍ୟୁରୋ : ବିଜେପିର ମିଶନ ବିଜେପୁର । ଉପ ନିର୍ବାଚନ ପୂର୍ବରୁ ବିଜେପି ଆରମ୍ଭ କଲାଣି ମାଷ୍ଟର ପ୍ଲାନ । ବିଜେଡିକୁ ଚେକ ଦେବା ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । ଏଥିପାଇଁ ଆଜି ବସିବ ଦିନିକିଆ କାର୍ଯ୍ୟକାରିଣୀ । ଏହି ବୈଠକରେ ବିଜେପୁର ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ନେଇ ଆଲୋଚନା ହେବ ।  ବୈଠକରେ ୨ କେନ୍ଦ୍ରମନ୍ତ୍ରୀ, ରାଜ୍ୟ  ପ୍ରଭାରୀ, ରାଜ୍ୟ ବିଜେପି ସଭାପତି, ବିଜେପି ବିଧାୟକ ଦଳ ନେତା ଓ ବରିଷ୍ଠ ନେତୃମଣ୍ଡଳ ଉପସ୍ଥିତ ରହି  ବିଜେପୁର ନିର୍ବାଚନ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରିବେ । ସୋମବାଦର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ରାଜ୍ୟ ପଦାଧିକାରୀ ବୈଠକ । ତେବେ କାର୍ଯ୍ୟକାରିଣୀରେ କଣ ରଣନୀତି ରହିବ ସେ ନେଇ ଏହି ପଦାକାରୀ ବୈଠକରେ  ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଗତକାଲି ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇ ବିଜେପୁରରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ବିଜେପି । ତେବେ ଅଶୋକଙ୍କୁ ଦଳରେ ମିଶାଇବା ପରେ ବରଗଡ ବିଜେପିରେ ବିଦ୍ରୋହ ଆରମ୍ଭ ହୋଇଛି । ଜିଲ୍ଲା ସଭାପତି ନାରାୟଣ ସାହୁ ଖୋଲାଖୋଲି ବିରୋଧ କରିଛନ୍ତି  । ଏପରିକି ଗତକାଲିର ମିଶ୍ରଣ ପର୍ବରେ ମଧ୍ୟ ନାରାୟଣଙ୍କୁ ଦେଖିବାକୁ ମିଳି ନଥିଲା । ସେପଟେ ବିଜେଡିରେ ରୀତା ସାହୁଙ୍କୁ ନେଇ ହେଉଥିବା ବିରୋଧ ପ୍ରଶମିତ ହେବାରେ ଲାଗିଛି । କିନ୍ତୁ ବିଜେପୁର ନିର୍ବାଚନ ନେଇ କଂଗ୍ରେସ ଦଳ ବହୁତ ପଛରେ ପଡି ଯାଇଛି । କାହାକୁ ପ୍ରାର୍ଥୀ କରିବ ସେ ନେଇ କୌଣସି ନିଷ୍ପତି ନେଇନାହିଁ ଦଳ । ଏସବୁ ଭିତରେ ବିଜେପୁରରେ କିଏ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା ।