ବିଜେଡିରେ ମିଶିପାରନ୍ତି ସୁବାସ ଚୌହ୍ୱାନ! ଆଜି ହୋଇପାରେ ଔପଚାରିକ ଘୋଷଣା

ବରଗଡରୁ ଟିକେଟ କଟିବା ପରେ ବିଜେପିରୁ ଦେଇଥିଲେ ଇସ୍ତଫା

173

କନକ ବ୍ୟୁରୋ: ବିଜେଡିରେ ମିଶି ପାରନ୍ତି ସୁବାସ ଚୌହ୍ୱାନ । ବରଗଡ ଲୋକସଭା ଆସନ ପାଇଁ ବିଜେପି ଟିକଟରୁ ବଂଚିତ ହେବା ପରେ ସୁବାସ ଚୌହ୍ୱାନ ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ । ଏବେ ସୁବାସ ବିଜେଡିକୁ ଆସିବେ ବୋଲି ଶୁଣିବାକୁ ମିଳୁଛି । ସେ ଏନେଇ କିଛି ସ୍ପଷ୍ଟ କରିନଥିଲେ ହେଁ ତାଙ୍କ ସମର୍ଥକମାନେ ତାଙ୍କୁ ବିଜେଡିରେ ସାମିଲ ହେବାକୁ ପରାମର୍ଶ ଦେବା ସହ ଚାପ ପକାଉଥିବା ଜଣାପଡିଛି ।

ଅନ୍ୟପଟେ ସୁବାସ ଦଳ ଛାଡିବା ବିଜେପିର ଚିନ୍ତାର କାରଣ ପାଲଟିଛି । ବରଗଡରୁ ବିଜେପି ପ୍ରାର୍ଥୀ ହୋଇଥିବା ସୁରେଶ ପୂଜାରୀଙ୍କୁ ଲାଗିଛି ବଡ ଝଟକା । ପ୍ରାର୍ଥୀ ହେବା ପରେ ସୁବାସଙ୍କୁ ନିଜ ଅଭିଜାନର ସାରଥୀ କରି ଲଢ଼ିବେ ବୋଲି କହିଥିଲେ ସୁରେଶ । ହେଲେ ପୂଜାରୀଙ୍କ ସାଥ ଦେଇନାହାଁନ୍ତି ସୁବାସ । ତେବେ କଂଗ୍ରେସ ଯିବାକୁ ସୁବାସ ଇଛୁକ ନଥିବାରୁ ବିଜେଡିକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଛି ।

ନିକଟରେ ବରଗଡ଼ ଲୋକସଭା ଆସନ ପାଇଁ ପ୍ରମୁଖ ଦାବିଦାର ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ୍ ନଦେଇ ଦଳର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ଟିକେଟ୍ ଦେଇଥିଲା । ଯାହାକୁ ନେଇ ସୁବାଷ କ୍ଷୁବ୍ଧ ହୋଇଲେ । ଏପରିକି ସୁବାସଙ୍କ ସମର୍ଥକମାନେ ବରଗଡ଼ରେ ଦଳ ବିରୋଧୀ ନାରା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଷପୁତ୍ତଳିକା ଦାହ କରି ପ୍ରତିବାଦ କରିଥିଲେ । ଏହାପରେ ସୁବାସଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ତାଙ୍କୁ ରାଜ୍ୟ ଉପସଭାପତି ଲୋଭଦେଇ ମନାଇବାକୁ ଚେଷ୍ଟା କଲା କିନ୍ତୁ ଏହା ଲାଭଦାୟକ ହେଲାନାହିଁ । ଶେଷରେ ‘ପଦ୍ମ’ ଛାଡ଼ିଛନ୍ତି ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ବିଜେପି ନେତା ସୁବାସ ଚୌହାନ ।