ଗଜପତି ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ବିଜେପିର ଟାର୍ଗେଟ: ଧର୍ମେନ୍ଦ୍ର କହିଲେ ଖାମଖିଆଲି ଭାବେ ବିପର୍ଯ୍ୟୟ ପରିଚାଳନା କରିଛନ୍ତି ରାଜ୍ୟ ସରକାର, ଇସ୍ତଫା ଦିଅନ୍ତୁ ଏସଆରସି

57

କନକ ବ୍ୟୁରୋ: ତିତଲି ବାତ୍ୟା ଯିବା ପରେ ଆସିଲା ରାଜନୀତିର ଝଡ । ତିତଲିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ପ୍ରେସମିଟ କରି ସରକାରଙ୍କ ନୋ କାଜୁଆଲିଟି ବା ଶୂନ୍ୟ ମୃତାହତକୁ ଦଳ ଟାର୍ଗେଟ କରିଛି । ତିତଲି ୪୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ତାଲିକା ଦେଇଛନ୍ତି ବିଜେପି ମୁଖପାତ୍ର । ଏସଆରସିଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ବୋଲି ଦାବି ହୋଇଛି । ସେହିପରି ରିଲିଫ, ଉଦ୍ଧାର, ପିଇବା ପାଣି ଓ ପଲିଥିନ ଯୋଗାଣରେ ମଧ୍ୟ ସରକାର ଫେଲ ମାରିଥିବା ଅଭିଯୋଗ କରିଛି ବିଜେପି । ମୃତ୍ୟୁକୁ ମାନିବାକୁ ସରକାର ନାରାଜ, ଲୋକଙ୍କ ଜୀବନ ସରକାରଙ୍କୁ ପୋକ ମାଛି ଭଳି ଲାଗୁଥିବା ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ।

ସେପଟେ ଗଜପତି ଘଟଣା ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଖାମଖିଆଲ ବିପର୍ଯ୍ୟୟ ପରିଚାଳନା ଓ ସରକାରଙ୍କ ସମ୍ବେଦନହୀନତା କାରଣରୁ ମନୁଷ୍ୟକୃତ ତ୍ରୁଟିରେ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ପ୍ରଶାସନର ବେପରୁଆ ଅପରିଣାମ ବିପର୍ଯ୍ୟୟ ପରିଚାଳନା ଓଡିଆ ଲୋକଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲିଦେଇଛି । ସବୁ ସୁଯୋଗ ଓ ସମ୍ଭାବନା ସତ୍ୱେ ବିପର୍ଯ୍ୟୟ ପରିଚାଳନା ବିଫଳ ହେବା ସହ ଲୋକଙ୍କୁ ଦୁଃଖ ଓ ଦୁର୍ଦ୍ଦଶାକୁ ଠେଲି ଦେବା ପରିତାପର ବିଷୟ । ଜିରୋ କାଜୁଆଲିଟିର ନାରା ଦେଇ ମୁଖ୍ୟମନ୍ତ୍ରୀ ନିଜକୁ ପ୍ରଚାର ମାଧ୍ୟମରେ ସୀମିତ ରଖିଲେ ବୋଲି ଧର୍ମେନ୍ଦ୍ର ଅଭିଯୋଗ ଆଣିଛନ୍ତି ।

ଅନ୍ୟପକ୍ଷରେ, ସଚିବାଳୟରେ ତିତଲି ସମୀକ୍ଷା ବୈଠକ । ବାତ୍ୟା ଓ ବନ୍ୟା ପରବର୍ତୀ ସ୍ଥିତି ନେଇ ବୈଠକରେ ସମୀକ୍ଷା ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୩ଟି ଜିଲ୍ଲାର ବନ୍ୟା ସ୍ଥିତି ନେଇ ଆଲୋଚନା କରାଯାଇଛି । ଗଂଜାମ, ଗଜପତି, ରାୟଗଡାରେ ବନ୍ୟା ସ୍ଥିତି ସ୍ୱାଭାବିକ ହୋଇଥିବା କହିଛନ୍ତି ଏସଆରସି । ଆସ୍କା, ପୁରୁଷୋତମପୁରରେ ଓଡ୍ରାଫ ଓ ଏନଡିଆରଏଫ ଟିମର ଆବଶ୍ୟକ ନାହିଁ । ଗଜପତିକୁ ଏନଡିଆରଏଫ୍ ଟିମ ପଠାଯାଉଛି । ମୁଖ୍ୟ ରାସ୍ତାଗୁଡିକ କ୍ଲିଅର ହୋଇଥିବା ଏସଆରସି କହିଛନ୍ତି ।

SRC

ଗଜପତି ଜିଲ୍ଲାରେ ବେଶି କ୍ଷତି ହୋଇଛି । ଆଜି ସଂନ୍ଧ୍ୟା ସୁଦ୍ଧା ସବୁ ରିଲିଫ କ୍ୟାମ୍ପ ବନ୍ଦ କରାଯିବାର ସୂଚନା ଦେଇଛନ୍ତି ବିଷ୍ଣୁପଦ ସେଠୀ । ହେଲେ ଖାଦ୍ୟ ବାବଦକୁ ଆସନ୍ତା ୧୫ ଦିନ ଯାଏଁ ବୟସ୍କଙ୍କୁ ଦୈନିକ ୬୦ ଟଙ୍କା ଓ ପିଲାଙ୍କୁ ୪୫ ଟଙ୍କା ଦିଆଯିବ । ତେବେ ନଗଦ ଟଙ୍କା ଦିଆନଯାଇ ତାଙ୍କ ଆକାଉଂଟକୁ ଟଙ୍କା ପଠାଯିବ । କପା, କାନ୍ଦୁଲ ଓ ଧାନ ଚାଷ ବିଶେଷ ନଷ୍ଟ ହୋଇଛି । କ୍ଷୟକ୍ଷତି ପରେ ସହାୟତା ରାଶି ଦିଆଯିବ ବୋଲି ଏସଆରସି କହିଛନ୍ତି ।