ଆଜି ନୂଆଦିଲ୍ଲୀରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ! ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ନୂଆ ଷ୍ଟ୍ରାଟେଜି

42

କନକ ବ୍ୟୁରୋ : ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜି ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି । ବୈଠକରେ ପ୍ରଧାନମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଦଳର ତୁଙ୍ଗ ନେତା, ସାଂସଦ, ବିଧାୟକ ଓ ରାଜ୍ୟ ସଭାପତିଙ୍କ ସହ ପ୍ରାୟ ୨ଶହ ନେତା ସାମିଲ ହୋଇଛନ୍ତି । ଏହି ବୈଠକରେ ୨୦୧୯ ନିର୍ବାଚନ ପାଇଁ ହେବ ମହାମନ୍ଥନ । ସାଧାରଣ ନିର୍ବାଚନକୁ ଆହୁରି ଦେଢ ବର୍ଷ ସମୟ ଥିବା ବେଳେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବେ । ଯାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ମୋଦିଙ୍କ ଅଭିଭାଷଣ ଆଗାମୀ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦଳର ରଣକୌଶଳ ନିର୍ଦ୍ଧାରଣରେ ସହାୟକ ହେବ ।

ଏହି କାର୍ଯ୍ୟକାରିଣୀ ବୈଠକ ବିଭିନ୍ନ ଦୃଷ୍ଟିରୁ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏପରିକି ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନୂଆ ଷ୍ଟ୍ରାଟେଜି ବିଷୟରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ତାହା ସହ ରୋହିଙ୍ଗ୍ୟା ମୁସଲମାନଙ୍କୁ ନେଇ ମଧ୍ୟ ଆଲୋଚନା କରାଯିବାର ସମ୍ଭାବନା ରହିଛି । ପୂର୍ବରୁ ରୋହିଙ୍ଗ୍ୟା ମୁସଲମାନଙ୍କ ଭାରତରେ ରହିବାକୁ ବିରୋଧ କରୁଛି ବିଜେପି । ତେଣୁ ଏହା ଉପରେ କୌଣସି ନିଷ୍କର୍ସ ବାହାରିବାର ସମ୍ଭାବନା ରହିଛି ।