ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଅଜହରକୁ ନେଇ ତେଜୁଛି ରାଜନୀତି ! ଗେରୁଆ ଦଳକୁ କଂଗ୍ରେସର ଟାର୍ଗେଟ୍, ଉତ୍ତର ରଖିଲା ବିଜେପି । 

125

କନକ ବ୍ୟୁରୋ : ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଅଜହରକୁ ନେଇ ଜୋର ଧରୁଛି ରାଜନୀତି । ୧୯୯୯ରେ ବିଜେପି ସରକାରଙ୍କ ଯୋଗୁଁ କାନ୍ଦାହାର ବିମାନ ଅପହରଣ ଘଟଣାରେ ମାସୁଦକୁ ମୁକ୍ତ କରାଯାଇଥିଲା ବୋଲି ଅଭିଯୋଗ କରିଛି କଂଗ୍ରେସ । ଯାହା ଫଳରେ ପୁଲୱାମା ପରି ଆକ୍ରମଣ କରିବାରେ ଆତଙ୍କବାଦୀ ସଫଳ ହୋଇଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ଅପରପକ୍ଷରେ କାନ୍ଦାହାର ଘଟଣାରେ ମାସୁଦକୁ ମୁକ୍ତ କରିବାର ନିଷ୍ପତି ସର୍ବଦଳୀୟ ବୈଠକରେ ନିଆଯାଇଥିଲା ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସେହିପରି ଏନଏସଏ ଅଜିତ ଡୋଭାଲଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ପ୍ରାୟ ଏକ ଦଶକ ପୂର୍ବରୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଅଜହରକୁ ମୁକ୍ତ କରିବା ନେଇ ବିଜେପିକୁ ଦାୟୀ କରିଛି କଂଗ୍ରେସ । ୧୯୯୯ କାନ୍ଦାହାର ବିମାନ ଅପହରଣ ଯୋଗୁଁ ମାସୁଦକୁ ମୁକ୍ତ କରାଯାଇଥିଲା  । କଂଗ୍ରେସ ସରକାର ମାସୁଦକୁ ଗିରଫ କରିଥିବା ବେଳେ ବିଜେପି ସରକାର ତାକୁ ମୁକ୍ତ କରିଥିଲେ । ଏବଂ ସେହି ଘଟଣା ପାଇଁ ଏବେ ପାକିସ୍ତାନର ଆତଙ୍କବାଦୀ ପୁଲୱାମାରେ ଆକ୍ରମଣ କରିଛି ଯେଉଁଥିରେ ୪୦ ବୀର ଯବାନ ସହିଦ ହୋଇଛନ୍ତି ବୋଲି ରାହୁଲ କହିଛନ୍ତି । ଏଥିପାଇଁ ଏନଏସଏ ଅଜିତ ଡୋଭାଲ ମଧ୍ୟସ୍ଥତା କରିବା ସହ ନିଜେ ଯାଇ କାନ୍ଦାହାରରେ ମାସୁଦକୁ ମୁକ୍ତ କରି ଆସିଥିଲେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ଏନେଇ ଅଜିତ ଡୋଭାଲଙ୍କ ଏକ ଫଟୋକୁ ରାହୁଲ ଗାନ୍ଧୀ ଟ୍ୱିଟ୍ ମଧ୍ୟ କରିଛନ୍ତି ।

ତେବେ ବିଜେପି ସରକାର ଏହାକୁ ଖଣ୍ଡନ କରିଛନ୍ତି । କାନ୍ଦାହାର ବିମାନ ଅପହରଣରେ ମାସୁଦକୁ ମୁକ୍ତ କରିବା ନେଇ ନିଷ୍ପତି ସର୍ବଦଳୀୟ ବୈଠକରେ ନିଆଯାଇଥିଲା ବୋଲି ବିଜେପି କହିଛି । ଏନଏସଏ ଅଜିତ ଡୋଭାଲଙ୍କୁ ନେଇ ରାହୁଲ ଗାନ୍ଧୀ ମିଛ କହୁଛନ୍ତି ବୋଲି ବିଜେପି ପକ୍ଷରୁ ଟ୍ୱିଟ୍ କରାଯାଇଛି । ମାସୁଦକୁ ମୁକ୍ତ କରିବା ଟିମରେ ନୁହେଁ ବରଂ ଆଲୋଚନା କରିବା ଟିମରେ ଅଜିତ ଡୋଭାଲ ଥିଲେ ବୋଲି ସରକାର କହିଛନ୍ତି । ୧୯୯୯ରେ ଗୁଇନ୍ଦା ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ଥିଲେ ଅଜିତ ଡୋଭାଲ । ସେପଟେ ରାହୁଲ ତାଙ୍କର ଏହି ବୟାନ ବେଳେ ଆତଙ୍କବାଦୀ ମାସୁଦ ଅଜହରକୁ ଜୀ ବୋଲି ସମ୍ବୋଧନ କରିବାକୁ ନେଇ ମଧ୍ୟ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି ।