ଦିଲ୍ଲୀରେ ବିଜେଡି, ଭୁବନେଶ୍ୱରରେ ବିରୋଧୀ! ଚାଷୀ ପ୍ରସଙ୍ଗରେ ସଚିବାଳୟ ଘେରିଲା ବିଜେପି, ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ

100

କନକ ବ୍ୟୁରୋ : ଦିଲ୍ଲୀରେ ବିଜେଡି କୃଷକ ଅଧିକାର ସମାବେଶ କରୁଥିବା ବେଳେ ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସଚିବାଳୟ ଘେରିଛି ବିଜେପି । ଶହ ଶହ ଚାଷୀଙ୍କୁ ଧରି ବିଜେପି ନେତା ଓ କର୍ମୀ ସଚିବାଳୟକୁ ଧଶେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ବି ରାଜଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସେପଟେ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବି କରି ଆସୁଥିବା ନବ ନିର୍ମାଣ କୃଷକ ସଂଗଠନ ବି ରାଜଭବନ ସାମ୍ନାରେ ବିକ୍ଷୋଭ କରିଛି ।

ନିର୍ବାଚନ ବର୍ଷରେ ଅଚାନକ୍ ରାଜନୈତିକ ଦଳଗୁଡିକର ଚାଷୀଙ୍କ ପ୍ରତି ଦରଦ, ଯେମିତି ଅହେତୁକ ଭାବରେ ବଢ଼ିଯାଇଛି । ଗୋଟିଏପଟେ ଚାଷୀଙ୍କୁ ନେଇ ଦିଲ୍ଲୀରେ ବିଜେଡିର ସମାବେଶ, ଆଉଗୋଟେ ପଟେ ସେହି ଚାଷୀଙ୍କ ହକ୍ ପାଇଁ ବିଜେପିର ରାଜ୍ୟ ସଚିବାଳୟ ଘେରାଉ । ଶହ ଶହ ଚାଷୀଙ୍କୁ ଧରି ବିଜେପି ନେତା ଓ କର୍ମୀ ସଚିବାଳୟକୁ ଧଶେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ବି ହୋଇଛନ୍ତି । ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ପ୍ରମୁଖ ଅସ୍ତ୍ର କରି ରାସ୍ତାକୁ ଓହ୍ଲାଇଛି ବିଜେପି ।

ଚାଷୀ ପ୍ରସଙ୍ଗରେ ବିଜେଡି ଓ ବିଜେପିର ଏହି ପ୍ରତିଦ୍ୱନ୍ଦ୍ୱିତା ଭିତରେ ପଛରେ ପଡିନି କଂଗ୍ରେସ । ଚାଷର ହକ୍ ପାଇଁ ରାଜଭବନ ସାମ୍ନାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏପଟେ ବିଜେଡିର ଦିଲ୍ଲୀ ସମାବେଶକୁ ସମାଲୋଚନା କରିଛନ୍ତି ପିସିସି ସଭାପତି । ଟ୍ୱିଟ୍ କରି ବିଜେଡି କୃଷକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଭିଯୋଗ କରିଛନ୍ତି ନିରଞ୍ଜନ । ଏପରିକି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ୍ ଦିଲ୍ଲୀରେ ପିକନିକ୍ କରିବାକୁ ଯାଇଥିବା କଡା ଟିପ୍ପଣୀ କରିଛନ୍ତି ।

ଏପଟେ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବି କରି ଆସୁଥିବା ନବ ନିର୍ମାଣ କୃଷକ ସଂଗଠନ ବି ରାଜଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଚାଷୀ ସମସ୍ୟାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଛଳନାର ନାଟକ କରୁଥିବା ଅଭିଯୋଗ କରିଛନ୍ତି ନିବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସାଧାରଣ ନିର୍ବାଚନକୁ ଆଉ ତିନି ମାସରୁ ବି କମ୍ ସମୟ ବାକି ଥିବା ବେଳେ ଏବେ ଚାଷ ଓ ଚାଷୀ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ବିଶେଷ କରି ତିନିଟି କୃଷି ପ୍ରଧାନ ରାଜ୍ୟରେ ଶାସକ ବିଜେପି ବିରୋଧରେ ଯାଇଥିବା ଜନମତ, କୃଷକଙ୍କୁ ରାଜନୀତିର କେନ୍ଦ୍ରସ୍ଥଳକୁ ନେଇ ଆସିଥିବା ଅନୁମାନ କରାଯାଉଛି ।