ଓଡିଶାରେ ଅମିତ ଶାହା: ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ସାମିଲ ହେବାକୁ ଭୁବନେଶ୍ୱରରେ ପହଞ୍ଚିଲେ ଶାହା

108

କନକ ବ୍ୟୁରୋ:  ଓଡିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ  ଅଧିବେଶନରେ ସାମିଲ ହେବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି ଶାହା । ଭୁବନେଶ୍ୱରରେ ପହଂଚିବା ପର ଦଳର ବରିଷ୍ଠ ନେତା ଏବଂ କର୍ମୀମାନେ ତାଙ୍କୁ ଫୁଲ ତୋଡା ଦେଇ ଭବ୍ୟ ସମ୍ବୋର୍ଦ୍ଧନା ଜଣାଇଛନ୍ତି ।

ତେବେ ସମାବେଶରେ ଯୋଗ ଦେବା ପୂର୍ବରୁ ପ୍ରଥମେ ଶାହା ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି  । ଏନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ମଧ୍ୟ କରାଯାଇଛି । ଏହା ପରେ ତାଳବଣିଆ ପଡିଆରେ ଜନଜାତିଙ୍କ ପାଇଁ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନ କରିବେ ଶାହା ।

ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଗତକାଲି  ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜନଜାତିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଆନ୍ତରିକତା ସଂପର୍କରେ କହିଥିଲେ । ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଏକତ୍ରିତ ହୋଇ ଶପଥ ନେବାକୁ  ସମାବେଶରେ ମୁଖ୍ୟମନ୍ତ୍ରୀ ସୋନୱାଲ ଆହ୍ୱାନ ଦେଇଥିଲେ ।