ମୋଦି ଆସିବା ଆଗରୁ ମୁହାଁମୁହିଁ ! ବିଜେପିର ବିକାଶ ବନାମ ବିଜେଡିର ବିଫଳତା ଏଜେଣ୍ଡା ।

43

ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ମୋଦିଙ୍କ ଓଡିଶା ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ମୋଦିଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଏବଂ କେନ୍ଦ୍ର ସରକାରଙ୍କର ବିକାଶ ହିଁ ପ୍ରସଙ୍ଗ ରହିବ । ତେବେ ଓଡିଶା ଗସ୍ତରେ ମୋଦି ବିଜେପି ସରକାରର ୪ ବର୍ଷର ଉପଲବ୍ଧି ବଖାଣିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଓଡିଶା ଗସ୍ତରେ ମୋଦି ଓଡିଶାବାସୀଙ୍କୁ କେନ୍ଦ୍ର ସରକାରର ୪ ବର୍ଷର ଉପଲବ୍ଧି ସମ୍ପର୍କରେ ବଖାଣିବେ । ବିଜେପି ସରକାରକୁ ଆସିବା ପରେ ହୋଇଥିବା ଯୋଜନାଗୁଡିକୁ ଓଡିଶାବାସୀଙ୍କ ଆଗରେ ଲୋକାଭିମୁଖ କରାଯିବ । ତେବେ ଯୋଜନାଗୁଡିକ ମଧ୍ୟରେ ଜାତୀୟ ରାଜପଥ, ବିମାନ ସେବା, ଏନଆରଜିଏସ୍, ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନା, ଆବାସ ଯୋଜନା, ସୌଭାଗ୍ୟ ଯୋଜନାର ଉପଲବ୍ଧିକୁ ପ୍ରାଥମିକତା ଦେବ ଭାରତୀୟ ଜନତା ପାର୍ଟି ।

ଏହା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ବିଜେଡି ଉତ୍ତର ଦେଉ ଯେ, ସେମାନେ କାହିଁକି ଆୟୁଷ୍ମାନ ଯୋଜନାକୁ ବିରୋଧ କରୁଛନ୍ତି । ରାଜ୍ୟରେ ଏକ ପ୍ରକାର ଅଘୋଷିତ ଏମରଜେନ୍ସି ଚାଲିଛି । ତେବେ ମୋଦିଙ୍କ ବିକାଶର ଆଲୋକରେ ଅନ୍ୟ ମାନଙ୍କର ବିଫଳତା ଆପେ ଆପେ ଦେଖାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେପଟେ ଅଭିଜିତ୍ ଆୟାରଙ୍କ କାଟୁ ମନ୍ତବ୍ୟ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଆମ ବିଧାୟକମାନେ ବିଧାନସଭାରେ ଏଭଳି ମନ୍ତବ୍ୟ ଉପରେ ନିଜ ମତ ରଖି ସାରିଛନ୍ତି । ରାଜ୍ୟ ସରକାର କିନ୍ତୁ ରାଜନୈତିକ ରୁଟି ସେକିବା ବନ୍ଦ କରନ୍ତୁ । ରାଜନୀତି ନକରି ଏଭଳି ମନ୍ତବ୍ୟ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ଆଇନ ଉପରେ କେହି ନୁହନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ୍ । ସେ କହିଛନ୍ତି, ସାଢେ ଚାରି ବର୍ଷରେ ମୋଦି ଓଡିଶାର କେତେ ବିକାଶ କରିଛନ୍ତି, ତାହା ଜଳଜଳ ହୋଇ ଦେଖାଯାଉଛି । ମୋଦି ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଥିବା ପ୍ରତାପ ଦେବ କହିଛନ୍ତି । କେନ୍ଦ୍ର ସରକାରଙ୍କ ପୂର୍ବରୁ ରାଜ୍ୟ ସରକାର ପ୍ରଥମେ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରାଇ ଲୋକମାନଙ୍କୁ ଉପକୃତ କରାଇଛନ୍ତି ।

ଆମରି ପଇସା ଆମଠୁ ନେଇ ଯୋଜନା ବନେଇ କେନ୍ଦ୍ର ସରକାର ବାହା ବାହା ନେଉଥିବା ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି । ସେପଟେ ଅଭିଜିତ ଆୟାରଙ୍କ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଦେବ । ସେ କହିଛନ୍ତି ଆମେ ବିଜେପି ଭଳିଆ ନୁହଁ । ସାମାଜିକ ଟେନସନ୍ ତିଆରି କରି ରାଜନୈତିକ ରୁଟି ସେକିବା କାମ ବିଜୁ ଜନତା ଦଳ କରେ ନାହିଁ । ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ନିଆଯିବ । କେନ୍ଦ୍ରମନ୍ତ୍ରୀ ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ ବୋଲି କହିଛନ୍ତି ପ୍ରତାପ ଦେବ ।