ବିଜୁ ପକ୍କା ଘର ବିବାଦ ! ବିଜେପି କହିଲା ମିଛ କହୁଛନ୍ତି ସରକାର । ବିଜେଡିର ପ୍ରଶ୍ନ, ହିସାବ ପାଇବା ପରେ ବି କାହିଁକି ନାଟକ କରୁଛି ଗେରୁଆ ଦଳ । 

92

କନକ ବ୍ୟୁରୋ : ରାଜ୍ୟରେ ବିଜୁ ପକ୍କାଘର ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ରାଜ୍ୟ ସରକାର ଓଡିଶାରେ ବର୍ତମାନ ସୁଦ୍ଧା ୨୦ ଲକ୍ଷ ବିଜୁ ପକ୍କା ଘର କରିଥିବା କହୁଥିବା ବେଳେ ଏହାକୁ କଡା ସମାଲୋଚନା କରିଛି ବିଜେପି । ଦଳୀୟ ମୁଖପାତ୍ର ଗୋଲକ ମହାପାତ୍ର, ବିଜେଡି ସରକାର ମିଛ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛନ୍ତି । ବିଧାନସଭାରେ ଦେଇଥିବା ସରକାରଙ୍କ ତଥ୍ୟ ଅନୁସାରେ ଏହା ସଂପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି । କେନ୍ଦ୍ରୀୟ ସହାୟତାରେ ତିଆରି ହୋଇଥିବା ପକ୍କା ଘରକୁ ମଧ୍ୟ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଥିବା ଗୋଲକ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏହାର କଡା ଜବାବ ରଖିଛି ବିଜେଡି । ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ରାଜ୍ୟର ଗରିବ ଲୋକଙ୍କ ପକ୍କା ଘରକୁ ସହ୍ୟ କରି ପାରୁନି ବିଜେପି । ୨୦ ଲକ୍ଷ ପକ୍କା ଘର ନିର୍ମାଣ କରି ରାଜ୍ୟ ସରକାର ଗରିବ ପରିବାର ମୁହଁରେ ହସ ଫୁଟାଇଥିବା ବେଳେ ବିଜେପି ନାଟକବାଜି କରୁଛି । ଅତୀତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଦଳର ଅନ୍ୟ ନେତାମାନେ ରାଜ୍ୟରେ ୨୦ ଲକ୍ଷ ପକ୍କା ଘର ନିର୍ମାଣ ଉପରେ ବାରମ୍ବାର ପ୍ରଶ୍ନ କରିଥିଲେ । ସେମାନଙ୍କ ଭ୍ରମ ଦୂର ପାଇଁ ରାଜ୍ୟ ସରକାର ନିଜ ୱେବସାଇଟରେ ୨୦ ଲକ୍ଷ ପକ୍କା ଘରର ସମ୍ପୂର୍ଣ୍ଣ ତାଲିକା ଦେଇଥିଲେ । ହିତାଧିକାରୀଙ୍କ ନାଁ ସହ ଜାଗା ଏବଂ ଫଟୋ ସରକାରୀ ୱେବସାଇଟରେ ଉପଲବ୍ଧ କରାଯାଇଛି । ତେବେ ୨୦ ଲକ୍ଷ ପକ୍କା ଘରର ହିସାବ ପାଇଲା ପରେ ବି ବିଜେପି କାହିଁକି ନାଟକ କରୁଛି ବୋଲି ବିଜେଡି ପ୍ରଶ୍ନ କରିଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଥିଲେ ଯେ, ଓଡିଶାବାସୀଙ୍କୁ ରାଜ୍ୟ ସରକାର ମିଛ କହୁଛନ୍ତି । ରାଜ୍ୟ ସରକାରଙ୍କୁ ମିଥ୍ୟା ତଥ୍ୟର ସୌଦାଗର କହିବା ସହ କାଗଜପତ୍ରରେ ଗୋଟିଏ କଥା ଏବଂ ବିଜ୍ଞାପନରେ ଆଉ ଗୋଟିଏ କଥା କହୁଥିବା ବିଜେପି କହିଛି । ୧୧.୯.୧୮ରେ ବିଧାନସଭାରେ ପ୍ରଦୀପ ମହାରଥୀ ଲିଖିତ ଉତ୍ତର ରଖିଥିଲେ ଯେ, ୩ ଲକ୍ଷ ୭୭ ହଜାର ଘର ରାଜ୍ୟ ସରକାର କରିଛନ୍ତି ଓ ୧୭ ଲକ୍ଷ ଘର ଅନ୍ୟ କେନ୍ଦ୍ରୀୟ ଯୋଜନାରେ କରାଯାଇଛି । କିନ୍ତୁ ରାଜ୍ୟ ସରକାର ୨୦ ଲକ୍ଷ ଘର କରାଇଥିବା ସମସ୍ତ ଖବରକାଗଜରେ ବିଜ୍ଞାପନ ଦେଉଛନ୍ତି ବୋଲି ବିଜେପି କହିଛି ।