ରେଳବାଇ ବିଭାଜନକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅର୍ଥନୈତିକ ଅବରୋଧର ଧମକ ଦେଲା ବିଜେଡି । 

66

କନକ ବ୍ୟୁରୋ : ପୂର୍ବତଟ ରେଳବାଇର ବିଭାଜନକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ଦକ୍ଷିଣତଟ ରେଳବାଇ ଗଠନ ପାଇଁ ଓଡ଼ିଶାର ପ୍ରମୁଖ ଅଂଚଳକୁ ଅଲଗା କରିବା ନିଷ୍ପତିକୁ ବିରୋଧ କରିଛି ବିଜୁ ଜନତା ଦଳ । ଆଜି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିବା ସହ ଅର୍ଥନୈତିକ ଅବରୋଧର ଧମକ ଦିଆଯାଇଛି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପୂର୍ବତଟ ରେଳବାଇରୁ ଗୋଟିଏ ଇଂଚ ବି ଜାଗା ଯିବ ନାହିଁ । ବରଂ ରାୟଗଡ଼ାରେ ରେଲୱେ ଡିଭିଜନ ହେଲେ ପଛୁଆ ଅଂଚଳର ବିକାଶ ହୋଇପାରିବ ବୋଲି କହିଛନ୍ତି ମନୋଜ ସିହ୍ନା ।

ଭିତରେ ସଭା, ବାହାରେ ପ୍ରତିବାଦ । ରେଳବାଇ ବିଭାଜନକୁ ନେଇ ମୁହାଁମୁହିଁ । ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ, ନୂଆ ଭାରତର ନୂଆ ରେଳପଥର ଅନୁଭୂତି ବଖାଣୁଥିବା ବେଳେ ଆଉ ଗୋଟିଏ ପଟେ ପୂର୍ବତନ ରେଳବାଇର ବିଭାଜନକୁ ବିରୋଧ କରୁଛି ବିଜେଡି । ପୂର୍ବତଟ ରେଳବାଇର ପ୍ରମୁଖ ଅଂଶକୁ ଅଲଗା କରି ଦକ୍ଷିଣତଟ ରେଳବାଇ ଗଠନ ପାଇଁ ନିଷ୍ପତି ହୋଇଥିବା ବେଳେ ଏହାକୁ ବିରୋଧ କରିଛି ବିଜୁ ଜନତା ଦଳ । ରେଲୱେ ସେବା କ୍ଷେତ୍ରରେ ଓଡ଼ିଶାକୁ ଦୁର୍ବଳ କରିବାକୁ ବିଜେପି ଚକ୍ରାନ୍ତ କରୁଥିବା ଅଭିଯୋଗ କରିବା ସହ ଅର୍ଥନୈତିକ ଅବରୋଧର ଚେତାବନୀ ଦେଇଛି ବିଜେଡି ।

ଏପଟେ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ । କହିଛନ୍ତି, ଦକ୍ଷିଣତଟ ରେଲୱେ ଜୋନ୍ ହେଲେ ମଧ୍ୟ ପୂର୍ତତଟ ରେଲବାଇର ଗୋଟିଏ ଇଂଚ ରେଳ ଲାଇନ୍ ଓଡ଼ିଶା ଭାଗରୁ ଯିବ ନାହିଁ । ବରଂ ପଛୁଆ ଅଂଚଳର ବିକାଶକୁ ଦୃଷ୍ଟିରେ ରଖି, ରାୟଗଡ଼ାରେ ଆଉ ଏକ ଡିଭିଜିନ୍ ଗଠନ କରାଯିବ ବୋଲି କହିଛନ୍ତି । ଆଉ ଏପଟେ ଗୋଟିଏ ପାଦ ଆଗକୁ ଯାଇ, ପାଲଟା ବିଜେଡି ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେତେବେଳେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ବିଲ୍ ସଂସଦରେ ପାସ୍ ହେଲା, ସେତେବେଳେ ବିଜେଡି ବନ୍ଧୁମାନେ କଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ ରେଳ ରାଷ୍ଟ୍ରମନ୍ତ୍ରୀ ଭୁବନେଶ୍ୱର ରେଲୱେ ଅଡିଟାରିୟମରୁ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି ।