ରାଜନୀତିର ବିରଳ ଦୃଶ୍ୟ । ରାଜ୍ୟସଭା ପାଇଁ ମିଳିମିଶି ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି-ବିଜେପି ନେତା ।

148

କନକ ବ୍ୟୁରୋ : ରାଜ୍ୟସଭାରେ ଖାଲି ପଡିଥିବା ଓଡିଶାର ୩ ଟି ଆସନରେ ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନାମାଙ୍କନ ଭରିଛନ୍ତି । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ଏସବୁ ଭିତରେ ବିରଳ ଦୃଶ୍ୟ ଥିଲା, ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ, ଏକାଠି ହୋଇ ମିଳିମିଶି ନାମାଙ୍କନ ଦାଖଲ କରୁଥିଲେ । ମାତ୍ର କିଛି ମାସ ପୂର୍ବରୁ ନିର୍ବାଚନ ପାଇଁ ଜୋରଦାର ଲଢେଇ ହୋଇଥିବା ଏହି ଦୁଇ ଦଳ ମଧ୍ୟରେ ହଠାତ୍ ସମ୍ପର୍କରେ ଏକ ପରିବର୍ତନ ସହଜରେ ବାରି ହେଉଥିଲା ।

୨୦୦୯ରେ ବିଜେଡି-ବିଜେପି ମେଂଟ ଭାଙ୍ଗିଯିବା ପରେ ବୋଧହୁଏ ରାଜ୍ୟ ରାଜନୀତିରେ ଏଭଳି ଚିତ୍ର କେବେ ଦେଖିବାକୁ ମିଳିନାହିଁ । ଯେତେବେଳେ ବିଜେଡି ନେତାଙ୍କ ଉପସ୍ଥିତିରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନବୀନଙ୍କ ସମର୍ଥନ ଘୋଷଣା ଚର୍ଚ୍ଚା ପାଇଁ ଯେତିକି ଖୋରାକ ଯୋଗାଇଥିଲା । ସୋମବାର ବିଜେପି ପ୍ରାର୍ଥୀଙ୍କ ନାମାଙ୍କନବେଳେ ବିଜେଡି ପ୍ରାର୍ଥୀଙ୍କ ଉପସ୍ଥିତି ତାଠାରୁ ବେଶି ରୋଚକ ହୋଇଛି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଜେଡି ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ । ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି, ଯାହାର କାର୍ଯ୍ୟକାଳ ୨୦୨୪ ଯାଏଁ ରହିଛି । ସେହିପରି ପ୍ରତାପ ଦେବଙ୍କ ସ୍ଥାନରେ ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ତାଙ୍କ କାର୍ଯ୍ୟକାଳ ୨୦୨୨ ଯାଏଁ ରହିଛି ।

ଦୁଇ ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ ପରେ ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ । ବିଜେଡି ତାଙ୍କୁ ସମର୍ଥନ ଯୋଗାଇ ଦେଇଥିବାରୁ ଅଶ୍ୱିନୀଙ୍କ ନାମାଙ୍କନ ବେଳେ ବିଜେଡି ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ନାମାଙ୍କନ ଭରିଥିବା ଅଶ୍ୱିନୀ ଆଗାମୀ ୫ ବର୍ଷ ପାଇଁ ରାଜ୍ୟସଭା ସଦସ୍ୟ ରହିବେ । କାରଣ ସୌମ୍ୟରଞ୍ଜନଙ୍କ କାର୍ଯ୍ୟକାଳ ୨୦୨୪ ଯାଏଁ ରହିଥିଲା । ଏବେ ଟିକେ ନଜର ପକାନ୍ତୁ ଏହି ତଥ୍ୟ ଉପରେ-

ବିଜେପି ପ୍ରାର୍ଥୀଙ୍କୁ ବିଜେଡି କେବଳ ସମର୍ଥନ ଦେଇନାହିଁ । ବରଂ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ୨୦୨୪ ଯାଏଁ ପଠାଇବାକୁ ନିଷ୍ପତି କରିଛି । ଅର୍ଥାତ ଆଗାମୀ ୫ ବର୍ଷ ଯାଏଁ ସେ ରାଜ୍ୟସଭା ସଦସ୍ୟ ରହିବେ । ହେଲେ ନିଜ ଦଳର ପ୍ରାର୍ଥୀ ସସ୍ମିତ ପାତ୍ରଙ୍କୁ ୨୦୨୨ ଯାଏଁ ରାଜ୍ୟସଭା ପଠାଇବାକୁ ନିଷ୍ପତି କରିଛି ବିଜୁ ଜନତା ଦଳ । ଏଥର ସାଧାରଣ ନିର୍ବାଚନରେ ୬ଜଣ ରାଜ୍ୟସଭା ସଦସ୍ୟ ପ୍ରତିଦ୍ୱନ୍ଦିତା କରିଥିଲେ । ଏମାନଙ୍କ ମଧ୍ୟରୁ ୪ଜଣ ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଖାଲି ହୋଇଥିବା ୪ଟି ଯାକ ଆସନ ବିଜେଡି ପାଖରେ ଥିଲା । ଅନୁଭବ ଖାଲି କରିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେଉନାହିଁ । ତେବେ ସଂଖ୍ୟା ଦୃଷ୍ଟିରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ତିନିଟିଯାକ ଆସନରେ ବିଜେଡି ପ୍ରାର୍ଥୀମାନେ ପୁନଃ ନିର୍ବାଚିତ ହେବା ସହଜ ଥିଲା । ପୃଥକ ପୃଥକ ଭାବେ ନିର୍ବାଚନ ହେବାକୁ ଥିବାରୁ ତିନିଟି ଯାକ ଆସନ ଅକ୍ତିଆର କରିବା ଅସମ୍ଭବ ନଥିଲା ।

ବିଧାନସଭାରେ ବିଜେପିର ସଂଖ୍ୟା ୨୩ ଓ କଂଗ୍ରେସର ଆସନ ୯, ଯାହା ରାଜ୍ୟସଭା ଉପନିର୍ବାଚନ ପ୍ରସଙ୍ଗରେ ମୂଲ୍ୟହୀନ । ତେଣୁ ପ୍ରତିଦ୍ୱନ୍ଦୀ ଦଳକୁ ଗୋଟିଏ ରାଜ୍ୟସଭା ଆସନ ଟେକିଦେଇ ବିଜେଡି କେନ୍ଦ୍ର ସରକାରଙ୍କଠାରୁ କି ପ୍ରକାର ଅନୁଗ୍ରହ ଆଶା କରୁଛି ତାହା ହିଁ ସବୁଠାରୁ ଉତ୍କଣ୍ଠାର ବିଷୟ ପାଲଟିଛି ।