ରୋଡପତିରୁ କେମିତି ହେଲେ କୋଟିପତି ? ବିଜେପି ମୁଖପାତ୍ରଙ୍କ ଟାର୍ଗେଟରେ ରବର୍ଟ ଭଦ୍ରା ।

223

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, କେନ୍ଦ୍ରରେ ବିଜେପି ସରକାର ଏବଂ କଂଗ୍ରେସ ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ସେତିକି ବଢି ବଢି ଚାଲିଛି । ଆଉ ଏହି କ୍ରମରେ ଏବେ ରବର୍ଟ ଭଦ୍ରାଙ୍କୁ ନିଶାନା କରିଛି ବିଜେପି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧି ଏବଂ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ କାର୍ଯ୍ୟାଳୟ ଆଗରେ ଅପରାଧୀ ମାନଙ୍କର ପୋଷ୍ଟର ଲାଗିଛି ।

ସୂଚନା ଅନୁଯାୟୀ, ମନି ଲଣ୍ଡରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ଇଡି ପଚରାଉଚୁରା କରୁଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ଭଦ୍ରାଙ୍କ ନାଁରେ ଅଭିଯୋଗ ଆଣିବା ସହ କହିଛନ୍ତି ଯେ, ଭ୍ରଷ୍ଟାଚାର ହେଉଛି କଂଗ୍ରେସର ଏଜେଣ୍ଡା । ଭଦ୍ରାଙ୍କର ଲଣ୍ଡନରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ରାହୁଲ ଗାନ୍ଧି ଅପରାଧୀ ନମ୍ବର ୱାନ୍, ଏବଂ ରବର୍ଟ ଭଦ୍ରା ଅପରାଧୀ ନମ୍ବର ଟୁ ବୋଲି ସମ୍ବିତ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୦୯ ମସିହାରେ ରବର୍ଟ ଭଦ୍ରା ପେଟ୍ରୋଲିୟମ୍ ଡିଲ୍ ଏବଂ ପ୍ରତିରକ୍ଷା ଡିଲ ଜରିଆରେ ଦଲାଲି କରିଥିଲେ । ୟୁପିଏ ସରକାର ସମୟରେ ଏହି ଦଲାଲି ହୋଇଥିଲା । ଯେଉଁଥିରେ ରବର୍ଟ ଭଦ୍ରାଙ୍କୁ ଲକ୍ଷ ଲକ୍ଷ ପାଉଣ୍ଡ ମିଳିଥିବା ବିଜେପି ମୁଖପାତ୍ର କହିଛନ୍ତି । ତେବେ ଏହାରି ଭିତରେ ରବର୍ଟ ଭଦ୍ରାଙ୍କୁ ନେଇ ଆଉ ଏକ ବଡ ବୟାନ ରଖିଛନ୍ତି ସମ୍ବିତ ପାତ୍ର । ରବର୍ଟ ଭଦ୍ରା ରୋଡପତିରୁ କୋଟିପତି କେମିତି ହେଲେ ସେନେଇ ସମ୍ବିତ ପ୍ରଶ୍ନ କରିଛନ୍ତି । ତେବେ ବେଆଇନ୍ ଭାବେ ଭଦ୍ରା ସମ୍ପତ୍ତି କିଣିଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।