ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିଜେପି ପ୍ରହାର! କିଏ କହୁଛି ଚକଲେଟ ଚେହେରା ତ କିଏ କହୁଛି ଠିକ୍ ନାହିଁ ପ୍ରିୟଙ୍କାକ ମାନସିକ ସ୍ଥିତି ?

113

କନକ ବ୍ୟୁରୋ : ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ ପ୍ରିୟଙ୍କାଙ୍କ ଉପରେ ଜୋରଦାର ପ୍ରହାର । ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟା କହିଛନ୍ତି, କଂଗ୍ରେସର ଆତ୍ମବିଶ୍ୱାସ ନାହିଁ ବୋଲି ଚକଲେଟ୍ ଚେହେରାକୁ ଆଣି ଭୋଟ୍ ନେବାକୁ ଉଦ୍ୟମ କରୁଛନ୍ତି । ଗୋଟିଏ ପାଦ ଆଗକୁ ଯାଇ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ପରୋକ୍ଷରେ କହିଛନ୍ତି, ପ୍ରିୟଙ୍କାଙ୍କ ମାନସିକ ସ୍ଥିତି ଠିକ୍ ନାହି ାଁ ବିହାର ସରକାରର ମନ୍ତ୍ରୀ ବିନୋଦ ଝା, ପ୍ରିୟଙ୍କା ଗାନ୍ଧୀଙ୍କୁ ଆକ୍ଷେପ କରି କହିଛନ୍ତି, ସୁନ୍ଦରୀ ହେଲେ ଅଧିକ ସିଟ୍ ମିଳିବନାହିଁ । ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ଉତର ପ୍ରଦେଶ ମହାସଚିବ ଘୋଷଣା କରିବା ପରେ ଜାତୀୟ ରାଜନୀତି ସରଗରମ ହୋଇଉଠିଛି ।

କଂଗ୍ରେସର ଦଳୀୟ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟ ରାଜନୀତିରେ ପ୍ରବେଶକୁ ନେଇ ଯେମିତି ଚର୍ଚ୍ଚା ହୋଇଥିଲା, ତାହାଠାରୁ  ଅଧିକ ଚର୍ଚ୍ଚା ହେଉଛି-ତାଙ୍କ ସଂପର୍କରେ ବିଜେପି ନେତା ରଖୁଥିବା ବୟାନକୁ ନେଇ । ବିହାରର ବିଜେପି ମନ୍ତ୍ରୀ ବିନୋଦ ଝାଙ୍କ ‘ସୁନ୍ଦରୀ’ ବୟାନର ଝଡ ଥମି ନଥିବା ବେଳେ ପ୍ରିୟଙ୍କାଙ୍କୁ ଚକଲେଟ ଚେହେରାର ଆଖ୍ୟ ଦେଇଛନ୍ତି ବିଜେପି ସାଂସଦ ।

ଗତକାଲି, ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ମନ୍ତବ୍ୟ ରଖିଥିବା କୈଳାଶ ବିଜୟବର୍ଗିୟାଙ୍କ ବୟାନ କିନ୍ତୁ ଗୋଟିଏ ଦିନରେ ବଦଳି ଯାଇଛି । ଆଜି ବିଜୟବଗିୟା କହିଛନ୍ତି । ମିଡିଆ ବନ୍ଧୁ ମାନଙ୍କୁ ଅନୁରୋଧ କରୁଛି, ମୋର ବୟାନଟିକୁ ପୁଣି ଥରେ ଦେଖନ୍ତୁ । ସେଭଳି କୌଣସି ବୟାନ ରଖି ନାହିଁ । ‘ଚକଲେଟ୍ ଚେହେରା’ ଶବ୍ଦର ପ୍ରୟୋଗ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ସଂପର୍କରେ କରିଥିଲି । କୌଣସି ରାଜନୈତିକ ନେତାଙ୍କ ସଂପର୍କରେ ନୁହେଁ ।

ଏପଟେ ବରିଷ୍ଠ ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଆଉ ଗୋଟିଏ ପାଦ ଆଗେଇ ଯାଇ, ପ୍ରିୟଙ୍କା ଗାନ୍ଧୀଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ଏବଂ ସେ ରୋଗିଣୀ ବୋଲି କହିବାକୁ ପଛାଇ ନାହାଁନ୍ତି । ପ୍ରିୟଙ୍କାଙ୍କୁ ନେଇ ବିଜେପିର ପ୍ରହାର ଏତିକିରେ ସରିନି, ସୁବ୍ରମଣ୍ୟମ୍ ସ୍ୱାମୀ ଏବଂ କୌଳାଶ ବିଜୟବର୍ଗିଆଙ୍କ ପୂର୍ବରୁ ବିହାର ସରକାରରେ ମନ୍ତ୍ରୀ ବିନୋଦ ଝା-ପ୍ରିୟଙ୍କା ଗାନ୍ଧୀଙ୍କୁ ଆକ୍ଷେପ କରି କହିଥିଲେ-ସୁନ୍ଦରୀ ହେଲେ ଅଧିକ ସିଟ୍ ମିଳିବନାହିଁ । ଏପଟେ କେବଳ ଇନ୍ଦିରାଙ୍କ ପରି ଦେଖାଯାଉଥିବା ପ୍ରିୟଙ୍କାଙ୍କ ଭିତରେ ଜେଜେ ମାଆଙ୍କ ପରି ଦକ୍ଷତା ରହିଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ।

ବିଜେପି ନେତା-ମନ୍ତ୍ରୀଙ୍କ ଏହି ସବୁ ବୟାନ୍ରୁ ହୁଏତ, ଗୋଟିଏ କଥା ସ୍ପଷ୍ଟ ବାରି ହୋଇ ପଡୁଛି । ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟ ରାଜନୀତିରେ ଉପସ୍ଥିତି, କେଉଁଠି ନା କେଉଁଠି ବିଜେପିକୁ ବଡଧରଣର ଚ୍ୟାଲେଂଜ୍ ଭାବରେ ସାମ୍ନାକୁ ଆସିଛି ।