ରାଜନୀତିର ଭିନ୍ନ ରଙ୍ଗ ! ସହିଦ ଯବାନଙ୍କୁ ନେଇ ବୟାନବାଜି, ବିଜେପି-ବିଜେଡି ମୁହାଁମୁହିଁ ।

325

କନକ ବ୍ୟୁରୋ: ପୁଲୱାମା ସହିଦ ଯବାନଙ୍କୁ ନେଇ ରାଜନୀତି । ବିଜେଡି ନାଁରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ ଆଣିବା ପରେ ବିଜେଡିର କଡ଼ା ଜବାବ । ବିଜେପି ନେତ୍ରୀ ଲେଖାଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଆରୋପ ଲଗାଇ କହିଛନ୍ତି ଯେ, ପୁଲୱାମା ସହିଦଙ୍କ ଶୋକରେ ସାରାଦେଶ ବୁଡ଼ିଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି । ଯାହାକି ସହିଦ ଯବାନଙ୍କ ପ୍ରତି ଉପହାସ କହି ବିଜେଡିକୁ ସମାଲୋଚନା କରିଛନ୍ତି ଲେଖାଶ୍ରୀ । ଯାହାର ଜବାବ ରଖିଛି ବିଜେଡି।

ବିଜେଡ଼ି କହିଛି ବିଜେପି ନେତ୍ରୀ ଲେଖାଶ୍ରୀ ମାନସିକ ଭାରସାମ୍ୟ ହରାଇଛନ୍ତି । ମେଡ଼ିକାଲ ବିଜ୍ଞାନରେ ଏକ ଇଂରାଜୀ ଶବ୍ଦ- ‘ସିଲେକ୍ଟିଭ୍ ମେମୋରୀ ଲସ୍’ ବା ସ୍ମରଣ ଶକ୍ତି ହରାଇବା ଶବ୍ଦର ଯଥାର୍ଥ ଲେଖାଶ୍ରୀଙ୍କ ପାଇଁ ଉଦିଷ୍ଟ ବୋଲି କହିଛି ବିଜେଡି । ଏପରିକି ପୁଲୱାମା ଆତଙ୍କୀ ହମଲାର କିଛିଦିନ ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ ଓ ବିଜେପିର ନେତାମାନେ ଅନେକ ରାଜନୈତିକ ସରକାରୀ କାର୍ଯ୍ୟକ୍ରମ କରୁଛନ୍ତି । ଦିଲ୍ଲୀରେ ବନ୍ଦେ ଭାରତ’ ଏକ୍ସପ୍ରେସର ଉଦଘାଟନ ଧୁମଧାମରେ ପାଳନ କରିବା ହେଉ ଗତକାଲି ଭଦ୍ରକଠାରେ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଲେଖାଶ୍ରୀଙ୍କର ବୋଧେ ମନେ ପଡୁନାହିଁ । କିମ୍ବା ଏହାକୁ ଜାଣିଶୁଣି ଭୂଲିବାର ଅଭିନୟ କରୁଛନ୍ତି ଲେଖାଶ୍ରୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲୋଚନା ଦାସ ।

ଏପରିକି ବିଜେପି ନେତ୍ରୀ ଲେଖାଶ୍ରୀ ଏକ ପ୍ରକାର ଅଭ୍ୟାସଗତ ମିଛୁଆ ତଥା ବିକୃତ ଓ ତଳସ୍ତରର ଆଚରଣ ଏବଂ ଉଚାରଣ ରାଜ୍ୟବାସୀଙ୍କୁ ଅଛପା ନାହିଁ । ବିଜେପିରେ ଅନ୍ୟ ନେତ୍ରୀମାନେ ଆସିଲା ପରେ ଲେଖାଶ୍ରୀ ନିଜକୁ ହତାଶ ଅନୁଭବ କରି ଭାରସାମ୍ୟ ହରାଇ ଏଭଳି ବକ୍ତବ୍ୟ ରଖୁଥିବା କହି କଡ଼ା ସମାଲୋଚନା କରିଛି ବିଜେଡି ।