ବେରୋଜଗାରୀ ପାଇଁ  ମୁହାଁମୁହିଁ ବିଜେପି-ବିଜେଡି ! ନିର୍ବାଚନ ପାଇଁ ଫୋକସରେ ଯୁବପିଢ଼ୀ ।

108

କନକ ବ୍ୟୁରୋ: ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା । ବେରୋଜଗାରଙ୍କୁ ନିଯୁକ୍ତି ଦାବି  ଏବଂ ବିଭିନ୍ନ ସମସ୍ୟାନେଇ ଯୁବକଙ୍କ ହକ୍ ପାଇଁ ଶାସକଦଳ ବିରୋଧରେ ଗର୍ଜିବ ବିଜେପି ଯୁବମୋର୍ଚ୍ଚା । ଏନେଇ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ପୂର୍ବରେ ବିଭିନ୍ନ ସମୟରେ ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନ କରିଆସିଛି । କିନ୍ତୁ ସରକାର ରୋଜଗାର ପାଇଁ କିଛି ପଦକ୍ଷେପ ନେଉନାହାନ୍ତି  । 

ଏପରିକି ବିଜେପି ଯୁବମୋର୍ଚ୍ଚା ସଭାପତି ବିଜେଡିର ବଲାଙ୍ଗୀର ଯୁବ ସମାବେଶକୁ ମଧ୍ୟ ଟାର୍ଗେଟ କରି ବଲାଙ୍ଗୀର ଯୁବକ ଯୁବତୀମାନଙ୍କ ରୋଜଗାର ପାଇଁ କଣ କରିଛନ୍ତି ରାଜ୍ୟ ସରକାର ? ବିଜୁ ଯୁବ ବାହିନୀ ନାଁରେ  ଦଳୀୟ  ସମାବେଶ କରୁଛନ୍ତି । ବିଜୁ ଯୁବ ବାହିନୀର କର୍ମକର୍ତ୍ତାମାନଙ୍କୁ ସିଙ୍ଗାପୁର ବୁଲେଇନେବାକୁ ଯୋଜନା କରୁଛନ୍ତି ବୋଲି ଅଭିଯୋଗର ଫର୍ଦ୍ଧ ଖୋଲିଛନ୍ତି ବିଜେପି । 

ସେପଟେ ବିଜେଡି ମଧ୍ୟ ଏହାର କଡ଼ା ଜବାବ୍ ରଖିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନେତାମାନେ ସରକାରୀ ଖର୍ଚ୍ଚରେ ଗତ ୪,୫ ବର୍ଷ ଭିତରେ ସାଢେ ୫ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ଏହା ସଂସଦର ଉତ୍ତର କହୁଛି । କେନ୍ଦ୍ର ସରକାରଙ୍କ ମୁଖା ଖୋଲିବାକୁ ଯଦି ବିଜେଡି ଦିଲ୍ଲୀ ଯାଉଛି ଏହା ବିଜେପିକୁ ଭାରି ବାଧିଯାଉଛି ବୋଲି କହି କଟାକ୍ଷ କରିଛନ୍ତି ସସ୍ମିତ । ଆପଣଙ୍କ ନେତା ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ବୁଲିବାକୁ ଯାଉଛନ୍ତି । ବଡ ବଡିଆ ବୁଲିବାକୁ ଗଲେ ଭଲ । ସାଧାରଣ ଲୋକ ବୁଲିବାକୁ ଗଲେ କାହିଁକି ବାଧୁଛି ବୋଲି ପ୍ରଶ୍ନ କରିଛି ବିଜେଡ଼ି ।