ବିଜେପି ଟାର୍ଗେଟରେ ବିଜେଡି ! ନିର୍ବାଚନ ପୂର୍ବରୁ ‘କାଳିଆ’ ଯୋଜନା ନେଇ ବିଜେପିର ଅଭିଯୋଗ, କହିଲେ ଯୋଜନାରେ ଚାଷୀଙ୍କୁ ମିଳୁନି ପଇସା ।

256

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଶାସକ ବିଜେଡିକୁ ବ୍ୟାକଫୁଟକୁ ଠେଲିବାକୁ ବିଜେପିର ରଣନୀତି । ‘କାଳିଆ’ ଯୋଜନା ଜରିଆରେ ବିଜେଡିକୁ ନିଶାନା କରି ବିଜେପି ଆଣିଲା ଅଭିଯୋଗ । ତେବେ ବିଜେପି ଅଭିଯୋଗ କରିଛି ଯେ ‘କାଳିଆ’ ଯୋଜନାରେ ଶାସକ ବିଜେଡି ବିଜ୍ଞାପନ ମାରି କହୁଛନ୍ତି କି ରାଜ୍ୟରେ ୩୬ ଲକ୍ଷ ଚାଷୀ କାଳିଆ ଯୋଜନାରେ ଅର୍ଥ ପାଇସାରିଲେଣି । ହେଲେ ବାସ୍ତବରେ ବ୍ୟାଙ୍କ ଖାତାକୁ ଆଦୌ ପଇସା ଆସୁନି । ମେସେଜ ଆସିବାର ୫୦ ଦିନରୁ ଅଧିକ ଦିନ ବିତିଗଲା ପରେ ବି ଏଯାଏଁ ଚାଷୀମାନଙ୍କୁ ପଇସା ମିଳିନି ବୋଲି ସାମ୍ବାଦିକ ସମ୍ମିନଳୀରେ କହିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ।

ଏପରିକି ରାଜ୍ୟ ସରକାର ୩୬ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଅର୍ଥ ମିଳିଥିବା ଦାବି କରୁଥିବାବେଳେ ସେମାନଙ୍କର ତାଲିକା ବି ଦେଉନାହାନ୍ତି । ଯାହା ଜଣାପଡୁଛି କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବାକୁ ଥିବା ଅର୍ଥକୁ ହରିଲୁଟ କରାଯାଇଛି ବୋଲି ଅଭିଯୋଗ ଆଣିଛି ବିଜେପି ।

ମୁଖ୍ୟମନ୍ତ୍ରୀ ସାରା ଓଡିଶା ଯାକ ବୁଲି ବୁଲି କାଳିଆ ଯୋଜନାର ସଭା କରି କାଳିଆ ଯୋଜନାରେ ଟଙ୍କା ଦିଆଗଲା ବୋଲି ଘୋଷଣା କଲେ । ଏହାସହ କାଳିଆ ଯୋଜନା ଘୋଷଣା ବେଳେ ରାଜ୍ୟ ସରକାର ଘୋଷଣା କରିଥିଲେ କାଳିଆ ଟଙ୍କା ୫୭ ଲକ୍ଷ ଚାଷୀଙ୍କୁ ମିଳିବ । ହେଲେ କାଳିଆ ଯୋଜନାରେ ବାସ୍ତବରେ କେତେ ଚାଷୀ ଅର୍ଥ ପାଇଲେ ତାହା ଏବେ ବି ଅନ୍ଧାରରେ । ତେଣୁ ଓଡିଶାର ଚାଷିମାନଙ୍କୁ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଆଉ କେତେ ଦିନ ଠକିବେ ବୋଲି ପ୍ରଶ୍ନ କରିଛି ବିଜେପି ।