ବିଜେପିର ୧୨୦ ବନାମ ବିଜେଡିର ୧୨୩ ! ସଂଖ୍ୟାକୁ ନେଇ ଅଙ୍କକଷା, ହେଲେ ସମୀକରଣ ନିର୍ଦ୍ଧାରଣ କରିବ କିଏ ରାଜନୀତିର ଚାଣକ୍ୟ, କନକ ନ୍ୟୁଜ ଡିଜିଟାଲର ସ୍ୱତନ୍ତ୍ର ରିପୋର୍ଟ

137

କନକ ବ୍ୟୁରୋ : ରାଜ୍ୟରେ ବିଧାନସଭା ନିର୍ବାଚନ ଆହୁରି ଦେଢ ବର୍ଷ ବାକି ଅଛି । ହେଲେ ରାଜ୍ୟ ରାଜନୈତିକ ବାତାବରଣ ବେଶ ଉଷ୍ମ ହେବାରେ ଲାଗିଲାଣି । ସଂସଦ ପାଇଁ ହେବାକୁ ଥିବା ନିର୍ବାଚନ ସାଙ୍ଗରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଯଦି ଆଗୁଆ ନିର୍ବାଚନ ନ’ହୁଏ ତେବେ ୨୦୧୯ ମାର୍ଚ୍ଚ ମାସ ବେଳକୁ ରାଜନୈତିକ ପାଣିପାଗ ସରଗରମ ହୋଇଥିବ । ଯେଉଁଥିରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ଅବଗଣନା ଆରମ୍ଭ ହୋଇସାରିଥିବ । ହେଲେ ଏବେଠାରୁ କିନ୍ତୁ ରାଜ୍ୟ ପାଣିପାଗ ଏକ ଭିନ୍ନ ବାତାବରଣ ନେଲାଣି, ଯେଉଁଠି ପ୍ରତି ମୁହୂର୍ତ୍ତରେ ନିର୍ବାଚନ ପାଇଁ ସମସ୍ତେ ପ୍ରସ୍ତୁତ ଥିବାର ବାର୍ତ୍ତା ଦିଆଯାଉଛି ।

ଖାସ କରି ଭାରତୀୟ ଜନତା ପାର୍ଟିର ମିଶନ ୧୨୦ ପ୍ଲସର ନାରା ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ବାରମ୍ବାର ଏହାକୁ ଭୁବନେଶ୍ୱରରେ ଦୋହରାଇବା ପରେ ଅନ୍ୟ ରାଜନୈତିକ ଦଳ ମଧ୍ୟ ଏହି ବାକ୍ୟ ଯୁଦ୍ଧ ଭିତରକୁ ପ୍ରବେଶ କରିଛନ୍ତି । ବିଜେପିର ନେତା ଦିନରାତି କହୁଛନ୍ତି, ଆଗାମୀ ନିର୍ବାଚନରେ ଦଳ ଏଠି ୧୨୦ରୁ ଅଧିକ ଆସନ ପାଇଁ ସରକାର ଗଠନ କରିବ । ସେହିଭଳି ଶାସକ ବିଜୁ ଜନତା ଦଳ ଏହା ଠାରୁ କେଇ ପାଦ ଆଗକୁ ଯାଇ କହିଛି, ସେମାନେ ୧୨୩ ଆସନ ଲାଭ କରିବେ । ୧୯୯୦ରେ ଏହି ଆସନ ପାଇଥିଲେ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ । ସେହିଭଳି ନେତୃତ୍ୱ ସଂକଟ ଦେଇ ଗତି କରୁଥିବା କଂଗ୍ରେସ ବି ଏହି ଅଙ୍କଦୌଡରେ ପଛରେ ପଡିନାହିଁ । ଦଳ କହିଛି, ସେମାନେ ୮୫ ଆସନ ଜିତିବାକୁ ସମର୍ଥ ।

ରାଜ୍ୟରେ ମୋଟ ବିଧାନସଭା ସଂଖ୍ୟା ୧୪୭ ଥିବା ବେଳେ, ମ୍ୟାଜିକ ନମ୍ବର ହେଉଛି ୭୪ । ଅର୍ଥାତ୍ ତିନି ରାଜନୈତିକ ଦଳ ମ୍ୟାଜିକ ନମ୍ବର ଟପିବାକୁ ଦୃଢୋକ୍ତି ଦେଖାଇଛନ୍ତି । ହେଲେ ଆଜିର ସମୟରେ କାହାର ବି ସଂଖ୍ୟା ହାସଲ ହେବ, ଏହା ଅସମ୍ଭବ ଲାଗୁଛି । କିନ୍ତୁ ରାଜନୈତିକ ସ୍ତରରେ କୈାଣସି ବି ଦଳର ନେତା ଏହା ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଗତ ଫେବୃୟାରୀରରେ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନ ପରେ ବିଜେପି ତାର ମନୋବଳ ଦୃଢ କରିଛି । କାରଣ ଓଡିଶା ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଛି । ସ୍ୱାଭାବିକ ଭାବେ ଏହାକୁ ଆଧାର କରି ବିଜେପି ଏଠି ସରକାରକୁ ଆସିବାକୁ ଲକ୍ଷ ରଖିଛି । ବିହାରରେ ଜେଡିୟୁକୁ ଆୟୁଧ କରି ବିଜେପି ମେଂଟ ସରକାର ଗଢିବା ପରେ ଦଳର ଟାର୍ଗେଟ ଏବେ ଓଡିଶା ମୁହାଁ ହୋଇଛି ।

BJD Sets Mission 123 Against BJP's Mission 120ବାରମ୍ବାର ପୂର୍ବ ଭାରତର ବିକାଶର ଦ୍ୱାହି ଦେଇ ବିଜେପି ଏସବୁ ରାଜ୍ୟରେ ନିଜର ସ୍ଥିତି ମଜଭୁତ କରିବାକୁ ଚେଷ୍ଟା ଚଳାଇଛି । ୨୦୧୪ରେ ଦଳ ଯେଉଁ ସବୁ ଅଂଚଳରେ ବିପୁଳ ସଫଳତା ପାଇଥିଲା, ସେସବୁ ସ୍ଥାନରେ ପୁଣି ବିଜେପିର ଝଣ୍ଡା ଉପରେ ପଡିବ, ଏନେଇ ଦଳ ବି ସନ୍ଦୀହାନ ଅଛି । ସେହି ଦୃଷ୍ଟିରୁ ଯେଉଁ ସବୁ ସ୍ଥାନରେ ବିଜେପି ଆଗକୁ ବଢିବାକୁ ସୁଯୋଗ ଅଛି, କିନ୍ତୁ ୨୦୧୪ରେ ଭଲ ପ୍ରଦର୍ଶନ କରିନଥିଲା, ସେସବୁ ସ୍ଥାନ ପାଇଁ ରଣନୀତି ତିଆରି କରୁଛି ଏହି ଦଳ । ଓଡିଶାରେ ବିଜେପି ସବୁଠାରୁ ବଡ ଆହ୍ୱାନର ସମ୍ମୁଖୀନ ହେଉଛି ଶାସକ ବିଜୁ ଜନତା ଦଳ ଠାରୁ, ଯାହା ସହ ୨୦୦୯ ଯାଏଁ ଦଳ ମେଂଟରେ ଥିଲା ।

ନିକଟରେ ଅମିତ ଶାହା ୩ ଦିନିଆ ଓଡିଶା ଗସ୍ତ କରି ଯାଇଛନ୍ତି । ତିନି ମାସ ତଳେ ଦଳୀୟ ନେତାଙ୍କୁ ଦିଆଯାଇଥିବା ଟାକ୍ସକୁ କିଭଳି ପୂରଣ କରାଯାଇଛି, ତାର ହିସାବ ନେବାକୁ ଆସିଥିଲେ ଶାହା । ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଲେ । ଆଉ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ୱାର ମନ୍ତ୍ରଣା ମଧ୍ୟ କଲେ । ତୃଣମୁଳ ସ୍ତରରୁ ଅର୍ଥାତ୍ ବୁଥ ସ୍ତରରୁ ଦଳକୁ ମଜଭୁତ କରିବାକୁ ଶାହା ଯେଉଁ ଅଂଟା ଭିଡିଛନ୍ତି, ତାକୁ ଆଗାକୁ ବଢାଇବାକୁ ଥିଲା, ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ୩୬ ହଜାର ପୋଲିଂ ବୁଥରେ ଦଳର ବଳିୟାନ କରିବାକୁ କାର୍ଯ୍ୟକାର୍ତ୍ତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେପିର ଏହି ଚାଣକ୍ୟ । ଅର୍ଥାତ୍ ପ୍ରତି ବୁଥରେ ଚାରି ଜଣ ଲେଖାଏଁ କର୍ମୀଙ୍କୁ ମିଳିଛି ଦାୟିତ୍ୱ । ଦଳୀୟ ନେତାଙ୍କ କହିବା କଥା, ଏହା ଫଳରେ ତୃଣମୁଳ ସ୍ତରରେ ଦଳର ସଂଗଠନକୁ ଆହୁରି ମଜଭୁତ କରାଯାଇ ପାରିବ ।

ଗତ ଫେବୃୟାରୀ ମାସରେ ହୋଇଥିବା ପଂଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ପରେ ନେତାଙ୍କbjp on election commission ଭିତରେ ଉତ୍ସାହ ବଢିଛି । ହେଲେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯଦି ରାଜ୍ୟରେ ସମୀକରଣ ବଦଳିଯାଏ, ତେବେ ବିଜେପିର ସ୍ଥିତି କଣ ହେବ? ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରେ ରାଜ୍ୟରେ ୨ ନମ୍ବର ଦଳ ବିଜେପି । ୪୭୩ ଆସନ ସହ ପୂର୍ବବତ୍ ୧ ନମ୍ବର ସ୍ଥାନରେ ଶାସକ ବିଜେଡି ରହିଲା । ୨୦୧୨ ତୁଳନାରେ କିନ୍ତୁ ୨୫% ଆସନ ହରାଇଥିଲା ବିଜୁ ଜନତା ଦଳ । ନିର୍ବାଚନରେ ୨୯୭ ଆସନରେ ବାଜିମାତ୍ କଲା ବିଜେପି । ୨୦୧୨ ତୁଳନାରେ ବିଜେପି ୯ ଗୁଣା ଅଧିକ ଆସନ ପାଇଲା । ମାତ୍ର ୬୦ ଆସନରେ ଜିତିଥିଲା କଂଗ୍ରେସ । ୨୦୧୨ ତୁଳନାରେ କଂଗ୍ରେସ ଅଧାରୁ ଅଧିକ ଆସନ ହରାଇଲ । ଏଥିଲା ୨୦୧୭ର ପଂଚାୟତ ଫଳାଫଳ । ଯାହା ପରେ ନବୀନ ଆସିଥିଲେ ଡ୍ୟାମେଂଜ କଂଟ୍ରୋଲ ମୋଡକୁ ।

ଜିଲ୍ଲା ପରିଷଦ ନିର୍ବାଚନରେ ଆହ୍ୱାନର ସମ୍ମୁଖୀନ ହେବା ପରେ ନବୀନ ଆସିଥିଲେ ଆକ୍ସନକୁ । ବ୍ଲକ ଚେୟାରମ୍ୟାନ ଗଠନରେ ଦଳ ଅନ୍ୟ ସମସ୍ତଙ୍କୁ ଢେର ପଛରେ ପକାଇଦେଲା । ୨୨୦ ବ୍ଲକ ବିଜେଡି ହାତକୁ ଯାଇଥିବା ବେଳେ, କଂଗ୍ରେସ ପାଖକୁ ଗଲା ୪୫ । ବାକି ୨୮ଟିରେ ବାଜିମାତ କରିଥିଲା ବିଜେପି । ଅର୍ଥାତ୍ ବିଜୁ ଜନତା ଦଳ ଯେଉଁଭଳି ସ୍ଥିତିକୁ ତୁରନ୍ତ ମୁକାବିଲା କଲା, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଖାଲି ଏତିକି ନୁହେଁ ଦଳର ସୁପ୍ରିମୋ ଗୋଟିଏ ପରେ ଗୋଟିଏ ସମୀକ୍ଷା ବୈଠକ କରି ଦଳର ତ୍ରୁଟି ବିଚ୍ୟୁତି ଖୋଜିବା ଆରମ୍ଭ କଲେ । ଦଳୀୟ ଅଫିସରେ ତୃଣମୁଳ ସ୍ତରର କର୍ମକର୍ତ୍ତାଙ୍କୁ ଭେଟିଲେ । ବରିଷ୍ଠ ନେତାଙ୍କ ସହ ମାନସମନ୍ଥନ କଲେ । ଏପରିକି ସଂଗଠନର କାମ ୟଙ୍ଗ ବ୍ରିଗଡେଙ୍କୁ ଦେବାକୁ ଯାଇ ମନ୍ତ୍ରୀମଣ୍ଡଳରେ କଲେ ବଡଧରଣର ଅଦଳବଦଳ । ଅର୍ଥାତ୍ ଯେଉଁ ସଂଗଠନକୁ ଆଧାର କରି ଦଳ ଚାରି ଚାରି ଥର ଶାସନ କ୍ଷମତା ଆସିଛି, ତାହା କୈାଣସି ନା କୈାଣସି କ୍ଷେତ୍ରରେ ସ୍ଥାଣୁ ହୋଇଯାଇଥିବା ନବୀନ ଅନୁଭବ କଲେ । ଆଉ ତୁରନ୍ତ ଏଥିପାଇଁ ପଦକ୍ଷେପ ନେବା ଆରମ୍ଭ କଲେ । ଏଥିସହ ନବୀନଙ୍କ କାର୍ଯ୍ୟଶୈଳୀରେ ମଧ୍ୟ ଆସିଲା ବ୍ୟାପକ ପରିବର୍ତ୍ତନ । ମିଜାଜ ବଦଳିଲା, ଆଉ ଲୋକାଭିମୁଖୀ ହେବାକୁ ନବୀନ ଚେଷ୍ଟା ଚଳାଇଲେ ।

ବିଜେପିର ରଣନୀତିକୁ ମାତ୍ ଦେବାକୁ ମଧ୍ୟ ନବୀନ ଅଂଟା ଭିଡିଲେ । ବିଜେପି ବୁଥ ମଜଭୁତ୍ କରିବାକୁ ଲାଗିଥିବା ବେଳେ ୱାର୍ଡ ଉପରେ ଫୋକସ କଲେ ନବୀନ । ମନ୍ତ୍ରୀ ପ୍ରଦୀପ ମହାରଥୀ ସଫାସଫା କହିଲେ, ସେମାନେ ବୁଥରେ ଥିବା ବେଳେ ଆମେ ୱାର୍ଡରେ ଅଛୁ । ଚାରୋଟି ୱାର୍ଡକୁ ନେଇ ଗୋଟିଏ ବୁଥ୍ । ତେଣୁ ବିଜେପି ରଣନୀତି ଏଠି ଫିକା ପଡିଯିବ । ତେଣୁ ଉଭୟ ରାଜନୈତିକ ଦଳ ନିଜ ନିଜ ସଂଖ୍ୟା ହାସଲ କରିବାକୁ ଗୋଟିଏ ପରେ ଗୋଟିଏ ଅସ୍ତ୍ର ପ୍ରୟୋଗ କରିବାରେ ଲାଗିଛନ୍ତି । ନିକଟରେ ବ୍ରହ୍ମପୁର ଗସ୍ତରେ ଯାଇଥିବା ନବୀନ ୱାର୍ଡର ଲୋକଙ୍କ ସହ ଆଲୋଚନା କରି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ପ୍ରତିପକ୍ଷଙ୍କୁ । ଏଭଳି କିଛି ରଣନୀତି ସ୍ପଷ୍ଟ ଭାବେ ବିଜେଡି ପାଇଁ ଲାଭଦାୟକ ହୋଇଛି । କାରଣ ୨୦୧୭ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନ ପରେ ରାଜ୍ୟର ଯେକୋଣସି ସ୍ତରରେ ନିର୍ବାଚନ ହୋଇଛି, ସେଥିରେ ବିଜେଡି ହିଁ ବାଜିମାତ୍ କରିଛି ।

amit-shahହେଲେ ଏହାରି ଭିତରେ ଅମିତ ଶାହା ନବୀନଙ୍କ ପ୍ରତି ଯେଉଁ ବାଣ ମାରିଛନ୍ତି ଏବଂ ଯେଉଁଭଳି ଭାବେ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି, ଏହାର ପ୍ରଭାବକୁ ନେଇ ଆରମ୍ଭ ହୋଇଛି ଆକଳନ । ନବୀନଙ୍କୁ ପୋଡା ଟ୍ରାନସଫର୍ମର କହିବା, ବଂଶବାଦ ରାଜନୀତିର ଉଦାହରଣ ଦେବା, ବିକାଶ କରିପାରୁନଥିବା ବ୍ୟକ୍ତି କହିବା ଓ କେନ୍ଦ୍ରରୁ ପ୍ରଚୁର ଟଙ୍କା ଆସୁଥିଲେ ବି ଖର୍ଚ୍ଚ କରିବାରେ ନବୀନ ସରକାର ଅସମର୍ଥ ଥିବା କହିବା । କିଛି ଏଭଳି ଢଙ୍ଗରେ ବିଜେଡି ଓ ବିଜେପି ଭିତରେ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଛି । ହେଲେ କଥା ଆସି ଅଟକିଛି ବିକାଶକୁ ନେଇ ହେବାକୁ ଥିବା ବିତର୍କ ଉପରେ । କେନ୍ଦ୍ର ଓଡିଶାକୁ ଦେଇଛି କେତେ ଆଉ ନେଇଛି କେତେ, ଏହି ପ୍ରସଙ୍ଗରେ ହେବାକୁ ଥିବା ବିତର୍କକୁ ନେଇ ଏବେ ବିଜେଡି ଓ ବିଜେପି କ୍ୟାମ୍ପ ଭିତରେ ବଲ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଛି ।

୨୦୦୦ ଓ ୨୦୦୪ରେ ଉଭୟ ବିଜେଡି ଓ ବିଜେପି ମେଂଟରେ ନିର୍ବାଚନ ଲଢିଥିଲେ । ଆଉ ଏହିଠାରୁ ଆରମ୍ଭ ହୋଇଥିଲା କଂଗ୍ରେସର ପତ୍ତନ । ୨୦୦୦ ମସିହାରେ କ୍ଷମତାକୁ ଆସିଥିଲା ବିଜେଡି-ବିଜେପି ମେଂଟ । ବିଜେଡି ୬୮ ଆସନ ଜିତିଥିବା ବେଳେ ବିଜେପି ଜିତିଥିଲା ୩୮ । କଂଗ୍ରେସ ପାଇଥିଲା ମାତ୍ର ୨୬ ଆସନ । ସେହିଭଳି ୨୦୦୪ରେ କେନ୍ଦ୍ର ସହ ତାଳ ଦେଇ ଆଗୁଆ ନିର୍ବାଚନକୁ ଓହ୍ଲାଇଥିଲେ ନବୀନ । କେନ୍ଦ୍ରରେ ଯଦିଓ ଏନଡିଏ ସରକାର ପରାଜୟର ସାମ୍ନା କଲେ, ହେଲେ ଓଡିଶାରେ ମେଂଟର ପୁଣି ବିଜୟ ଧ୍ୱଜା ଉଡିଲା । ବିଜେଡି ୬୧ ଓ ବିଜେପି ୩୨ ସିଟ ଜିତିଥିବା ବେଳେ କଂଗ୍ରେସ ପାଇଥିଲା ୩୮ ଆସନ । ଅର୍ଥାତ୍ ୨୦୦୦ ତୁଳନାରେ ୨୦୦୪ରେ ଦଳ ଭଲ ପ୍ରଦର୍ଶନ କରିଥିଲା ।

ତେବେ ୨୦୦୯ ବଳକୁ ସ୍ଥିତି ବଦଳିଗଲା । ମେଂଟ ଭାଙ୍ଗିଗଲା । ଅଲଗା ହୋଇଗଲେ ବିଜେଡି ଓ ବିଜେପି । ଆରମ୍ଭ ହେଲା ଆରୋପ ପ୍ରତ୍ୟାରୋପର ପର୍ବ । କିଏ କାହା ସାହାରାରେ ନିର୍ବାଚନ ଜିତିଥିଲେ ତାକୁ ନେଇ ଚାଲିଲା କାଦୁଅ ଫିଙ୍ଗା । ହେଲେ ଫଳରେ କିନ୍ତୁ ଫରକ ଆସିଲାନି । ବିଜେଡି ଏକାକି ବିପୁଳ ବିଜୟ ହାସଲ କରି ସରକାର ଗଢିଲା । ୧୦୩ ଆସନରେ ବିଜେଡି ବାଜିମାତ୍ କରିଥିବା ବେଳେ, ବିଜେପି ମାତ୍ର ୬ଟି ସିଟ ଜିତିବାକୁ ସକ୍ଷମ ହୋଇଥିଲା । ସେହିଭଳି କଂଗ୍ରେସ ୨୭କୁ ଖସି ଆସିଥିଲା । ୨୦୧୪ରେ ସାରା ଦେଶରେ ମୋଦି ହାୱା ଥିବା ସତ୍ୱେ ଓଡିଶାରେ କିନ୍ତୁ ଏହା କାମ କରିନଥିଲା । ୧୧୭ ଆସନ ସହ ପୁଣି ବାଜିମାତ କଲା ବିଜୁ ଜନତା ଦଳ । ବିଜେପି ୧୦ଟି ଆସନ ଜିତିବାକୁ ସମର୍ଥ ହୋଇଥିବା ବେଳେ କଂଗ୍ରେସ ଜିତିଥିଲା ମାତ୍ର ୧୬ଟିରେ ।

ବର୍ଷ ପରେ ବର୍ଷ ରାଜ୍ୟରେ ଶାସକ ବିଜୁ ଜନତା ଦଳର ଦବଦବା ଦେଖିବାକୁ ମିଳିଥିଲା । ଯେକୈାଣସି ନିର୍ବାଚନ ହେଲେ ମଧ୍ୟ ନବୀନଙ୍କ ଦଳ ବାଜିମାତ କରୁଥିଲା । ହେଲେ ଆଜି ଚିତ୍ର ବଦଳିଯାଇଛି । ବିଜେଡି ଆହ୍ୱାନର ସାମ୍ନା କରୁଛି । ବିଜେପି ତାକୁ ଚାଲେଂଜ ଦେଉଛି । ଆଉ ଅଙ୍କକୁ ନେଇ ରାଜନୀତି ଆରମ୍ଭ ହୋଇଛି । ତେବେ ଏହି ଅଙ୍କକଷା ଭିତରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, କାହା ଗଣିତ ଠିକ ହେବ ଆଉ କିଏ ବାଜିମାତ୍ କରିବ?

ରାଜନୈତିକ ସମୀକରଣ ବଦଳିବାକୁ ସମୟ ଲାଗେନାହିଁ । ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋଙ୍କ ମତରେ, ସଂଖ୍ୟାକୁ ନେଇ ଯେଉଁ ବିତର୍କ ଚାଲିଛି, ଏହା କେବଳ ମେଂଟ ପାଇଁ ଉଦ୍ଦିଷ୍ଟ । ଅର୍ଥାତ୍ ଯଦି ବିଜେଡି ଓ ବିଜେପି ଭିତରେ ମେଂଟ ହୁଏ ତେବେ କେତେ ଆସନରେ କିଏ ବାଜିମାତ କରିବ, ସେହି ରଣନୀତିର ଏହା ଅଂଶବିଶେଷ । କାରଣ ବିଜେପି ଭଲଭାବେ ଜାଣିଛି, ଯଦି କେନ୍ଦ୍ରରେ ନରେନ୍ଦ୍ର ମୋଦି, ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିବାରେ ବିଫଳ ହୁଅନ୍ତି, ତେବେ ବିଜୁ ଜନତା ଦଳରୁ ହିଁ ସେମାନଙ୍କୁ ସମର୍ଥନ ହାସଲ କରିବାକୁ ପଡିବ । ଏହି ତମାମ ସମୀକରଣ ସ୍ପଷ୍ଟ କରୁଛି, ବିଜେଡି ଓ ବିଜେପି ଭିତରେ ମେଂଟ ହେବ । କିନ୍ତୁ ଏହା ନିର୍ବାଚନ ପୂର୍ବରୁ କିମ୍ବା ପରେ ତାହା ସମୟ କହିବ ।

congress-mainସ୍ପଷ୍ଟ ଭାବରେ କହିବାକୁ ଗଲେ ସମସ୍ତ ରାଜନୈତିକ ଦଳ ନିଜ ନିଜ ଅଙ୍କକୁ ନେଇ ବ୍ୟସ୍ତ ଥିବା ବେଳେ, ସବୁକିଛି ନିର୍ଭର କରିବ କଂଗ୍ରେସର ନେତୃତ୍ୱ ଉପରେ । ଅର୍ଥାତ୍ ଯଦି କଂଗ୍ରେସ ରାଜ୍ୟରେ ଶକ୍ତିଶାଳୀ ହେବ, ତେବେ ଯେଉଁ ଭୋଟ ବିଜେପି ଆଡକୁ ଯାଇଥିଲା, ତାହା ଦଳ ହାତରୁ ଖସିଆସିବ ନାହିଁ ତ? ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଏହି ସମାନ ପ୍ରଶ୍ନ ପଚରାଯାଇଥିଲେ ବି ସେ ଏହାର କିଛି ସ୍ପଷ୍ଟ ମତ ରଖିନଥିଲେ । ରାଜ୍ୟ ରାଜନୈତିକ ପରିସ୍ଥିତିକୁ ଧ୍ୟନ ନଦେଇ ସେ ଜାତୀୟ ଦୃଶ୍ୟପଟ୍ଟକୁ ଆୟୁଧ କରି କହିଥିଲେ, ସାରା ରାଜ୍ୟରେ କଂଗ୍ରେସର ପତନ ହେଉଛି, ତେଣୁ ଏହାର କୈଣସି ଅବକାଶ ନାହିଁ ।

ହଁ, ଗୋଟିଏ କଥା ସ୍ପଷ୍ଟ, ରାଜ୍ୟରେ କଂଗ୍ରେସର ସ୍ଥିତି ଯେଭଳି ରହିଛି ଓ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବାରେRahul Gandhi at a press conference ଯେଭଳି ଅସମର୍ଥ ଅଛନ୍ତି, ଏହା ବିଜେପି ପାଇଁ ଏକ ବାତାବରଣ ତିଆରି କରିଛି । ଅର୍ଥାତ୍ କଂଗ୍ରେସ ଯେତେ ଦୁର୍ବଳ ହେବେ, ବିଜେପି ସେତେ ଫାଇଦାରେ ରହିବ । ଏକଥା କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ କେବେ ବୁଝିବେ, ତାକୁ ନେଇ ରାଜ୍ୟସ୍ତରରେ ଚର୍ଚ୍ଚା ଜୋର ଧରିଛି । ବାରମ୍ବାର ଦିଲ୍ଲୀରେ ବୈଠକ ବସୁଥିଲେ ବି କୈାଣସି ନିଷ୍ପତ୍ତି ନେବାରେ ରାହୁଲ ସମର୍ଥ ହେନାହାନ୍ତି । ତେଣୁ କଂଗ୍ରେସ ତୃଣମୁଳ ସ୍ତରରେ ଦୁର୍ବଳ ହେବାରେ ଲାଗିଛି ଓ ବିଜେପି ଆଗକୁ ବଢିବାରେ ସମର୍ଥ ହେଉଛି ।

ସେହିଭଳି ସରକାର ବିରୋଧୀ ହାୱା ବିଜେଡି ପାଇଁ ଆହ୍ୱାନ ସୃଷ୍ଟି କରିଛି । ହେଲେ ନବୀନ, ନିଜର ଗୋଟିଏ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ୍ ବଳରେ ଏହାକୁ ଦୂର କରିବାରେ ସମର୍ଥ ହେଉଛନ୍ତି । ପ୍ରଥମେ ବସ୍ତି ବାସିନ୍ଦାଙ୍କୁ ଜମି ଦେବାକୁ ନିଷ୍ପତ୍ତି, ସପ୍ତମ ବେତନ କମିଶନ ଲାଗୁ, ବ୍ଲକଗ୍ରାଂଟ ଶିକ୍ଷକଙ୍କ ସମସ୍ୟା ଦୂର କରିବା ଭଳି ନିଷ୍ପତ୍ତି ପୁଣି ନବୀନଙ୍କ ଲକପ୍ରିୟତାକୁ ବଢାଇଛି । ସେହିଭଳି ନିର୍ବାଚନ ବେଳକୁ କୃଷକଙ୍କ ପ୍ରସଙ୍ଗରେ କିଛି ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି । ଏଭଳି ହେଲେ ପୁଣି ଥରେ ବିଜେଡି ରାଜ୍ୟରେ ନିଜ ପାଇଁ ଏକ ବାତାବରଣ ତିଆରି କରିବାରେ ସକ୍ଷମ ହୋଇପାରିବ । ସ୍ଥିତି ଏଭଳି ହେଲେ, ଆହ୍ୱାନ ଆସିବ ବିଜେପି ପାଇଁ । ତେବେ ବିଜେପୁରରେ ହେବାକୁ ଥିବା ଉପନିର୍ବାଚନ ହିଁ ପ୍ରମାଣ କରିବ, କେଉଁ ଦଳ ଏଠି ଶକ୍ତିଶାଳୀ ହେଉଛି ଓ କେଉଁ ଦଳ ପାଇଁ ବାତାବରଣ ତିଆରି ହେଉଛି ।

ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜପେୁରରେ ହେବାକୁ ଯାଉଛି ଉପନିର୍ବାଚନ । ୨୦୦୪, ୨୦୦୯ ଓ ୨୦୧୪ ଲଗାତର ତିନିଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁବଳ ସାହୁ । ୨୦୧୪ରେ ଯେତେବେଳେ ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା ବୋହୁଥିଲେ ସେତେବେଳେ ବିଜେଡି ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇ ନିଜ ଦବଦବାକୁ ଜାହିର କରିଥିଲେ ସୁବଳ । ଏହାରି ଭିତରେ ରାଜ୍ୟ ରାଜନୀତିର ସମୀକରଣ ବଦଳିଛି । ୧ ନମ୍ବର ଦଳ ଯଦିଓ ବିଜେଡି ରହିଛି, ତେବେ କଂଗ୍ରେସକୁ ଦୁଇ ନମ୍ବର ସ୍ଥାନରୁ ହଟାଇ ବିଜେପି ସେହି ସ୍ଥାନ ଦଖଲ କରିଛି । ପଂଚାୟତ ନିର୍ବାଚନ ପରେ ଏହି ରାଜନୈତିକ ସମୀକରଣ, ବିଜେପୁର ଉପନିର୍ବାଚନର ଗୁରୁତ୍ୱକୁ ବଢାଇଦେଇଛି ।

ବିଜେପୁରକୁ କଂଗ୍ରେସର ଗଡ ଭାବେ ପରିଣତ କରିଥିଲେ ସୁବଳ ସାହୁ । ଲଗାତ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ମେଂଟରେ ଲଢିଥିଲେ ବିଜେଡି ଓ ବିଜେପି । ୨୦୦୯ ଓ ୨୦୧୪ରେ ଅଲଗା ଅଲଗା ଲଢିଥିଲେ । ତଥାପି ମଧ୍ୟ ସୁବଳଙ୍କୁ ଚାଲେଂଜ ଦେବାରେ ସକ୍ଷମ ହୋଇନଥିଲେ । ତେଣୁ ନିଜ ଗଡ ବଂଚାଇବାକୁ କଂଗ୍ରେସ ସମର୍ଥ ହେଉଛି କି ନାହିଁ, ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ରାଜ୍ୟରେ କଂଗ୍ରେସ ଏବେ ନେତୃତ୍ୱ କନ୍ଦଳ ଦେଇ ଗତିକରୁଛି । ଦଳଭିତରେ ସବୁକିଛି ଠିକ ନଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ପିସିସି ପରିବର୍ତ୍ତନର ହାୱା ଜୋରେ ବହୁଛି । ତେଣୁ ଅସଜଡା ଘର ଆଉ ସଂଗଠନକୁ ଧରି କଂଗ୍ରେସ କିଭଳି ନିର୍ବାଚନକୁ ସାମ୍ନା କରିବ, ଏବେ ଏହା ବଡ ପ୍ରଶ୍ନ ।

For the first time, BJP is largest party in Rajya Sabha; Cong pushed to second spotସେହିଭଳି ଏହି ଉପ ନିର୍ବାଚନ ବିଜେପି ପାଇଁ ମଧ୍ୟ ମହତ୍ୱପୁର୍ଣ୍ଣ । କାରଣ ରାଜ୍ୟରେ ରାଜନୈତିକ ଶକ୍ତି ବୃଦ୍ଧି କରି ଆଗାମୀ ଦିନରେ ସରକାର ଗଠନ କରିବାକୁ ଲକ୍ଷ ରଖୁଥିବା ଏହି ଦଳକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି, ତାର ମଧ୍ୟ ଫଇସଲା କରିବ ଏହି ଉପ ନିର୍ବାଚନ । ରାଜ୍ୟରେ ୧୨୦ ଆସନ ଜିତିବାର ଦୃଢୋକ୍ତି ଦେଇ ଯାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରାଜ୍ୟ କାର୍ଯ୍ୟକାରିଣୀ ବେଳେ ୧୨୦ ଆସନ ଜିତିବାକୁ ରୋଡମ୍ୟାପ ତିଆରି ହେଲା । ୩ ଦିନିଆ ଓଡିଶା ଗସ୍ତରେ ଆସି ରୀତିମତ ନେତାଙ୍କୁ ପାଠ ପଢାଇଲେ ଅମିତ ଶାହା । ଆଉ ଯାହାର ପରୀକ୍ଷା ପାଇଁ ମୈଦାନ ହେବ ବରଗଡ । ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଅଂଚଳରେ ନିଜ ଦବଦବା ଜାହିର କରିଥିଲା ଭାରତୀୟ ଜନତା ପାର୍ଟି । ସେହି ଦୃଷ୍ଟିକୋଣରୁ ଏହା ବିଜେପି ପାଇଁ ମଧ୍ୟ ଏସିଡ ଟେଷ୍ଟ ହେବ । ଯାହା ଆଗାମୀ ଦିନରେ ବିଜେପିର ଦିଶା ଆଉ ଦଶା ନିର୍ଦ୍ଧାରଣ କରିବ ।

ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ପାଲଟିବ ସବୁ ରାଜନୈତିକ ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ । ବିଜେପିର ନୁଆ ରଣନୀତିର ପ୍ରଥମ ପ୍ରୟୋଗଶାଳା ହେବ ବିଜେପୁର । ଲୋକସଭା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେତାଙ୍କ ହାତରେ ବାଂଟି ବିଜେପି ସଫଳତା ପାଇବାକୁ ଗୋଟିଚାଳନା କରିଛି । ଏହି କ୍ରମରେ ବରଗଡ ଦାୟିତ୍ୱରେ ଅଛନ୍ତି କେନ୍ଦ୍ରୀୟ ନେତା ଅନୀଲ ଜୈନ । କେନ୍ଦ୍ରୀୟ ସ୍ତରର ନେତା ମଧ୍ୟ ଭାରତୀୟ ଜନତା ପାର୍ଟି ପାଇଁ ଏକ ବଡ ଭୁମିକାରେ ଆସିବେ, ଏହା ସହଜରେ ଅନୁମେୟ । ଯେତେବେଳେ ଦଳ ୨୦୧୯ରେ କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି ଓ ନବୀନ ସରକାରଙ୍କ ସ୍ଥାଣୁ ଓ ଅପାରଗତା ବିରୋଧରେ ଲଢେଇ ଜାରି ରଖିଛି ଠିକ ସେହି ସମୟରେ ବିଜେପୁର ଆସନ ହେବ ଅସଲ ପରୀକ୍ଷା । ଦଳ ଖାଲି ହାୱା ତିଆରି କରୁଛି, ନା ବାସ୍ତବତାରେ ବିଜେପି ପାଇଁ ବାତାବରଣ ତିଆରି ହେଉଛି, ଏହାର ସ୍ପଷ୍ଟ ବାର୍ତ୍ତା ମିଳିବ ଏହି ଉପନିର୍ବାଚନରୁ ।

ସେହିଭଳି ଶାସକ ବିଜେଡି ପାଇଁ ମଧ୍ୟ ଏହା ଆହ୍ୱାନ ଆଣିବ । କାରଣ ରାଜ୍ୟରେ ଦଳର ଲୋକପ୍ରିୟତା କମୁଥିବା କଥା ଚର୍ଚ୍ଚା ହେଉଛି । ଲଗାତର ଭାବେ ଏହି ଦିଗକୁ ଟାର୍ଗେଟ କରି ଆସୁଛନ୍ତି ଅନ୍ୟ ରାଜନୈତିକ ଦଳ । ତେଣୁ ଶାସକ ଦଳ ନିଜ ଦବଦବା ବଜାୟ ରଖିପାରୁଛି କି ନାହିଁ, ତାହା ମଧ୍ୟ ଏହି ଉପ ନିର୍ବାଚନ ନିର୍ଦ୍ଧାରଣ କରିବ । ବରଗଡରେ ଦଳର ପ୍ରଦର୍ଶନ ପଂଚାୟତ ନିର୍ବାଚନରେ ଠିକ ନଥିଲା । ତେଣୁ ଆଗାମୀ ଦିନରେ ଦଳ ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିବାକୁ ଏହାକୁ ମାଧ୍ୟମ କରିପାରେ ।

nabeen pattanaik on arun jeitlyପଂଚାୟତ ନିର୍ବାଚନ ପରେ ଯଦିଓ ଦଳ ଅନେକ ସ୍ଥାନରେ ହୋଇଥିବା ଉପନିର୍ବାଚନରେ ବାଜିମାତ କରିଛି, ତେବେ ଏହା ହେବ ଅସଲ ପରୀକ୍ଷା । କାରଣ ସମସ୍ତ ରାଜନୈତିକ ଦଳ ଏହି ନିର୍ବାଚନ ଉପରେ ଫୋକସ କରିବେ । କଂଗ୍ରେସ ନିଜ ଗଡ ବଂଚାଇବାକୁ ଉଦ୍ୟମ କରିବାକୁ ଥିବା ବେଳେ ବିଜେପି ଧସେଇ ପଶିବାକୁ ଉଦ୍ୟମ କରିବ । ତେଣୁ ୧୭ ବର୍ଷ ପରେ ବି ନବୀନଙ୍କ ଭାବମୁର୍ତ୍ତି ମଳିନ ହୋଇନି, ଆଜି ବି ବିଜେଡି ମୁଖିଆଙ୍କର ଲୋକପ୍ରିୟତା ଶୀର୍ଷରେ ରହିଛି, ଏହା ପ୍ରମାଣିତ କରିବାକୁ ଉପନିର୍ବାଚନ ଏକ ଅବସର ନେଇ ଆସିଛି । ତେଣୁ ଶାସକ ଦଳ ଏହାକୁ ମାଧ୍ୟମ କରି ୨୦୧୯ ପୁର୍ବରୁ ବିଜେପିକୁ କଡା ସନ୍ଦେଶ ଦେବାକୁ ଗୋଟିଚାଳନା କରିବ ।

ମୋଟାମୋଟି ଦେଖିବାକୁ ଗଲେ ଏହା ସିନା ଗୋଟିଏ ଉପନିର୍ବାଚନ, ହେଲେ ତିନି ରାଜନୈତିକ ଦଳ ପାଇଁ ଏହା ଅଗ୍ନି ପରୀକ୍ଷା । ବିଜେଡି, ବିଜେପି ଓ କଂଗ୍ରେସର ଭାଗ୍ୟ ଏହା ନିର୍ଦ୍ଧାରଣ କରିବ । ଯାହା ସଂକେତ ମଧ୍ୟ ଦେବ ଓଡିଶାର ମୁଡ୍ କଣ ଏବଂ ଆଗାମୀ ଦିନରେ ରାଜ୍ୟ ରାଜନୀତି କୁଆଡେ ଯାଇପାରେ ତାର ସଂକେତ ମଧ୍ୟ ଏହି ଉପ ନିର୍ବାଚନରୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଭୋଟ୍ ଯାହା ହେବ ସେହି ଅନୁସାରେ ୨୦୧୯ ପାଇଁ ରାଜନୀତିର ଚର୍ଚ୍ଚା ଆରମ୍ଭ ହେବ । ଏହା ଏଭଳି ଏକ ନିର୍ବାଚନ, ଯାହା ପ୍ରତି ରାଜନୈତିକ ଦଳର ବାସ୍ତବ ସ୍ଥିତିକୁ ସାମ୍ନାକୁ ଆଣିବ ।

ତେବେ ୨୦୧୯ରେ ସ୍ପଷ୍ଟ ହେବ ରାଜନୀତିର ଚାଣକ୍ୟ କିଏ? ନବୀନ ନା ଅମିତ ଶାହା । ଗୋଟିଏ ପଟେ ରାଜ୍ୟରେ ନିର୍ବାଚନ ପରେ ନିର୍ବାଚନ ଜିତି ଶାସନ କ୍ଷମତାକୁ ଆସିଥିବା ନବୀନଙ୍କ ଗଣିତ ଠିକ ହେଉଛି ନା ୟୁପି, ହରିୟାଣା ଓ ଅନ୍ୟ ରାଜ୍ୟରେ ନିଜ ଗଣିତ ବଳରେ ଦଳକୁ ଜିତାଇଥିବା ଅମିତ ଶାହାଙ୍କ ଷ୍ଟ୍ରାଟେଜୀ କାମ କରୁଛି । ଓଡିଶାର ନିର୍ବାଚନ ପ୍ରମାଣିତ କରିବ, ରାଜନୀତିର ଚାଣକ୍ୟ କିଏ?