ବିଜେପିକୁ ଟାର୍ଗେଟ କଲେ ଦାମ ! କହିଲେ, ରାଜ୍ୟକୁ ଆସୁଛନ୍ତି ‘ରାମଶିଆଳ’ ପରି ନେତା

50

କନକ ବ୍ୟୁରୋ: ପୁଣି ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ଦାମୋଦର ରାଉତ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ଠାରେ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ସେ ବିଜେପିର ମନ୍ତ୍ରୀ ଓ ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଦାମ କହିଛନ୍ତି, ବିଜେପି ନେତାମାନେ ଜଣେ ଜଣେ ରାମଶିଆଳ ହୋଇ ଓଡ଼ିଶାକୁ ଆସୁଛନ୍ତି । ବିଜେପିର କୌଣସି ବୁଥରେ ଲୋକ ନାହାନ୍ତି ଏବଂ ଗଧିଆ ଛାଲ ପିନ୍ଧିଲେ କେହି ବାଘ ହୋଇଯାଏ ନାହିଁ ବୋଲି ସେ କହିଛନ୍ତି ।

ଏହାସହ ଉପରାଷ୍ଟ୍ରପତି ନିର୍ବାଚନରେ ସାଂସଦମାନେ ଭୋଟ ଦେବେ । ତେଣୁ ଏଥିରେ ତାଙ୍କର କିଛି କହିବାର ନାହିଁ ବୋଲି ଦାମ ବାବୁ କହିଛନ୍ତି । କାହାକୁ ଦଳ ସମର୍ଥନ ଦେବ ତାହାର ନିଷ୍ପତି ସୁପ୍ରିମୋ ନବୀନଙ୍କର ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ସେହିପରି ମଦ ଉପରେ ଦାମ କହିଛନ୍ତି, ଏଯାବତ୍ ରାସ୍ତାକଡ଼ରେ ଥିବା ୧୭ଶହ ମଦ ଦୋକାନ ବନ୍ଦ ହୋଇଛି । କିନ୍ତୁ ରାଜ୍ୟକୁ ସଂପୂର୍ଣ୍ଣ ମଦମୁକ୍ତ କରିବା ସମ୍ଭବ ନୁହେଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ଗୁଜୁରାଟରେ ଗୋଟିଏ ବି ମଦ ଦୋକାନ ନାହିଁ । କିନ୍ତୁ ଗତ ବର୍ଷ ଚୋରାମଦ ପିଇ ୨୮୪ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଛତିଶଗଡ଼ରେ ମଦ ବନ୍ଦ ହେବାର ମାତ୍ର ୧୧ ଦିନ ଭିତରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା । ମଦକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ସଫଳ ବ୍ୟବସ୍ଥା କରୁଛନ୍ତି ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସବୁବେଳେ ସରକାର ମାନିଆସିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଦାମୋଦର ରାଉତ ।