ବିଜେପୁରର ବିଜେଡି ବିଦ୍ରୋହ ! ଦଳରୁ ଇସ୍ତଫା ଦେଲେ ବ୍ଲକ ସଭାପତି, ଆସନ୍ତାକାଲି ଶଙ୍ଖ ଧରିବେ ନାରାୟଣ

33

କନକ ବ୍ୟୁରୋ : ବିଜେପୁର ବିଗୁଲ ବାଜିବା ପୂର୍ବରୁ ଉଷ୍ମ ହେଉଛି ରାଜନୈତିକ ପାଣିପାଗ । ଜୋରଧରୁଛି ଯୋଡ଼ତୋଡ଼ ରାଜନୀତି । ଆଜି ବିଜେଡି ପାଇଁ ଚିନ୍ତା ବଢ଼ାଇ ଦେଇଛିି ବିଜେପୁର ବ୍ଲକ ସଭାପତିଙ୍କ ଇସ୍ତଫା । ଆଉ ଅନ୍ୟପଟେ ଆସନ୍ତାକାଲି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଉଛନ୍ତି ଜିଲ୍ଲା ବିଜେପି ପଦରୁ ଇସ୍ତଫା ଦେଇଥିବା ନାରାୟଣ ସାହୁ ।

bijepur electionତାରିଖ ଘୋଷଣା ହୋଇନି, ହେଲେ ବିଜେପୁରରେ ରାଜନୈତିକ ପାରା ଶୀର୍ଷରେ । ବିଜେପି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇ ନାରାୟଣ ସାହୁ ଆସନ୍ତାକାଲି ବିଜେଡିରେ ବିଧିବଦ୍ଧ ଭାବେ ମିଶିବା ଆଗରୁ ଶାସକ ଦଳକୁ ଲାଗିଛି ଜବରଦସ୍ତ ଝଟକା । ବିଜେପୁର ବ୍ଲକ ସଭାପତି ରାଧେଶ୍ୟାମ ସାହୁ ପଦରୁ ଇସ୍ତଫା ଦେଇ କହିଛନ୍ତି, କଂଗ୍ରେସର ଠିକାଦାର ଓ କର୍ମୀ ବିଜେଡିରେ ଗୁରୁତ୍ୱ ପାଉଛନ୍ତି । ମୁଳ ବିଜେଡି କର୍ମୀ ମାନେ ସମ୍ମାନ ହରାଉଛନ୍ତି । ବିନା ଆଲୋଚନାରେ ରୀତା ସାହୁଙ୍କୁ ଦଳରେ ମିଶାଇ ପ୍ରାର୍ଥୀ କରିଦିଆଗଲା ।ରାଜନୀତିର ଗୋଟିଚାଳନାରେ ବିଜେପୁରରେ ଦଳବଦଳ ସାଧାରଣ ପ୍ରସଙ୍ଗ ପାଲଟିଲାଣି । ରୀତା ସାହୁ କଂଗ୍ରେସ ଛାଡି ବିଜେଡିରେ, ନାରାୟଣ ବିଜେପି ଛାଡି ବିଜେଡିରେ, ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ଆଉ ଏବେ ରାଧେଶ୍ୟାମ ପଦରୁ ଇସ୍ତଫା ଦେଇ ନେତୃତ୍ୱଙ୍କ ଉପରେ ଚାପ ବଢାଇଛନ୍ତି ।

ବିଜେପୁରରେ ସମୀକରଣ ନେଇ ଅଙ୍କକଷା ଚାଲିଥିବା ବେଳେ, ରାଜଧାନୀରେ ବିକାଶକୁ ମୁଦ୍ଦା କରି ବିଜେପି ଉଠାଇଛି ପ୍ରଶ୍ନ । ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅତିରିକ୍ତ ବଜେଟକୁ ଆୟୁଧ କରି ଦଳ ପ୍ରଶ୍ନ କରିଛି, ନିକଟରେ ବିଜେପୁର ପାଇଁ ଘୋଷଣା କରାଯାଇଥିବା ନୁଆ ଯୋଜନା ପାଇଁ କାହିଁକି ଅର୍ଥବ୍ୟୟର ବ୍ୟବସ୍ଥା କରାଗଲାନି । ବିଜେଡି କହିଛି, ନବୀନ ଯୋଜନା କାର୍ଯ୍ୟକାରୀ ପାଇଁ ବଦ୍ଧପରିକର । ନବୀନ ଯେଉଁ କଥା କହିଛନ୍ତି ତାହା ନିଶ୍ଚୟ ହେବ । ଏହାସହ ବିଜେପିକୁ ଜୁମଲା ପାର୍ଟି କହିଛି ବିଜେଡି । ବିଜେପି ଯାହା କୁହେ ତାହା କରେ ନାହିଁ ଏକଥା ପୂରା ଦେଶବାସୀ ଜାଣି ସାରିଲେଣି । ଆଉ ଏହାରି ଭିତରେ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନରଙ୍କୁ, ରାଜ୍ୟ ନିର୍ବାଚନ ଅଧିକାରୀ ଭେଟି ଆଲୋଚନା କରିଛନ୍ତି । ଅନୁମାନ କରାଯାଉଛି, ଖୁବଶୀଘ୍ର ବିଜେପୁର ପାଇଁ ବିଗୁଲ ବାଜିପାରେ ।