୨୦୧୯ ନିର୍ବାଚନରେ ବଡ ଲଢ଼େଇ ଦେଖିବ ଭୁବନେଶ୍ୱର । ପୂର୍ବତନ ଆଇଏଏସ୍ ବନାମ ପୂର୍ବତନ ଆଇପିଏସ୍ । ଅପରାଜିତାଙ୍କୁ ଟକ୍କର ଦେବେ ଅରୁପ ପଟ୍ଟନାୟକ

ଅପରାଜିତା କହିଲେ, ସେ ନିଜେ ତାଙ୍କର ପ୍ରତିଦ୍ୱନ୍ଦ୍ୱି, ଅରୂପ କହିଲେ- ଅନ୍ୟ କାହା କଥା ଚିନ୍ତା କରୁନି

236

କନକ ବ୍ୟୁରୋ: ଚଳିତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ଦେଖିବାକୁ ମିଳିବ ହାଇପ୍ରୋଫାଇଲ୍ ଲଢେଇ । ଅରୂପ ପଟନାୟକ ବନାମ୍ ଅପରାଜିତା ଷଡଙ୍ଗୀ । ଆଗରୁ ଅପରାଜିତା ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ଏବେ ପ୍ରଚାର ମୈଦାନରେ ଅଂଟା ଭିଡିଛନ୍ତି ଅରୂପ । ୧୯୯୮ରୁ ଏହି ଗଡକୁ ନିଜ ଦଖଲରେ ରଖି ଆସିଛି ବିଜେଡି । ତେବେ ଏଥର କିନ୍ତୁ ଏଠାରେ ହାଇପ୍ରୋଫାଇଲ୍ ଲଢେଇ ହେବ ବୋଲି କୁହାଯାଉଛି । ଅରୂପ ପଟନାୟକଙ୍କ କହିବା କଥା ସେ ଅତି ସାଧାରଣ ଲୋକ । ଯାହାର ଲୋକପ୍ରିୟତା ଅଧିକ ହେବ, ସେ ଏଥର ବାଜି ମାରିବ ।

ଅଂଟା ଭିଡିଲେ ଅରୁପ । ଭୁବନେଶ୍ୱର ଲୋକସଭା ଆସନରୁ ଅରୂପଙ୍କୁ ପ୍ରାର୍ଥୀ ଘୋଷଣା ପରେ ପରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଅରୁପ । ସାଥୀରେ ସାଂସଦ ପ୍ରସନ୍ନ ପାଟଶାଣୀ ତଥା ଦଳୀୟ କର୍ମୀ ଓ ନେତା । ମୁଁହରେ ଗୋଟିଏ କଥା ଏବେ ସେ ପୂର୍ବତନ ପ୍ରଶାସକ ନୁହଁନ୍ତି ବରଂ ସାଧାରଣ ନାଗରିକ । ରାଜନୀତିରେ ବି ବେଶ୍ ନୁଆ । ଦଳର ପୁରୁଖା ନେତା ଓ କର୍ମୀଙ୍କୁ ନେଇ ଲୋକଙ୍କ ନିକଟତର ହେବାକୁ ଅରୁପ ଆରମ୍ଭ କରିଛନ୍ତି ଉଦ୍ୟମ । ରାଜନୀତିରେ ନୂଆକରି ପାଦ ଥାପି ଥିବା ଅରୁପ ଏକଥା ବି ସ୍ପଷ୍ଟ କରିଛନ୍ତି , ଯାହାର ଲୋକ ସଂପର୍କ ଅଧିକ ଭଲ ରହିବ, ସେ ନିର୍ବାଚନରେ ବିଜୟୀ ହେବ ।

ସେପଟେ ଏଥର ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ଲୋକଙ୍କ ନିକଟକୁ ଯାଇ ଆରମ୍ଭ କରିଦେଇଛନ୍ତି ପ୍ରଚାର । ପାଦରେ ଚାଲିଚାଲି ବସ୍ତିରୁ ଗଳିକନ୍ଦି ସହର ସବୁ ବୁଲୁଛନ୍ତି ସେ । ଏଥର ଏଠାରେ ହାଇପ୍ରୋଫାଇଲ୍ ଲଢେଇ ବେଶ୍ ଜମିବ ବୋଲି କୁହାଯାଉଛି । ନିର୍ବାଚନ ମୈଦାନରେ ନିଜେ ନିଜର ପ୍ରତିଦ୍ୱନ୍ଦୀ ବୋଲି କହିଛନ୍ତି ଅପରାଜିତା ।

୧୯୯୮ରୁ ବିଜେଡି ଦଖଲରେ ରହି ଆସିଛି ଭୁବନେଶ୍ୱର ଲୋକସଭା ଆସନ । ତେବେ ଏଥର ଏଠାକାର ସାଂସଦ ପ୍ରସନ୍ନ ପାଟଶାଣୀଙ୍କୁ ବାଦ୍ ଦେଇ , ଦଳ ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟନାୟକଙ୍କୁ ପ୍ରାର୍ଥୀ କରିଛି । ଦେଖିବା କଥା ଅପରାଜିତା ଷଡଙ୍ଗୀ ଓ ଅରୁପ ପଟନାୟକଙ୍କ ହାଇପ୍ରୋଫାଇଲ୍ ଟକ୍କରରେ ବାଜି ମାରୁଛି କିଏ ।