ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କର ! ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ, ଟ୍ୱିଟ୍ କରି ଜବାବ ଦେଲେ ବୈଜୟନ୍ତ

73

କନକ ବ୍ୟୁରା : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଂସଦୀୟ ଦଳର ନେତା ଭର୍ତୃହରି ମହତାବ । ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଭର୍ତୃହରି କହିଛନ୍ତି, ଦୀର୍ଘଦିନ ଧରି ବୈଜୟନ୍ତ ଦଳବିରୋଧୀ କାମରେ ଲିପ୍ତ ଥିଲେ । ତେଣୁ ବାଧ୍ୟ ହୋଇ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଏ ବିଷୟରେ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା । ପରେ ବୈଜୟନ୍ତ ନିଜ ତରଫରୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଏବଂ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ଇସ୍ତଫା ପତ୍ର ପଠାଇଥିଲେ ବୋଲି ଜଣାପଡିଥିବା ଭୁର୍ତୃହରି ଲେଖିଛନ୍ତି ।

ଯେହେତୁ ନିଜ ତରଫରୁ ସେ ଇସ୍ତଫା ଦେଇଛନ୍ତି, ତେଣୁ ସମ୍ବିଧାନର ଦଶମ ଅନୁଛେଦର ଦଳ ବିରୋଧୀ ଆଇନର ବ୍ୟବସ୍ଥା ଅନୁସାରେ ସେ ଆଉ ସାଂସଦ ରହିପାରିବେ ନାହିଁ । ଆଇନ ଅନୁସାରେ ଲୋକସଭାର ସାଂସଦ ହେବାକୁ ସେ ବର୍ତମାନ ଅଯୋଗ୍ୟ । ଭର୍ତୃହରି ଆହୁରି ମଧ୍ୟ ଲେଖିଛନ୍ତି ନିଜ ତରଫରୁ ସେ ଇସ୍ତଫା ଦେଇଥିବାରୁ ସାଂସଦ ପଦରୁ ହଟାଇବା ପାଇଁ ଦଶମ ଅନୁଛେଦ ଅନୁସାରେ ଦଳ ତରଫରୁ କୌଣସି ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ନାହିଁ । ତେଣୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ସାଂସଦ ଭାବରେ ରହିବାର ଅଧିକାର ନଥିବାରୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିବାକୁ ଭର୍ତୃହରି ଅନୁରୋଧ କରିଛନ୍ତିି ।

BAIJAYANTAଭର୍ତୃହରିଙ୍କ ଏହି ଚିଠି ପରେ ଟୁଇଟ୍ କରି ବୈଜୟନ୍ତ ପଣ୍ଡା ଲେଖିଛନ୍ତି ତାଙ୍କର ସ୍ୱାଭିମାନ ଅଛି ତେଣୁ ସେ ଇସ୍ତଫା ଦେଇ ସାରିଛନ୍ତି । ଦଳ ତରଫରୁ ତାଙ୍କୁ ସାଂସଦ ପଦରୁ ହଟାଇବା ପାଇଁ କୋ÷ଣସି ପକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ନାହିଁ ବୋଲି ଭର୍ତୃହରି ଲେଖିଥିବା ଚିଠିର କଥାକୁ ଉଲେଖ କରି ବୈଜୟନ୍ତ ନିଜ ତରଫରୁ ଇସ୍ତଫା ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତିି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ବୈଜୟନ୍ତ ଦଳ ବିରୋଧୀ କାମ କରୁଥିବା ନେଇ ଅଭିଯୋଗ ହୋଇଥିଲେ । ଏପରିକି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସର୍ମ୍ପକରେ ବୈଜୟନ୍ତ ଅପପ୍ରଚାର କରୁଥିଲେ ବୋଲି ତାଙ୍କ ରାଜନୈତିକ ସଂଯୋଜକ ଦେବୁ ମଲ୍ଳିକ ଅଭିଯୋଗ ଆଣିଥିଲେ । ଦଳ ବିରୋଧୀ ତଥା ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଥିବା ବୈଜୟନ୍ତଙ୍କୁ ଜାନୁଆରୀ ୨୪ରେ ଦଳରୁ ନିଲମ୍ବିତ କରିଥିଲା ବିଜେଡି ।

କିନ୍ତୁ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ ଶେଷ ଦର୍ଶନ ପାଇଁ ବିଜେଡିର କୌଣସି ନେତା ନ ଆସିବା କାରଣ ଦର୍ଶାଇ ମେ ୨୮ରେ ଦଳରୁ ଇସ୍ତଫା ଦେଇଥିଲେ । ଏପରିକି ସାଂସଦ ପଦରୁ ଇସ୍ତଫା ଦେବା ସହ ଏହାକୁ ଗ୍ରହଣ କରିବାକୁ ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଥିଲେ । ତେବେ ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ବିଜେଡି ପକ୍ଷରୁ ଚିଠି ଲେଖାଯିବା ପରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା ।