ବରୀରେ ବିଜେଡିର ଗୁଣ୍ଡାଗର୍ଦ୍ଦି : ତଳକାଇପଡ଼ାରେ ବୋମା ବର୍ଷା, ଜଣେ ଗିରଫ

33

କନକ ବ୍ୟୁରୋ: ବରୀରେ ଶାସକ ବିଜେଡିର ଗୁଣ୍ଡାଗର୍ଦ୍ଦି । ଗତକାଲି ଶାସକ ଦଳର କେତେକ ସମର୍ଥକ ଜଣେ ବିଜେପି ସମର୍ଥିତ ଯୁବକଙ୍କୁ ଖଣ୍ଡାରେ ହାଣିବା ସହ ତଳକାଇପଡ଼ାରେ ଘନ ଘନ ବୋମା ମାଡ଼ କରିଥିବା ଅଭିଯୋଗ ଆସିଛି । ଯୁବକଙ୍କ ଉଭୟ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପଟେ ରାତିରେ ପୁଲିସ ଚଢ଼ଉ କରି ତଳ କାଇପଡ଼ାର ଆନନ୍ଦ ଓଝାଙ୍କ ଘରୁ ୧୧ଟି ଜୀବନ୍ତ ବୋମା ଉଦ୍ଧାର କରିବା ସହ ତାଙ୍କୁ ଗିରଫ କରି ଥାନାକୁ ନେଇଛି ।

ମିଳିଥିବା ସୂଚନା ଅନୁସାରେ ଚାରିଆଡେ ପୂଜା ମାହୋଲ ଚାଲିଥିବା ବେଳେ ବରୀର ବିଭିନ୍ନ ଗ୍ରାମରେ ମା’ ଜଗଜ୍ଜନନୀ ଦୁର୍ଗାଙ୍କ ପୂଜା ଆରାଧନା ଚାଲିଛି । ମହାଷ୍ଟମୀ ସଂଧ୍ୟାରେ ବିଜେପି ଯୁବନେତା ବିଶ୍ୱରଂଜନ ମଲ୍ଲିକ କେତେକ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ । ଏହା ବ୍ୟତୀତ କଳାମାଟିଆର କଂଗ୍ରେସ ନେତା ଗିରୀଶ ରାୟଙ୍କର ପୁଅଙ୍କ ଦେହାନ୍ତ ହୋଇଯାଇଥିବାରୁ ତାଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଈଶ୍ୱର ଦାସଙ୍କ ପୁଅ ଭିକାରୀ ଦାସ(୩୧) ଯୁବ ନେତା ବିଶ୍ୱରଂଜନଙ୍କୁ ଦେଖା କରି ଚାଲି ଚାଲି ଘରକୁ ଫେରୁଥିବା ବେଳେ ସଂଧ୍ୟା ପ୍ରାୟ ୭ଟା ବେଳେ ମହାଦେବ ଛକ ନିକଟରେ କେତେକ ଶାସକ ଦଳର ସମର୍ଥକ ତାଙ୍କୁ ଖଣ୍ଡା ଓ ଫାର୍ସାରେ ଆକ୍ରମଣ କରିଥିଲେ ।

ଆକ୍ରମଣରେ ଭିକାରୀଙ୍କ ଉଭୟ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ବାମ ହାତର କହୁଣୀ ଛିଡ଼ି ଯାଇଥିବା ବେଳେ ଡାହାଣ ହାତର ପାପୁଲିରେ କ୍ଷତ ହୋଇଛି । ପୂର୍ବତନ ସରପଞ୍ଚଙ୍କ ସ୍ୱାମୀଙ୍କ ନେତୃତ୍ଵରେ ଶାସକ ଦଳର କେତେକ ସମର୍ଥକ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି । ଆକ୍ରମଣ ପରେ ଗାଁର ବିଭିନ୍ନ ସ୍ଥାନରେ ୫ରୁ ଅଧିକ ବୋମାମାଡ଼ କରାଯାଇଛି । ବୋମା ମାଡ଼ରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।

ହଣା ଖାଇବା ପରେ ଭିକାରୀ ପ୍ରାଣ ବିକଳରେ ଚିତ୍କାର କରି ଗାଁ ଦାଣ୍ଡରେ ଦୌଡ଼ିଥିଲେ । ତାଙ୍କ ଚିତ୍କାର ଶୁଣି ଲୋକେ ରୁଣ୍ଡ ହୋଇଯିବାରୁ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି । ଖବର ପାଇ ବରୀ ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଳାଘନା ଚଳାଇଛି । ତେବେ ଖବର ଲୋଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ମାତ୍ର ତଳକାଇପଡ଼ାରେ ଉତ୍ତେଜନା ଲାଗି ରହିଛି ।