ଗଂଜାମ ବିଜେଡିରେ ବିଦ୍ରୋହ । ଖଲିକୋଟ ବିଧାୟକଙ୍କ ବିରୋଧରେ ବିଜେଡି କର୍ମୀଙ୍କ ବିରୋଧୀ ନାଗରିକ ମଂଚ

30

କନକ ବ୍ୟୁରୋ: ଗଂଜାମ ଜିଲ୍ଲାରେ ଧିରେ ଧିରେ ବିଜେଡିରେ ବିଦ୍ରୋହ ଦେଖିବାକୁ ମିଳିଛି । ଗଂଜାମ ଖଲିକୋଟ ଅଂଚଳରେ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଏବେ ବିରୋଧୀ ନାଗରିକ ମଂଚର ଗଠନ କରାଯାଇଛି ।

ଖଲିକୋଟ ବିଧାୟକ ପୁର୍ଣ୍ଣଚନ୍ଦ୍ର ସେଠୀଙ୍କ ବିରୋଧରେ ଏହି ମଂଚ ଗଠନ କରାଯାଇଛି । ଏଥିରେ ଖଲିକୋଟ ଏନଏସିର ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ଓ ୫ ଜଣ କାଉନସିଲର ସାମିଲ ହୋଇଛନ୍ତି । ବିଧାୟକ ଅଂଚଳର ବିକାଶ ନ କରି ପିସି ଖାଉଥିବାର ଏହି ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ଆଉ ଏହାକୁ ବିରୋଧ କରି ଏହି ମଂଚ କାର୍ଯ୍ୟ କରିବ ବୋଲି ସଦସ୍ୟ ମାନେ କହିଛନ୍ତି ।

ପୁର୍ବରୁ ଗଂଜାମ ଆସିକା ବିଜେଡିରେ ଫାଟ ସାମ୍ନାକୁ ଆସିଥିଲା । ପଦାରେ ପଡିଥିଲା ଗୋଷ୍ଠୀ କନ୍ଦଳ । ଗତ ପଂଚାୟତ ନିର୍ବାଚନ ପରଠାରୁ ଆସିକା ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇ ଶେଷରେ ଗଠିତ ହୋଇଥିଲା ବିଧାୟକ ବିରୋଧୀ ମଂଚ । ପଂଚାୟତ ନିର୍ବାଚନ ପରେ ଆସିକା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବରାଜ ମହାନ୍ତିଙ୍କୁ ବିରୋଧ କରି ବିରୋଧୀ ଗୋଷ୍ଠୀ ଶେଷରେ ଆସିକା ଓ କବିସୂର୍ଯ୍ୟନଗର ବ୍ଲକରେ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇଥିଲେ । ବିଧାୟକ ଦେବରାଜ ମହାନ୍ତିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଯୁବ ବିଜେଡି ନେତା ସତ୍ୟନାରାୟଣ ସ୍ୱାଇଁଙ୍କ ନେତୃତ୍ୱରେ ବିଧାୟକ ବିରୋଧୀ ମଂଚ ଗଠନ ହୋଇଛି ।

ଆଗାମୀ ବିଧାନସଭା ନିର୍ବାଚନରେ ଆସିକାରୁ ଆଉ ଜଣଙ୍କୁ ବିଧାୟକ ଟିକେଟ ଦେବା ପାଇଁ ଦାବି କରାଯାଇଥିଲା । ଏହାସହ ଆଗାମୀ ନିର୍ବାଚନରେ ଯଦି ଦେବରାଜଙ୍କୁ ଟିକେଟ ଦିଆଯାଏ ତେବେ ଏହାର ତୀବ୍ର ବିରୋଧ କରାଯିବ ବୋଲି କୁହାଯାଇଥିଲା ।